ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ

ଭଦ୍ରକ (ଚାନ୍ଦିନୀ ମହାନ୍ତି): ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଜୁନିୟର ରେଡକ୍ରସ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ସେପ୍ଟେମ୍ବର ୫ ରୁ ୯ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ବିପର୍ଯ୍ୟୟ ପରିଚାଳନା ଉପରେ ‘ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ’ ଶିବିର ଭୁବନେଶ୍ୱର ରେଡ଼କ୍ରସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ ଜିଲାରୁ ୩ ଜଣ ଶିକ୍ଷକ ଅଂଶ ଗ୍ରହଣ କରି ସଫଳତାର ସହ ପ୍ରଶିକ୍ଷଣପ୍ରାପ୍ତ ହୋଇଛନ୍ତି। ସେମାନେ ହେଲେ ଭଦ୍ରକ କେଶପୁର ୟୁ.ଜି.ଏମ୍.ଇ. ସ୍କୁଲର ଶିକ୍ଷକ ସୁଶାନ୍ତ କୁମାର ବିଶ୍ୱାଳ, ବନ୍ତ ବ୍ଲକ ପଧାନପଡ଼ା ପଞ୍ଚାୟତ ହାଇସ୍କୁଲର ଶିକ୍ଷକ ଅରୁଣ କୁମାର ବାରିକ ଏବଂ ବାସୁଦେବପୁର ବ୍ଲକ ଇରମ ସହୀଦ ସ୍ମାରକୀ ହାଇସ୍କୁଲର ଶିକ୍ଷକ ଜଗବନ୍ଧୁ ମଲ୍ଲିକ। ଏହି ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷକ ମାନେ ଆଗାମୀ ଦିନରେ ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଅନୁଷ୍ଠାନ ଏବଂ ସ୍ଥାନୀୟ ସମୁଦାୟ ସ୍ତରରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଅନ୍ୟମାନଙ୍କୁ ବିପର୍ଯ୍ୟୟ ପରିଚାଳନା ବାବଦରେ ଶିକ୍ଷା ପ୍ରଦାନ କରିବେ। ବିଦ୍ୟାଳୟ ସ୍ତରରୁ ହିଁ ଶିକ୍ଷକମାନଙ୍କୁ ବିପର୍ଯ୍ୟୟ ପରିଚାଳନା ଏବଂ ମୁକାବିଲା ପାଇଁ ଦକ୍ଷ କରି ଗଢ଼ି ତୋଳିବା ଏବଂ ଏହି ଜ୍ଞାନ ମାଧ୍ୟମରେ ସମାଜରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ । ଏହା ସହିତ ପ୍ରାକୃତିକ ଓ ମାନବକୃତ ବିପର୍ଯ୍ୟୟ ସମୟରେ ଜୀବନ ଓ ସମ୍ପତ୍ତିର ରକ୍ଷା କରିବା ପାଇଁ ଆବଶ୍ୟକୀୟ କୌଶଳ ପ୍ରଦାନ କରିବା ଏବଂ ଭବିଷ୍ୟତ ପାଇଁ କୁଶଳୀ ପ୍ରଶିକ୍ଷକ ପ୍ରସ୍ତୁତ କରିବା ଏହି ଶିବିରର ପ୍ରମୁଖ ଉଦ୍ଦେଶ୍ୟ । ଏହି ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଓଡ଼ିଶାର ବିଭିନ୍ନ ଜିଲାରୁ ୭୧ ଜଣ ଶିକ୍ଷକ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ ଆଇ.ଆର.ସି.ଏସ-ଓ.ଏସ.ବି ର ସମ୍ମାନିତ ସଚିବ ଗଣେଶ ଚନ୍ଦ୍ର ପାତ୍ର (ଆଇ.ଏ.ଏସ), ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ ସ୍ନିଗ୍ଧା ମିଶ୍ର ଏବଂ ରାଜ୍ୟ ଜେ.ଆର.ସି.ଓ ଲକ୍ଷ୍ମଣ କୁମାର ସ୍ୱାଇଁଙ୍କ ଠାରୁ ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷକ ମାନେ ମାନପତ୍ର ଓ ବ୍ୟାଚ ଗ୍ରହଣ କରିଥିଲେ । ଏହି ଅବସରରେ ଉତ୍ତୀର୍ଣ୍ଣ ହୋଇଥିବା ଜ଼ିଲାର ୩ ଶିକ୍ଷକ ମାନେ ସହଯୋଗ ଓ ମାର୍ଗଦର୍ଶନ ପାଇଁ ରାଜ୍ୟ ଜେ.ଆର୍.ସି.ଓ. ଲକ୍ଷ୍ମଣ ସ୍ୱାଇଁ, ଜିଲା ଜେ.ଆର୍.ସି.ଓ. ନରେନ୍ଦ୍ର ପ୍ରସାଦ ସାହୁ, ଭଦ୍ରକ ଜିଲା ଶିକ୍ଷାଧିକାରୀ ଡ. ଜଗବନ୍ଧୁ ସାହୁ ଏବଂ ଭଦ୍ରକ ଶାରୀରିକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ