ଘୁଞ୍ଚିଲା ଓଟିଇଟି ପରୀକ୍ଷା, ନୂଆ ତାରିଖ ଘୋଷଣା କଲା ବୋର୍ଡ
କଟକ(ଓ୍ବାଇଏନଏସ) : ବଦଳିଲା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟି (ଓଟିଇଟି) ପରୀକ୍ଷା ତାରିଖ । ପୂର୍ବରୁ ପରୀକ୍ଷା ପାଇଁ ଜୁନ ୨୧ ଧାର୍ଯ୍ୟ କରାଯାଇଥିବା ବେଳେ ତାରିଖକୁ ପରିବର୍ତ୍ତନ କରିଛି ମାଧ୍ଯମିକ ଶିକ୍ଷା ପରିଷଦ (ବିଏସଇ) ଓଡ଼ିଶା । ଜୁନ ୨୮ ତାରିଖରେ (୨୦୨୬) ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ ୨୧ରେ ଓଟିଇଟି ପରୀକ୍ଷା ପାଇଁ ପୂର୍ବରୁ ତାରିଖ ଧାର୍ଯ୍ୟ କରାଯାଇଥିଲା । ମାତ୍ର ସେହି ଦିନ ନିଟ୍ (ନିଟ) ପରୀକ୍ଷା ଅନୁଷ୍ଠିତ ହେଉ ଥିବାରୁ ପରୀକ୍ଷା କେନ୍ଦ୍ର ସମସ୍ୟା ପାଇଁ ପରୀକ୍ଷା ତାରିଖ ପରିବର୍ତ୍ତନ ପାଇଁ ବୋର୍ଡ ନିଷ୍ପତ୍ତି ନେଇଛି । ଆସନ୍ତା ଜୁନ ୧୭ ତାରିଖରୁ ପ୍ରାର୍ଥୀମାନଙ୍କ ପାଇଁ ଆଡମିଟ କାର୍ଡ ଉପଲବ୍ଧ ହେବ । ପ୍ରାର୍ଥୀମାନେ ସେମାନଙ୍କର ଆବଶ୍ୟକୀୟ ଲଗଇନ୍ ପ୍ରମାଣପତ୍ର ପ୍ରବେଶ କରି ସରକାରୀ BSE ଓଡ଼ିଶା ୱେବସାଇଟ୍ www.bseodisha.nic.inରୁ ଆଡମିଟ କାର୍ଡ ଡାଉନଲୋଡ଼ କରିପାରିବେ । ଜୁନ ୨୮ ତାରିଖ ଦିନ ହିଁ ଦୁଇଟି ଯାକ ପେପରର ପରୀକ୍ଷା ହେବ । ପେପର-୧ ପାଇଁ ସକାଳ ୯ରୁ ଦିନ 11.30 ମିନିଟ ପର୍ଯ୍ୟନ୍ତ ସମୟ ସ୍ଥିର କରାଯାଇ ଥିବା ବେଳେ ପେପର-୨ ପାଇଁ ଅପରାହ୍ନ ୨ଟାରୁ ୪.୩୦ ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଛି । ୧୫୦ ମାର୍କ ବିଶିଷ୍ଟ ଏହି ପରୀକ୍ଷାକୁ ଓଏମଆର ଦ୍ଵାରା କରାଯିବ ।ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, “ପ୍ରତ୍ୟକ ବର୍ଷ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି । ଏହି କ୍ରମରେ ଚଳିତ ବର୍ଷ ମଧ୍ୟ ଆଶାୟୀମାନଙ୍କ ପାଇଁ ଏହି ସୁଯୋଗ ଦିଆଯିବ । ଗତବର୍ଷ ପରି ଏଥର ମଧ୍ୟ ଏହି ପରୀକ୍ଷାକୁ କିପରି ଶାନ୍ତି ଶୃଙ୍ଖଲାର ସହ କରାଯିବ ସେନେଇ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି ।” ପରୀକ୍ଷା ପ୍ରକ୍ରିୟା ସହିତ ଜଡିତ ଅଧିକ ଅପଡେଟ୍, ନିର୍ଦ୍ଦେଶାବଳୀ କିମ୍ବା ବିଜ୍ଞପ୍ତି ପାଇଁ ପ୍ରାର୍ଥୀମାନଙ୍କୁ ନିୟମିତ ଭାବରେ BSE ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିବାକୁ ଅନୁରୋଧ କରାଯାଇଛି । ଏକ ସୁଗମ ପରୀକ୍ଷା ଅଭିଜ୍ଞତା ସୁନିଶ୍ଚିତ କରିବା ପାଇଁ ବୋର୍ଡ ଦ୍ୱାରା ଜାରି ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ ମଧ୍ୟ ସେମାନଙ୍କୁ ପରାମର୍ଶ ଦିଆଯାଇଛି ।


