ଦୟନୀୟ ଅବସ୍ଥାରେ ଯାତ୍ରୀ ବିଶ୍ରାମଗାର: ମରାମତି ପାଇଁ ଦାବି
ନାଉଗାଁ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଛକରେ ଥିବା ଯାତ୍ରୀ ବିଶ୍ରାମଗାର ଦୟନୀୟ ଅବସ୍ଥାରେ ପଡ଼ିରହିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପୁନରୁଦ୍ଧାର ପାଇଁ ସାମାଜିକ କର୍ମୀ ସୁନିଲ କୁମାର ମାଟିଆ ସୋସିଆଲ୍ ମିଡିଆ ‘ଏକ୍ସ’ ମାଧ୍ୟମରେ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉକ୍ତ ସ୍ଥାନଟି ନାଉଗାଁ ମେଡିକାଲ୍, ତହସିଲ୍ କାର୍ଯ୍ୟାଳୟ, ବ୍ଲକ ଅଫିସ୍, ଶିଶୁ ବିକାଶ କାର୍ଯ୍ୟାଳୟ, ପ୍ରାଣୀ ଚିକିତ୍ସାଳୟ, ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଓ କଲେଜ୍ ଆଦି ଯିବାର ମୁଖ୍ୟ ସଂଯୋଗସ୍ଥଳ ଅଟେ। ହେଲେ ଉକ୍ତ ସ୍ଥାନରେ ଥିବା ଯାତ୍ରୀ ବିଶ୍ରାମଗାରର ଅବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି। ଏହି ବିଶ୍ରାମଗାରରେ ଥିବା ଢଳେଇ ପିଲାର ଗୁଡିକ ଦୁର୍ବଳ ହୋଇପଡ଼ିଥିବା ବେଳେ ଛାତରୁ ପ୍ଲାଷ୍ଟର ଖସୁଛି। ଯାହାଫଳରେ ଯାତ୍ରୀମାନେ ବିଶ୍ରାମ ନେବା ପାଇଁ ଭୟ କରୁଛନ୍ତି। ଏତଦ୍ ବ୍ୟତୀତ ଏହାର ପରିସର ସଫା ସୁତୁରା ଅଭାବ ଓ ବସିବା ପାଇଁ ଯଥେଷ୍ଟ ବ୍ୟବସ୍ଥା ନଥିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୁନିଲ କୁମାର ମାଟିଆ ପ୍ରଶାସନଙ୍କୁ ଶୀଘ୍ର ବିଶ୍ରାମଗାରର ପୁନରୁଦ୍ଧାର କିମ୍ବା ନୂତନ ଆଧୁନିକ ଯାତ୍ରୀ ବିଶ୍ରାମଗାର ସହିତ ଶୌଚାଳୟ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି।


