ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ
ଆସିକା (ୱାଇଏନ୍ଏସ୍) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ଅଧୀନସ୍ଥ ଆସିକା ବ୍ଳକର ବାଙ୍ଗରଡା ଗ୍ରାମ ପଞ୍ଚାୟତର ଆମ୍ବପୁଆ ଗ୍ରାମରେ ପରମାତ୍ମା ଶିବପିତାଙ୍କ ସନ୍ଦେଶ ଶ୍ରଦ୍ଧାଳୁ ଭକ୍ତଙ୍କୁ ପ୍ରଦାନ କରିବା ଲକ୍ଷ୍ୟରେ ନବନିର୍ମିତ ଗୃହର ଶୁଭ ଲୋକାର୍ପଣ ତଥା ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ସଂଯୋଜନାରେ ବାଙ୍ଗରଡା ଗ୍ରାମ ପଞ୍ଚାୟତର ଆମ୍ବପୁୁଆ ଗ୍ରାମରେ ଅନୁଷ୍ଠିତ ସୁଖଶାନ୍ତି ଭବନର ଲୋକାର୍ପଣ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବ୍ଜୋନ୍ ପ୍ରଭାରୀ ପରମପୂଜ୍ୟା ରାଜଯୋଗିନୀ ମାଳା ଦିଦି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ମୁଖ୍ୟାଳୟ ରାଜସ୍ଥାନର ମାଉଣ୍ଟଆବୁ ଓ ବ୍ରହ୍ମପୁର ଶାନ୍ତିକୁଣ୍ଡ ସ୍ଥିତ ଆଞ୍ଚଳିକ ସେବାକେନ୍ଦ୍ର ଏବଂ ଆସିକା ଶାନ୍ତିଶକ୍ତି ଭବନର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆମ୍ବପୁଆ ଗ୍ରାମରେ ଲୋକାର୍ପିତ ହୋଇଥିବା ନୂତନ ଗୃହର ଶୁଭଉଦ୍ଘାଟନ କାର୍ଯ୍ୟକ୍ରମରେ ସମାଜସେବୀ ଚିତ୍ରସେନ ବିଶ୍ୱାଳ ଓ କାମରାଜୁ ଭୋଳଙ୍କ ସମେତ ବହୁ ଆଧ୍ୟାତ୍ମିକପ୍ରେମୀ, ସଚେତନ ନାଗରିକ, ଗ୍ରାମବାସୀ ଉପସ୍ଥିତ ଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ବ୍ରହ୍ମାକୁମାର ସତ୍ୟପ୍ରିୟ, ବ୍ରହ୍ମାକୁମାରୀ ଅର୍ଚ୍ଚନା, ସନ୍ତୋଷିନୀ, ଭାଗ୍ୟଲତା, ସୁଜ୍ଞାନୀ, ଜ୍ୟୋତି, କସ୍ତୁରୀ, ନିଶି, ନର୍ମଦା, ନିଳିମାଙ୍କ ସମେତ ବହୁ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


