ପଞ୍ଚାୟତିରାଜ ଦିବସ ପାଳିତ

ଛତ୍ରପୁର (ଜିତେନ୍ଦ୍ର ନାୟକ): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଜିଲ୍ଲା ସଦର ମହକୁମା ଠାରେ ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ତରଫରୁ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଉତ୍ସବର ପ୍ରାରମ୍ଭରେ କାଶ୍ମିରୀ ବେଲଗାଓଁ ରେ ଆତଙ୍କବାଦୀଙ୍କ ଦ୍ବାରା ନିହତ ୨୬ ଜଣ ଭାରତୀୟଙ୍କ ଶହୀଦ୍ ଆତ୍ମାର ସଦଗତି ସକାଶେ ନୀରବ ପ୍ରାର୍ଥନା କରାଯାଇଥିଲା ।  ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଛତ୍ରପୁର କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ଗଣତନ୍ତ୍ର ରାଷ୍ଟ୍ରର ମୂଳ ଲକ୍ଷ୍ୟ ହେଲା ନାଗରିକ ହାତରେ କ୍ଷମତା ଓ ଅଧିକାର ନ୍ୟସ୍ତ କରି ଏକ ଶ୍ରେଣୀହୀନ ରାଷ୍ଟ୍ର ଗଠନ କରିବା । ଗ୍ରାମାଞ୍ଚଳର ବିକାଶ  ତଥା ସର୍ବବିଧ ଉନ୍ନତି ସାଧନ ଏହାର ଅନ୍ୟତମ ପ୍ରଧାନ ଲକ୍ଷ୍ୟ । ସ୍ଥାନୀୟ ଅଞ୍ଚଳର ବିକାଶ ନିମନ୍ତେ  ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ସକାଶେ ବର୍ତ୍ତମାନ ଦୁଇ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରତି ପଞ୍ଚାୟତ କୁ ଯୋଗାଯୋଗ ନିମନ୍ତେ ସଡକ ନିର୍ମାଣ ଓ ଶିକ୍ଷା, ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେଇଥିଲେ । ଗଞ୍ଜାମ ଜିଲ୍ଲାରୁ ବାହାର ରାଜ୍ୟକୁ ଅଧିକାଂଶ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ଜିଲ୍ଲାରେ ଶିଳ୍ପର ବିକାଶ ହେବ ବୋଲି କହିଥିଲେ । କୃଷକର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ଧାନର ସହାୟକ ମୂଲ୍ୟ ବୃଦ୍ଧି କରାଯାଇଥିବା କହିଥିଲେ । ପ୍ରତି ଗ୍ରାମର ବିକାଶ ହେଲେ ପଞ୍ଚାୟତର ବିକାଶ ହେବ ଏବଂ ପ୍ରତି ପଞ୍ଚାୟତର ବିକାଶ ହେଲେ ଦେଶର ବିକାଶ ହୋଇପାରିବ । ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଏସ୍.  ରାଜେଶ୍ବରୀ ଦୋରା ତାଙ୍କ ବକ୍ତବ୍ୟରେ କହିଥିଲେଯେ, ଜିଲ୍ଲାର ଯେତେ ସବୁ ଅସୁବିଧା ଅଛି ସରକାରଙ୍କ ଦୃଷ୍ଟିକୁ ଆଣି ତାର ସମାଧାନ କରାଇବା । ପଞ୍ଚାୟତ ଜରିଆରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ କରାଇ ପାରିବା ଏବଂ ଲୋକମାନଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନା ଗୁଡିକ ପହଞ୍ଚାଇ ପାରିବା ତେବେ ଆମ ଦେଶ ଉନ୍ନତି ପଥରେ  ଆଗେଇ ଚାଲିବ । ଛତ୍ରପୁର ବ୍ଲକ୍ ଉପାଧ୍ୟକ୍ଷା ଏସ୍. ଶାରଦା ରେଡ୍ଡୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁମିତା ପ୍ରମୁଖ ମଞ୍ଚାସୀନ ଥିଲେ  । ଉପ ନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ସୂଚନା ଓ ଲୋକସମ୍ପର୍କ ବିଭାଗ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଦାବସ ପାଳନ ଅବସରରେ ତାଳବଣିଆ, ପୁରୀ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସମାରୋହର ସିଧା ପ୍ରସାରଣ କରାଯାଇଥିଲା । ଯେଉଁଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କର ଭାଷଣ ତଥା ଉଦ୍ଘାଟନ ସମାରୋହ ଓ ବଣ୍ଟନ କାର୍ଯ୍ୟକ୍ରମ ସିଧା ପ୍ରସାରଣ ପ୍ରଦର୍ଶିତ ହୋଇଥିଲା ।   ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ରାସନ୍ କାର୍ଡ ଆବଣ୍ଟନ କରାଯାଇଥିଲା । ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଅନୁଦାନରେ ଗଞ୍ଜାମ ଜିଲ୍ଲାର ୮୨  ଗୋଟି ଗ୍ରାମ ପଞ୍ଚାୟତକୁ କାର୍ଯ୍ୟ ଦକ୍ଷତାରେ ଶ୍ରେଷ୍ଠତା ପ୍ରତିପାଦନ, ନିଜସ୍ବ ଆୟ ବୃଦ୍ଧି ତଥା ପଞ୍ଚାୟତର ସର୍ବାଙ୍ଗୀନ ବିକାଶରେ ନିରନ୍ତର ପ୍ରୟାସ କରିଥିବା ହେତୁ ସରପଞ୍ଚ ମାନଙ୍କୁ ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ