ରୋଗୀ କଲ୍ୟାଣ ସମିତି ବୈଠକ

ଗୁଣପୁର, ୧୯/୯(ୱାଇ ଏନ ଏସ): ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ  ପରିସରରେ ଶୁକ୍ରବାର ଦିନ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆର୍‌କେଏସ୍ ଅଧ୍ୟକ୍ଷ ତଥା ବିଧାୟକ ସତ୍ୟଜିତ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା, ରୋଗୀସେବା, ଭିତ୍ତିଭୂମି ଓ ପୂର୍ବ ନିଷ୍ପଭିର ଅଗ୍ରଗତି ଉପରେ ସମୀକ୍ଷା କରାଯାଇଥିଲା। ଉପାଧ୍ଯକ୍ଷ ତଥା ଗୁଣପୁର ଉପ-ଜିଲାପାଳ ଦୁଧାଲ ଅଭିଷେକ ଦିଲୀପ ଓ ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।  ବୈଠକରେ ଚିକିତ୍ସାଳୟରେ ବହୁଳମାତ୍ରାରେ ସିଜରିଆନ୍ ପ୍ରସବ ହେଉଥିବା ବେଳେ ପ୍ରସବ ପାଇଁ ଆସୁଥିବା ରୋଗୀ ମାନଙ୍କ ଠାରୁ ମୋଟା ଆକାରରେ ଟଙ୍କା ଆଦାୟ କରୁଥିବା ନେଇ ବିଧାୟକ ଶ୍ରୀ ଗମାଙ୍ଗ ଅଭିଯୋଗ କରିଥିଲେ। ଏଥିପ୍ରତି ଯତ୍ନବାନ ହେବାକୁ ଏସଡିଏମଓଙ୍କୁ ସେ ପରାମର୍ଶ ଦେଇଥିଲେ। ଏସ୍‌ଡିଏଚ୍ ରୋଗୀ କଲ୍ୟାଣ ସମିତି ବୈଠକରେ ସିଜରିଆନ୍ ହ୍ରାସ ଉପରେ ଗୁରୁତ୍ବ ଦିଆଯାଇଥିବା ବେଳେ ସାଧାରଣ ପ୍ରସବକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ବ ଦିଆଯାଇଥିଲା। ନିର୍ମାଣଧୀନ ନୂତନ ମହଲା କୋଠାର କାମ ତୁରନ୍ତ ଶେଷକରି ହସ୍ତାନ୍ତର କରିବାକୁ ଉପଜିଲାପାଳ ଶ୍ରୀ ଦୁଧାଲ ନିର୍ଦେଶ ଦେଇଥିଲେ। ସେହିପରି ରୋଗୀ ଓ ସମ୍ପର୍କୀୟଙ୍କ ସୁବିଧା ଦୃଷ୍ଟିରୁ ହାସପାତାଳ ପରିସର ରେ ତୁରନ୍ତ କାଫେ ଖୋଲିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆର୍‌କେଏସ୍ ପାଣ୍ଠିରୁ ମୋଟ ୫ ଲକ୍ଷ ୩ ହଜାର  ଟଙ୍କାର ବଜେଟ ବୈଠକରେ  ଅନୁମୋଦନ ହୋଇଥିଲା। ଏଥିରେ ଚିକିତ୍ସା ଉପକରଣ କ୍ରୟ, ରୋଗୀଙ୍କ ସୁବିଧା, ଭିତ୍ତିଭୂମିର ଉନ୍ନତି ସହ ଚିକିତ୍ସାଳୟର ବିଭିନ୍ନ ଆବଶ୍ୟକତାକୁ ପ୍ରାଥମିକତା ଦିଆଯାଇଛି। ଜାନୁଆରୀ ୧୯ରେ ଅନୁଷ୍ଠିତ ବୈଠକର ନିଷ୍ପତି ଗୁଡ଼ିକ ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଆମ୍ବୁଲାନ୍ସ ଚାଳକ ସୀମାଞ୍ଚଳ ବେହେରାଙ୍କ ଦୈନିକ ମଜୁରି ଭିତ୍ତିକ ସେବାକୁ ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ପ୍ରୋଟୋକଲ ମ୍ୟାନେଜର ଓ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ସମ୍ପର୍କିତ ଅନ୍ତରୀଣ ଅଦାଲତ ଆଦେଶକୁ ପାଳନ କରାଯାଉଥ‌ିବା ଜଣାପଡ଼ିଛି। ଏହା ବ୍ୟତୀତ ଜଣେ ଆନେସ୍ପେସିଆ ବିଶେଷଜ୍ଞ, ୨ ଜଣ ମେଡିସିନ୍ ବିଶେଷଜ୍ଞ, ୨ ଜଣ ସର୍ଜରି ବିଶେଷଜ୍ଞ ଓ ଜଣେ ଚକ୍ଷୁ ବିଶେଷଜ୍ଞଙ୍କୁ  ୧ ବର୍ଷ ପାଇଁ ନିଯୁକ୍ତି ମିଳିଥିବା ବିଷୟ ସମୀକ୍ଷା କରାଯାଇଥିଲା । ସୁରକ୍ଷା ବୃଦ୍ଧି ପାଇଁ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା ସ୍ଥାପନ ଏବଂ ଓଟି ପାଇଁ ବାଇପୋଲାର କଟେରି ମେସିନ କ୍ରୟ କରାଯାଇଥିବା ଜଣାପଡ଼ିଛି।ଏହି ବୈଠକରେ ସଦସ୍ୟ  କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଜ୍ୟୋତିରଞ୍ଜନ ମହାଙ୍କୁଡ, ଇନ୍‌ଚାର୍ଜ ସିଡିପିଓ, ଜଗନ୍ନାଥପୁର ମେଡିକାଲ ଇନ୍‌ଚାର୍ଜ ଅଧିକାରୀ, ଆୟୁଷ ମେଡିକାଲ ଅଧିକାରୀ, ଏନ୍‌ଏସ୍ଏମ୍ ଅଧିକାରୀ, ଟିପିଏଓଡିଏଲ୍ ଅକାରୀ, ପୂର୍ତ୍ତ ବିଭାଗ ଓ ପିଏଚ୍‌ଡି ବିଭାଗର ଅଧିକାରୀଙ୍କ ସହ ବିଭିନ୍ନ ପଦାକାରୀ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗ ଓ ଅକ୍ଷୟ ଦାଶ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ