ଆସିକା ସହରରେ ଆଲୋଡା ହେବାରେ ଲାଗିଛି ସୂଚନା ଫଳକ

ଆସିକା  (ୱାଇଏନ୍‍ଏସ୍‍) : ଲୋକମାନେ ଯେପରି ଆସିକା ସହରର ବିଭିନ୍ନ ସାହିବସ୍ତିର ରାସ୍ତାକୁ ସହଜରେ ଜାଣିପାରିବେ ଓ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ଆସିକା ପୌର ପ୍ରଶାସନ ପକ୍ଷରୁ ଦୀର୍ଘ ଦିନ ତଳେ ସୂଚନା ଫଳକ ଲଗାଯାଇଥିଲା । ଆସିକା ସହରର ବିଭିନ୍ନ ସାହିବସ୍ତିର ପ୍ରବେଶ ପଥ ନିକଟରେ ଲାଗିଥିବା ସୂଚନା ଫଳକ ଗୁଡିକୁ ଦେଖି ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ଆବଶ୍ୟକତା ସମୟରେ ସହଜରେ ନିଜ ନିଜ ଠିକଣାରେ ପହଞ୍ଚି ପାରୁଥିଲେ । ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଆନ୍ତରିକତାର ଅଭାବ ଓ ଉଦାସୀନ ମନୋବୃତ୍ତି ସାଙ୍ଗକୁ କେତେକ ସ୍ଥାନରେ ଏହି ସୂଚନା ଫଳକ ଗୁଡିକ ଅଲୋଡା ହେବାରେ ଲାଗିଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ସହରର ସଦାସର୍ବଦା ବ୍ୟସ୍ତବହୁଳ ବାଣିବିହାର ଛକ ଠାରୁ ଆରମ୍ଭ କରି ବଜାର ସାହିର ମୁନିସାହି ଛକ ଏବଂ ବିଜୁ ପଟ୍ଟନାୟକ ନିକଟରେ ଲଗାଯାଇଥିବା ସୂଚନା ଫଳକ ଗୁଡିକରୁ ଷ୍ଟିକରିଂ ନଷ୍ଟ ହୋଇ ଅଲୋଡା ହେବାକୁ ବସିଥିବା ବେଳେ କୁମ୍ଭାରସାହି ଛକ ଓ ପୁରୁଣା କୁମ୍ଭାର ସାହି-ଖମ୍ବେଶ୍ୱରୀପାଟଣାକୁ ସଂଯୋଗ କରୁଥିବା ଛକ ଠାରେ ସୂଚନା ଫଳକ ନଥିବା ବେଳେ କେବଳ ଷ୍ଟିଲ୍‍ ଫ୍ରେମ୍‍ଟି ରହିଥିବା ଦେଖିବାକୁ ମିଳୁଛି । ଏପରିକି ଆସିକା ସହରର ଅନ୍ୟତମ ବ୍ୟସ୍ତବହୁଳ ନିରଞ୍ଜନଗର ସ୍ଥିତ ପୁରୁଣା ସରକାରୀ ମହିଳା ମହାବିଦ୍ୟାଳୟ ଛକରେ ଲାଗିଥିବା ସୂଚନା ଫଳକଟି ଉଭାନ ହୋଇଯାଇଥିବା ଘଟଣାକୁ ନେଇ ସାଧାରଣରେ ନାନା କଥା ଚର୍ଚ୍ଚା ହେଉଛି । ଆସିକା ସହରର କେତେକ ଅଞ୍ଚଳରେ ବହୁ ସୂଚନା ଫଳକ ଅକ୍ଷତ ଅବସ୍ଥାରେ ସଠିକ୍‍ ଭାବେ ଲାଗିଥିବା ବେଳେ ଅନ୍ୟ କେତେକ ସାହିବସ୍ତିରେ ସୂଚନା ଫଳକ ଗୁଡିକ ଅଲୋଡା ହୋଇଯାଇଥିବା ଯୋଗୁଁ ବିଭିନ୍ନ ସମୟରେ ବାହାରୁ ଆସୁଥିବା ଲୋକମାନେ ଆବଶ୍ୟକତା ସମୟରେ ସାହିବସ୍ତିର ରାସ୍ତା ଖୋଜି ନପାରି ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସହରର ଅଧିକାଂଶ ସୂଚନା ଫଳକରୁ ଲେଖା ଲିଭିଯାଇଥିଲେ ମଧ୍ୟ ସେଗୁଡିକୁ ପୁନର୍ବାର ଲେଖିବା ଦିଗରେ ଆସିକା ପୌର ପ୍ରଶାସନ ପଦକ୍ଷେପ ନେଉନଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ବର୍ଷ ବର୍ଷ ଧରି ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନଥିବା ଯୋଗୁଁ କେତେକ ସୂଚନା ଫଳକ ନଷ୍ଟ ହେବାକୁ ବସିଛି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିିଭାଗର ଆର୍ଥିକ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଲୋକଙ୍କ ସୁବିଧା ଲାଗି ସ୍ଥାପିତ ହୋଇଥିବା କେତେକ ସୂଚନା ଫଳକ ଅଲୋଡା ହୋଇବସିଥିଲେ ମଧ୍ୟ ସେଗୁଡିକୁ ସଜାଡିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଅଲୋଡା ହୋଇ ସାଧାରଣ ଜନତାଙ୍କ କାମରେ ଆସୁନଥିବା ସୂଚନା ଫଳକ ଗୁଡିକୁ ପୁନର୍ବାର ଲେଖିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ