ମନ୍ଦିର ସୁବ୍ୟବସ୍ଥିତ ନିମନ୍ତେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର
ଗୁଣପୁର (ୱାଇ ଏନ ଏସ) :ଗୁଣପୁର ସହର ମଧ୍ୟରେ ଥିବା ଦେଵୋତ୍ତର ବିଭାଗ ଅଧିନସ୍ଥ ମନ୍ଦିର ଗୁଡ଼ିକରେ ସୁବ୍ୟବସ୍ଥା ନିମନ୍ତେ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କୁ ଏକ ଛଅ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଦାବି ଗୁଡିକ ମଧ୍ୟରେ ଦେବୋତ୍ତର ଅଧିକାରୀ ନିୟମିତ ମନ୍ଦିର ପରିଦର୍ଶନ କରି ନୀତିକାନ୍ତି ଠିକ ପରିଚାଳନା ନିମନ୍ତେ ପରାମର୍ଶ ଦେବା, ମନ୍ଦିର ପୂଜକ ମାନେ ନିଜ କ୍ୟୁ-ଆର କୋଡ଼ ଲଗାଇ ଦାନ ଅର୍ଥ ଆଦାୟ କରୁଥିବା କାର୍ଯ୍ୟକୁ ବନ୍ଦ କରିବା, ମନ୍ଦିର ଗୁଡିକ ରେ ଅତ୍ୟାବଶ୍ୟକ ବିଦ୍ୟୁତ ବିଲ୍,ସଫେଇ, ଭୋଗ ରାଗ ଇତ୍ୟାଦି ଉପରେ ଦୃଷ୍ଟି ଦେବା, ଭୋଗ ପ୍ରସାଦ ବିକ୍ରୀ ଆଦାୟ ଅର୍ଥର କିଛି ଅଂଶ ମନ୍ଦିର ଉନ୍ନତିରେ ପ୍ରଦାନ କରିବା, ମନ୍ଦିର ପ୍ରସାଦ ବିକ୍ରି ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଲାଗୁ କରିବା ଇତ୍ୟାଦି ଦାବି ଗୁଡିକ ରହିଛି। ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ସମୟରେ କଳିଙ୍ଗ ସାମ୍ବାଦିକ ସଂଘ ର ଆବାହକ ଶକ୍ତି ପ୍ରଦ ଦାଶ, ଉପ ସଭପତି ଇପିଲି ଶାବବିଶ୍ , ସଂଘ ର ଉପଦେଷ୍ଟା ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ , ସମ୍ପାଦକ ପିଙ୍କି ମହାପାତ୍ର, ସଂଗଠନ ସମ୍ପାଦକ କିରଣ କୁମାର ପାଣିଗ୍ରାହୀ, ସଂକେତ କୁମାର ପାତ୍ର ଓ ଚେପାଲି ପ୍ରେମ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ। ଅପର ପକ୍ଷରେ ଉପଜିଲ୍ଲାପାଳ ଶ୍ରୀ ଅଭିଷେକ ଦିଲ୍ଲୀପ କହିଥିଲେଯେ ରଥଯାତ୍ରା ପ୍ରସ୍ତୁତି ବୈଠକ ବେଳେ ଅନେକ ଅଭିଯୋଗ ତାଙ୍କ ଦୃଷ୍ଟିକୁ ଆସିଥିଲା। ସେହି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ୨୪ ତାରିଖ ବୈଠକରେ ଏହି ସମ୍ପର୍କରେ ଆଲୋଚନା କରାଯିବ ଏବଂ ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ ନୂତନ କମିଟି ଗଠନ ସହ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ସେମାନଙ୍କୁ ଅଵଗତ କରିଥିବା ଜଣାପଡିଛି। ଉଲେଖଯୋଗ୍ୟ ଗୁଣପୁର ଓ ଆଖପାଖ ଅଞ୍ଚଳର ୨୩ଟି ପ୍ରାଚୀନ ଓ ପ୍ରସିଦ୍ଧ ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ରହିଛି। ଆସନ୍ତା ୨୪ ତାରିଖ ଅପରାହ୍ନ ୪ଟାରେ ଗୁଣପୁର ଜଗନ୍ନାଥ ମନ୍ଦିରରେ ନୂତନ କମିଟି ଗଠନ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପରେ ଦେବତ୍ତର ବିଭାଗ ମନ୍ଦିର ପରିଚାଳନା ଓ ବିଭିନ୍ନ ଅଭିଯୋଗ ଗୁଡିକ ଉପରେ କଣ ଆଭିମୁଖ୍ୟ ଗ୍ରହଣ କରିବେ ବୈଠକ ପରେ ସ୍ପଷ୍ଟ ହେବ।


