ସାଂସଦ ଖେଳ ମହୋତ୍ସବ: କ୍ରିକେଟ ଫାଇନାଲରେ କଟକ ସଦର ଓ ବଡମ୍ବା ବିଜୟୀ
କଟକ, (ଓ୍ବାଇଏନଏସ): ନାଗରିକମାନଙ୍କ ମଧ୍ୟରେ ଖେଳ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ସହ ଯୁବ ସମାଜରେ ନେତୃତ୍ୱକୁ ଉତ୍ସାହିତ କରିବା ଏବଂ ଫିଟ୍ ଇଣ୍ଡିଆର ସନ୍ଦେଶକୁ ପ୍ରତ୍ୟେକ ଘରେ ପହଂଚାଇବା ଲକ୍ଷ୍ୟ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ସାଂସଦ ଖେଳ ମହୋତ୍ସବର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ମ୍ୟାଚଗୁଡିକୁ ସାଂସଦ ଶ୍ରୀ ଭର୍ତୃହରି ମହତାବ ବୁଲି ଦେଖିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଅତିରିକ୍ତ ଜିଲ୍ଳାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ସାଂସଦଙ୍କ ସହ ଉପସ୍ଥିତ ରହି ବିଭିନ୍ନ ସ୍ପୋର୍ଟସ୍ ଗ୍ରାଉଣ୍ଡରେ ଖେଳାଳିମାନଙ୍କ ମନୋବଳ ବୃଦ୍ଧି କରଥିଲେ । ଆଜି ନିମପୁର ସ୍ପୋର୍ଟସ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ୨୫ ବର୍ଷରୁ କମ୍ ବାଳକ ଫାଇନାଲ କ୍ରିକେଟ ମ୍ୟାଚରେ କଟକ ସଦର ଦଳ ୧୦ ୱିକେଟରେ ବିଜୟୀ ହୋଇଛି । କଟକ ସଦର ଓ ବଡମ୍ବା ମଧ୍ୟରେ ଅନୁଷ୍ଠିତ ଫାଇନାଲରେ କଟକ ସଦର ଦଳ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ବଡମ୍ବା ଦଳ ୮ ଓଭରରେ ୮ ୱିକେଟ ହରାଇ ୭୮ ରନ୍ ସଂଗ୍ରହ କରିଥିବାବେଳେ କଟକ ସଦର ଦଳ ମାତ୍ର ୪ ଓଭରରେ ୮୦ ରନ୍ ସଂଗ୍ରହ କରିନେଇଥିଲା । ସେହିପରି ୧୭ ବର୍ଷରୁ କମ୍ ବାଳକ କ୍ରିକେଟ ବର୍ଗରେ ବଡମ୍ବା ଦଳ ଆଠଗଡ ଦଳକୁ ୪୮ ରନ୍ରେ ହରାଇ ଚାମ୍ପିୟନ୍ ହୋଇଛି । ବଡମ୍ବା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୮ ଓଭରରେ ୧୦୫ ରନ୍ ସଂଗ୍ରହ କରିଥିଲା । ଆଠଗଡ ଦଳ ୭ଓଭର ୫ଟି ବଲରେ ସମସ୍ତ ଉଇକେଟ ହରାଇ ମାତ୍ର ୫୮ ରନ୍ ସଂଗ୍ରହ କରିପାରିଥିଲା । ଅନ୍ୟପକ୍ଷରେ ସତ୍ୟବ୍ରତ ଷ୍ଟାଡିୟମରେ ଚାଲିଥିବା ଖୋ ଖୋ ଫାଇନାଲରେ ଆଠଗଡ ଦଳ ବଡମ୍ବା ଦଳକୁ ହରାଇ ଚାମ୍ପିୟନ ହୋଇଛି । ସେହିପରି ବାରବାଟୀ ଷ୍ଟାଡିୟମ କବାଡି ଗ୍ରାଉଣ୍ଡରେ ଅନୁଷ୍ଠିତ ୨୫ ବର୍ଷରୁ ଉର୍ଦ୍ଧ୍ୱ ବାଳକ ଫାଇନାଲରେ ବାରବାଟୀ କଟକ ନରସିଂପୁରକୁ ୩୧-୨୩ ପଏଂଟରେ ପରାସ୍ତ କରି ଚାମ୍ପିୟନ ହୋଇଥିବାବେଳେ୨୫ ବର୍ଷରୁ କମ୍ ବାଳକ କବାଡି ଫାଇନାଲରେ ବାରବାଟୀ କଟକ ଦଳ ବଡମ୍ବାକୁ ୪୨-୨୬ରେ ପରାସ୍ତ କରିଛି ଏବଂ ୨୫ ବର୍ଷରୁ କମ୍ ବାଳିକା କବାଡି ଫାଇନାଲରେ ବାରବାଟୀ କଟକ ଚୌଦ୍ୱାରକୁ ୪୩-୯ ପଏଂଟରେ ପରାସ୍ତ କରି ଚାମ୍ପିୟନ୍ ହୋଇଛି । ଆସନ୍ତା ୨୫ ତାରିଖରେ ସାଂସଦ ଖେଳ ମହୋତ୍ସବର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଏହିଦିନ ୧୭ ବର୍ଷରୁ କମ୍ ଫୁଟବଲ ଫାଇନାଲ ଓ ଖୋ ଖୋ ଫାଇନାଲ ମ୍ୟାଚ୍ ଖେଳାଯିବା ସହ ପୁରସ୍କାର ବିତରଣୀ କରାଯିବ ।


