ଅସ୍ତ୍ରୋପଚାର ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ ପରେ ଭୂସଂପତ୍ତି ପ୍ରମାଣପତ୍ରରେ ସଂଶୋଧନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ, (ଓ୍ବାଇଏନଏସ): ଅସ୍ତ୍ରୋପଚାର ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରି ମହିଳାରୁ ପୁରୁଷ ହୋଇଥିବା ତଥା ନାମ ବଦଳାଇଥିବା ବ୍ୟକ୍ତିଙ୍କ ସଂକ୍ରାନ୍ତୀୟ ନୂତନ ତଥ୍ୟ ଭୂସଂପତ୍ତି ରେକର୍ଡରେ ଉଲ୍ଲେଖ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଲିଙ୍ଗ ପୁନଃନିର୍ଦ୍ଧାରଣ ଅସ୍ତ୍ରୋପଚାର(ଏସଆରଏସ) କରି ମହିଳାରୁ ପୁରୁଷ ହୋଇଥିବା ହେତୁ ଭୂ-ସମ୍ପତ୍ତି ମ୍ୟୁଟେସନ୍ ପ୍ରମାଣପତ୍ରରେ ତାଙ୍କର ନୂଆ ନାମ ଓ ଲିଙ୍ଗ ପରିବର୍ତ୍ତନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ଇଷ୍ଟେଟ ନିର୍ଦ୍ଦେଶକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମ୍ୟୁଟେସନ ପ୍ରମାଣପତ୍ରରେ ପୁରୁଣା ନାମ ବଦଳରେ ଆବେଦନକାରୀଙ୍କ ନୂଆ ନାମ, ଲିଙ୍ଗ, ନାତୁଣୀ ସ୍ଥାନରେ ନାତି ଉଲ୍ଲେଖ କରାଯିବ। ୧୫ ଦିନ ଭିତରେ ଆବେଦନକାରୀଙ୍କ ନୂଆ ନାମ ଓ ସ୍ଥିତି ‘ନାତି’ ବୋଲି ଉଲ୍ଲେଖ କରି ସଂଶୋଧିତ ମ୍ୟୁଟେସନ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଟ୍ରାନ୍ସଜେଣ୍ଡର ବ୍ୟକ୍ତି (ଅଧିକାରର ସୁରକ୍ଷା) ଆଇନ, ୨୦୧୯ର ଧାରା ୭ ଓ ଏ ସଂପର୍କିତ ନିୟମାବଳୀ, ୨୦୨୦ର ନିୟମ-୬ ଅନୁଯାୟୀ ଜିଲ୍ଲା ମାଜିଷ୍ଟ୍ରେଟ ଓ ଅନ୍ୟା କର୍ତ୍ତୃପକ୍ଷ ଆଇନ ଅନୁସାରେ ଆବେଦନକାରୀଙ୍କ ସପକ୍ଷରେ ପରିବର୍ତ୍ତିତ ଲିଙ୍ଗ ଓ ନାଁ ସଂକ୍ରାନ୍ତରେ ପ୍ରମାଣପତ୍ର, ପରିଚୟପତ୍ର, ପ୍ୟାନ୍ କାର୍ଡ, ପାସପୋର୍ଟ ଏବଂ ଆଧାର କାର୍ଡ ଜାରି କରିଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ବିଭିନ୍ନ ନିୟମାବଳୀ ଓ ଅଦାଲତୀ ରାୟର ନଜିରକୁ ବିଚାରକୁ ନେଇ ସମ୍ପତ୍ତିର ମ୍ୟୁଟେସନ୍ ପ୍ରମାଣପତ୍ରରେ ଆବେଦନକାରୀଙ୍କ ପରିବର୍ତ୍ତିତ ନାମ ଓ ପୂର୍ବଜଙ୍କ ସହ ସଂପର୍କ ନାତୁଣୀରୁ ନାତିକୁ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରୀଙ୍କ “ଜେଣ୍ଡର ଡିସଫୋରିକ୍ ସିଣ୍ଡ୍ରୋମ୍” ଦେଖାଦେଇଥିଲା। ଯାହା ପାଇଁ ତାଙ୍କର କିଛି ଅଂଶରେ ଥିବା ମହିଳା ଯୌନାଙ୍ଗକୁ ଅପସାରଣ କରିବା ପାଇଁ ଲାପାରୋସ୍କୋପିକ୍ ଅସ୍ତ୍ରୋପଚାର ହୋଇଥିଲା। ଚେନ୍ନାଇସ୍ଥିତ ଏକ କସମେଟିକ କ୍ଲିନିକରେ ସଫଳ ଏସଆରଏସ ପରେ ଆବେଦନକାରୀଙ୍କ ଲିଙ୍ଗ ମହିଳାରୁ ପୁରୁଷକୁ ପରିବର୍ତ୍ତିତ ହୋଇଥିବା ନେଇ ଏକ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଲିଙ୍ଗ ପରିବର୍ତ୍ତନ ପରେ ଆବେଦନକାରୀ ନିଜ ନାଁ ମଧ୍ୟ ଏକ ପୁରୁଷ ଭାବେ ରଖିଥିଲେ। ଏ ନେଇ ଖବରକାଗଜରେ ଘୋଷଣାନାମା ପ୍ରକାଶ କରାଇଥିଲେ। ଏହାପରେ ୨୦୧୯ର ଆଇନ ଓ ୨୦୨୦ର ନିୟମାବଳୀ ଆଧାରରେ ସେ କଟକ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଦରଖାସ୍ତ ଦାଖଲ କରିଥିଲେ। ତଦନ୍ତ ପରେ ତାଙ୍କୁ ଲିଙ୍ଗ ଓ ନାଁରେ ପରିବର୍ତ୍ତନ ସଂପର୍କିତ ଆବଶ୍ୟକ ପ୍ରମାଣପତ୍ର ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଦାନ କରିଥିଲେ। ଏପରି ପ୍ରମାଣପତ୍ର ଆଧାରରେ ଆବେଦନକାରୀ ଆଧାର କାର୍ଡ, ପ୍ୟାନ୍ କାର୍ଡ, ପାସପୋର୍ଟ ଇତ୍ୟାଦି ସମସ୍ତ ସରକାରୀ ଦସ୍ତାବିଜରେ ତାଙ୍କ ନାମ ଓ ଲିଙ୍ଗ ପରିବର୍ତ୍ତନ କରିପାରିଥିଲେ। ଆବେଦନକାରୀଙ୍କ ଜେଜେଙ୍କୁ ସାଧାରଣ ପ୍ରଶାସନ ବିଭାଗ ଲିଜସୂତ୍ରରେ ଭୁବନେଶ୍ବର ୟୁନିଟ-୩ରେ ଏକ ଜମି ଦେଇଥିଲା। ଜେଜେଙ୍କ ମୃତ୍ୟୁ ପରେ ଜମି ମ୍ୟୁଟେସନ ପ୍ରମାଣପତ୍ରରେ ସମସ୍ତ ଉତ୍ତରାଧିକାରୀଙ୍କ ନାଁ ରହିଥିଲା। ଏଥିରେ ଆବେଦନକାରୀଙ୍କ ପୂର୍ବ ନାଁ ଓ ସେ ମୂଳ ଲିଜଧାରୀଙ୍କ ନାତି ବୋଲି ଉଲ୍ଲେଖ ଥିଲା। ଏସଆରଏସ ପରେ ଲିଙ୍ଗ ଓ ନୂଆଁ ମ୍ୟୁଟେସନ ପ୍ରମାଣପତ୍ରରେ ସଂଶୋଧନ କରି ପରିବର୍ତ୍ତିତ ଲିଙ୍ଗ ଆଧାରରେ ନାତି ଓ ନୂଆ ନାମ ଏଥିରେ ଉଲ୍ଲେଖ କରିବାକୁ ଆବେଦନକାରୀ ଦାଖଲ କରିଥିବା ଦରଖାସ୍ତ ସାଧାରଣ ପ୍ରଶାସନ ବିଭାଗ ଖାରଜ କରିଥିଲା। ଏହାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।


