ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବ୍ୟାହତ : ବିନା ଡାକ୍ତର ଓ ବିନା ଫାର୍ମାସିଷ୍ଟରେ ଚାଲିଛି ଡାକ୍ତରଖାନା

ହାଟଡିହି (ଓ୍ବାଇଏନଏସ): ସରକାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ କେତେ କଣ ଯୋଜନା କରୁଛନ୍ତି। ଗ୍ରାମାଞ୍ଚଳ ଡାକ୍ତରଖାନା ମାନଙ୍କରେ ରକ୍ତ, ମଳ, ମୂତ୍ର ପରୀକ୍ଷା କରିବା ସହିତ ରୋଗୀମାନେ ସହଜରେ ଚିକିତ୍ସା ସୁବିଧା ପାଇ ପାରିବେ ସେନେଇ ସବୁପ୍ରକାର ପଦକ୍ଷେପ ନେଇଛନ୍ତି। ସେଥିପାଇଁ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦେବା ସହିତ ଆବଶ୍ୟକ ଭିତ୍ତିଭୂମୀ ସୁଦୃଢ କରୁଛନ୍ତି। କିନ୍ତୁ ବାହାରେ ଚକା ଚକ ଭିତରେ ଫମ୍ପା ଭଳି ସ୍ଥିତି ଉପୁଜିଛି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଡାକ୍ତର ନିଯୁକ୍ତି ନହେଲେ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଓରାଳି ପ୍ରାଥମିକ  ସ୍ୱାସ୍ଥ୍ୟ କେନ୍ଦ୍ରରେ। ଓରାଳି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଓରାଳି, ଖେତୁଆଳି, କରଞ୍ଜପଦି, ବଣିଆରୀ, ମୁଦୁଲିପଦା, ନନ୍ଦିପଦା, ଇଞ୍ଚଳ,ଅଁରା, ବସନ୍ତିଆ, ଆପଣ୍ଡା, ଆଦି ୨୦ରୁ ଉର୍ଦ୍ଧ ଗ୍ରାମର ଲୋକମାନେ ସ୍ୱାସ୍ଥ୍ୟସେବା ପାଇବା ପାଇଁ ନିର୍ଭର କରିଥାନ୍ତି। କିନ୍ତୁ ଏହି ଡାକ୍ତରଖାନାରେ ଥିବା ଫାର୍ମାସିଷ୍ଟ ନିର୍ମଳ ସାହୁଙ୍କ ଅବସର ପରେ ଆଜକୁ ୮ମାସ ହେଲା ନୂତନ ଫାର୍ମାସିଷ୍ଟ ନିଯୁକ୍ତ ହୋଇ ନାହାନ୍ତି। ଏଠାରେ ଥିବା ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଛୁଟିରେ ପଳାଇବାରୁ ରୋଗୀ ଦେଖିବାକୁ କିମ୍ବା ଔଷଧ ଦେବାକୁ କେହି ନାହାନ୍ତି। ଏପରିକି ଷ୍ଟାଫ ନର୍ସ ମଧ୍ୟ ନାହାନ୍ତି। ଫଳରେ ରୋଗୀମାନେ ଆସି ନିରାଶ ରେ ଫେରୁଛନ୍ତି। ଡାକ୍ତରଖାନା ଥାଇ ଯଦି ଡାକ୍ତର କି ଫାର୍ମାସିଷ୍ଟ ନରହିବେ ସେ ଡାକ୍ତରଖାନା ଥାଇ ଲାଭ ବା କଣ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ଅନେକ ସମୟରେ  ରୋଗୀ ମାନେ ଜରୁରୀ କାଳୀନ ସେବା ପାଇଁ ଧାଇଁ ଆସୁଥିବା ବେଳେ ସୁଇପର ମାନଙ୍କ ଦ୍ୱାରା ହିଁ ଜରୁରୀ ସେବା ଯୋଗାଉ ଦିଆଯାଉଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଆଜି ଅନେକ ରୋଗୀ ଡାକ୍ତରଖାନା ଆସିଥିବା ବେଳେ ସ୍ୱାସ୍ଥ୍ୟ ସେବା ନପାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତରଖାନା ଆସିଥିବା ରୋଗୀ ଓ  ଗ୍ରାମବାସୀ ମାନେ ଏହାର ଦୃଢ଼ ପ୍ରତିବାଦ କରି ଡାକ୍ତରଖାନା ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି କମିଟି ସଦସ୍ୟ ସୁଧାଂଶୁ ଦକ୍ଷିଣ ରାୟ ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବା ସହିତ ତୁରନ୍ତ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ପାଇଁ ଦାବି କରିଛନ୍ତି। ନଚେତ ଗ୍ରାମବାସୀମାନେ ବାଧ୍ୟ ହୋଇ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ସୁଧାଂଶୁ ଦକ୍ଷିଣରାୟ, ପ୍ରତାପ ଜେନା, ଅରୁଣ ପ୍ରଧାନ, ଟିଲା ପଟ୍ଟନାୟକ, ସତ୍ୟଜିତ ପଣ୍ଡା, ପ୍ରଶାନ୍ତ ରାଉତ, ବଟିଆ ଜେନା, କାଠିଆ ଜେନା, ଗୁରୁଦେବ ଜେନା, ଲିପୁ ଜେନା, ତପନ ନାୟକ, ଇନ୍ଦ୍ରଜିତ ଜେନା, ଜିତୁନ ଜେନା, ବବୁଆ ଜେନା, କିର୍ତ୍ତନ ଜେନା, ସାଗର ଜେନା, ଜଗନ ଜେନା, ବଳରାମ ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଭାତ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମ ବ୍ଲକର ଓରାଳି ସମେତ ସୁନ୍ଦରପାଳ, ସୋସୋ ଆଦି ଡାକ୍ତରଖାନା ରେ ସମାନ ଅବସ୍ଥା। ସମଗ୍ର ଜିଲ୍ଲାରେ ଡାକ୍ତର ଅଭାବ ଅଛି, ଡାକ୍ତର ନିଯୁକ୍ତି ହେଲେ ଯାଇ ଏ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ