ଜିଲା ବ୍ୟାଙ୍କ ସମୂହ ଅର୍ଥ ପରାମର୍ଶଦାତା କମିଟି ବୈଠକ
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲା ବ୍ୟାଙ୍କ ସମୂହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ବ୍ୟାଙ୍କଗୁଡ଼ିକ ହିତାଧିକାରୀଙ୍କୁ ସଠିକ୍ ଭାବେ ଋଣ ପ୍ରଦାନ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ବ୍ୟାପକ ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ଆସନ୍ତା ୩ ମାସ ପରେ ପୁଣି ଏହାର ସମୀକ୍ଷା କରାଯିବ ଏବଂ ସେତେବେଳେ ସମସ୍ତ ବ୍ୟାଙ୍କର କାର୍ଯ୍ୟଦକ୍ଷତା ଭଲ ରହିବା ଆବଶ୍ୟକ ବୋଲି ସାଂସଦ କହିଥିଲେ। ଜିଲାରେ ୩୪ଟି ବ୍ୟାଙ୍କର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରେ ସର୍ବ ମୋଟ ୪୯୬ଟି ଶାଖା ରହିଛି। ଜୁନ୍ ୨୦୨୬ ସୁଦ୍ଧା ସମସ୍ତ ବ୍ୟାଙ୍କରେ ମୋଟ ୩୬,୮୨୦ କୋଟି ଟଙ୍କା ଜମା ରହିଥିବା ବେଳେ ୨୬,୩୭୯ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ଋଣ-ଜମା ଅନୁପାତ ୭୨ ପ୍ରତିଶତ ରହିଛି। ଏହାବ୍ୟତୀତ ପ୍ରାଥମିକତା କ୍ଷେତ୍ରରେ ୭,୪୬୧ କୋଟି ଟଙ୍କା ଋଣ ପ୍ରଦାନ ହୋଇଥିବା ବେଳେ ଅଣପ୍ରାଥମିକ କ୍ଷେତ୍ରରେ ୨,୬୬୬ କୋଟି ଟଙ୍କା ଋଣ ଦିଆଯାଇଛି। ଚଳିତ ଖରିଫ ଋତୁରେ ଜିଲାର ୧,୨୧,୫୨୧ ଜଣ ଚାଷୀଙ୍କୁ କୃଷି ବୀମାରେ ସାମିଲ କରାଯାଇଥିବା ବେଳେ ୫୫,୨୩୯ ହେକ୍ଟର ଜମି ବୀମାଭୁକ୍ତ ହୋଇଛି। ଅଧିକରୁ ଅଧିକ ଚାଷୀଙ୍କୁ କୃଷି ବୀମାରେ ସାମିଲ କରିବାକୁ ଜିଲାପାଳ ସମସ୍ତ ବ୍ୟାଙ୍କକୁ ପରାମର୍ଶ ଦେଇଥିଲେ। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ବ୍ୟାଙ୍କ ଓ ବିଭାଗୀୟ ଅଧିକାରୀମାନେ ସମନ୍ୱୟରେ କାର୍ଯ୍ୟ କରିବାକୁ କୁହାଯାଇଥିଲା। ବୈଠକରେ ୟୁନିୟନ ବ୍ୟାଙ୍କର କ୍ଷେତ୍ରୀୟ ମୁଖ୍ୟ ସଂଗୀତା କୁଜୁର, ଆରବିଆଇ ଭୁବନେଶ୍ୱର ଏଲ୍ଡିଓ ରାହୁଲକାନ୍ତ ନାର୍ବାଡ, ନାବାର୍ଡ ଡିଡିଏମ୍ ସଞ୍ଜୀବ ମିଶ୍ର, ଏଲ୍ଡିଏମ୍ ହିମାଂଶୁ ସାହୁଙ୍କ ସମେତ ଜିଲାର ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କର ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଶେଷରେ ଏଲ୍ଡିଏମ୍ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


