ଶିକ୍ଷାବିଭାଗ ପକ୍ଷରୁ ଶିକ୍ଷକଙ୍କ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଜାରି

ଆସିକା (ୱାଇଏନ୍‍ଏସ୍‍) :ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟର ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ଗୁଡିକରେ ୧୦ ବର୍ଷ କାର୍ଯ୍ୟ କରିଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ସଂପୁର୍ଣ୍ଣ ତାଲିକା ପ୍ରସ୍ତୁତ କରାଯିବା ସହ ରେସ୍‍ନାଲାଇଜେସନ୍‍ ପ୍ରକ୍ରିୟାରେ ଅନ୍ୟ ବିଦ୍ୟାଳୟକୁ ବଦଳି କରିବା ପାଇଁ ପ୍ରୟାସ ଜାରି ରହିଥିଲା ବେଳେ ଏହି ନିୟମ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି । ଶିକ୍ଷାବିଭାଗର ଏହି ଐତିହାସିକ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେତେକ ବିଦ୍ୟାଳୟରେ ବର୍ଷ ବର୍ଷ ଧରି କୋଳି ଖାଇ ମଞ୍ଜି ପୋତିଲା ଭଳି ଅବସ୍ଥାପିତ ଥିବା କେତେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସରକାରଙ୍କ ଏହି ୧୦ ବର୍ଷିଆ ବଦଳି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଏବେଠୁ ମନରେ ଛନକା ପଶିଯାଇଥିବା ଚର୍ଚ୍ଚା ହେଉଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ରେସ୍‍ନାଇଲାଇଜେସନ୍‍ ପ୍ରକ୍ରିୟା ୧୦ ବର୍ଷିଆ ବଦଳି ନିୟମ ଯଦି କାର୍ଯ୍ୟକାରୀ ହୁଏ ତେବେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨୧୫ ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଅନ୍ୟ ବିଦ୍ୟାଳୟକୁ ବଦଳି ହେବା ଏକ ପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି । ଅପର ପକ୍ଷରେ ବର୍ଷ ବର୍ଷ ଧରି ଅବସ୍ଥାପିତ ଥିବା କେତେକ ଶିକ୍ଷକ ଏହି ୧୦ ବର୍ଷିଆ ରେସ୍‍ନାଲାଇଜେସନ୍‍ ବଦଳି ପ୍ରକ୍ରିୟାରୁ ଯେପରି ବଦଳି ନହେବେ ତାହାକୁ ଦୃଷ୍ଟିରେ ରଖି ଗୋଟିଚାଳନା ଜାରି ରଖିଥିବା ମଧ୍ୟ ଆଲୋଚିତ ହେଉଛି । ଶିକ୍ଷାବିଭାଗ ଉଚ୍ଚ କର୍ତ୍ତୃପକ୍ଷ ୧୦ ବର୍ଷିଆ ରେସ୍‍ନାଲାଇଜେସନ୍‍ ବଦଳି ପ୍ରକ୍ରିୟା ଯେପରି ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଅଞ୍ଚଳରେ ସ୍ୱଚ୍ଛତାରେ ସହ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳର ସରକାରୀ ବିଦ୍ୟାଳୟକୁ ବହୁ ଦାୟିତ୍ୱବାନ୍‍ ଓ କର୍ତ୍ତବ୍ୟନିଷ୍ଟ ଶିକ୍ଷକ ଠିକ୍‍ ସମୟରେ ସମୟ ନିର୍ଘଣ୍ଟ ଅନୁଯାୟୀ ଆସି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଥିବା ବେଳେ କେତେକ ଶିକ୍ଷକ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟକୁ ନଆସି ବିଳମ୍ବରେ ଆସୁଥିବା ଯୋଗୁଁ ପାଠପଢା ବ୍ୟାଘାତ ହେଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଥିବା ଲକ୍ଷ୍ୟ କରାଯାଇଛି । ସରକାରୀ ତହବିଲରୁ ମାସିକ ମୋଟା ରକମ ଦରମା ନେଇ କେତେକ ଶିକ୍ଷକ ବିଳମ୍ବରେ ସ୍କୁଲକୁ ଆସୁଥିବା ବେଳେ ଆଉ କେତେକ ଶିକ୍ଷକ ବିଦ୍ୟାଳୟରେ ପାଠ ପଢାଉନଥିବା ଚର୍ଚ୍ଚା ବି ହେଉଛି । ଆସିକା ଅଞ୍ଚଳର ଅଧିକାଂଶ ବିଦ୍ୟାଳୟରେ କୋଳି ଖାଇ ମଞ୍ଜି ପୋତିଲା ଭଳି ବର୍ଷ ବର୍ଷ ଧରି ଅବସ୍ଥାପିତ ଥିବା କେତେକ ଶିକ୍ଷକ ନିଜକୁ ସଂଘ ନେତା ବୋଲି ପରିଚୟ ଦେଇ ସରକାରୀ ନୀତିନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ବିନା ଡ୍ରେସ୍‍ କୋଡ୍‍ରେ ବିଦ୍ୟାଳୟକୁ ଯିବା ଠାରୁ ଆରମ୍ଭ କରି ନିଜ ନିଜ ବିଦ୍ୟାଳୟରେ ସମୟ ନିର୍ଘଣ୍ଟ ଅନୁଯାୟୀ ପାଠ ନପଢାଇ ବିଭିନ୍ନ ବାହାନାରେ ବିଦ୍ୟାଳୟ ଛାଡି ଚାଲିଆସୁଥିବା ମଧ୍ୟ କେତେକ ମହଲରେ ଆଲୋଚିତ ହେଉଛି । ଶିକ୍ଷାବିଭାଗ କର୍ତ୍ତୃପକ୍ଷ ଅଚାନକ କେତେକ ବିଦ୍ୟାଳୟକୁ ଗସ୍ତ କରି ଛାତ୍ରଛାତ୍ରୀଙ୍କୁ ଡାକି ୱାନ୍‍ ଟୁ ୱାନ୍‍ ପଚାରି ବୁଝିଲେ କେଉଁ ଶିକ୍ଷକ କିପରି ପାଠ ପଢାଉଛନ୍ତି ତାହାର ପ୍ରକୃତ ରହସ୍ୟ ଓ ସତ୍ୟାସତ୍ୟ ଉନ୍ମୋଚିତ ହୋଇପାରିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ କାର୍ଯ୍ୟରତ ଶିକ୍ଷକମାନଙ୍କ ମଧ୍ୟରୁ ଯେଉଁମାନେ କର୍ତ୍ତବ୍ୟରେ ଅବହେଳା କରି ସମୟ ନିର୍ଘଣ୍ଟ ଅନୁଯାୟୀ ବିଦ୍ୟାଳୟକୁ ଆସୁନାହାନ୍ତି ତାହାର ଏକ ନିରପେକ୍ଷ ତଥ୍ୟ ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ