ବେଆଇନ ମୋରମ ବୋଝେଇ ଗାଡ଼ିକୁ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ରଖିବାକୁ ନେଇ ଉଠିଲା ପ୍ରଶ୍ନବାଚୀ
ହାଟଡିହି (ବିକାଶ ବିଶ୍ବାଳ): କେନ୍ଦୁଝର ଜିଲ୍ଲା ସୀମାନ୍ତ ଝୁଣାବାଡି ଅଞ୍ଚଳରୁ ସୋସୋ ପୋଲିସ ୬ଟି ବେଆଇନ ମୋରମ ବୋଝେଇ ହାଇୱା ଓ ଡମ୍ପରକୁ ଜବଦ କରିବା ପରେ ଜବଦ ଗାଡି ଗୁଡିକୁ ଥାନା ପରିସରକୁ ନଆଣି ଜଣେ ବ୍ୟକ୍ତିଙ୍କ ରାଇସ ମିଲ ଭିତରେ ରଖିବା ଓ ଗାଡ଼ିରେ ଥିବା ମୋରମକୁ ଖାଲି କରିଦେବାକୁ ନେଇ ବିବାଦ ଦେଖାଦେଇଛି। ଏନେଇ ଆଜି ସାମାଜିକ ଗଣ ମାଧ୍ୟମରେ ନାନା ପ୍ରଶ୍ନ ଉଠିଛି। ଯେଉଁଠି ବର୍ଷ ବର୍ଷ ଧରି ଖଣି ବିଭାଗର ପାଦ ପଡେନା ସେ ସ୍ଥାନରୁ ସୋସୋ ପୋଲିସ ଗାଡି ଜବଦ କରିବାକୁ ନେଇ ଅନେକ ବ୍ୟକ୍ତି ପୋଲିସ କୁ ସାଧୁବାଦ ଜଣାଇ ଥିବା ବେଳେ ଜବଦ ଗାଡି ଗୁଡିକୁ ଥାନା ପରିସରକୁ ନଆଣି ସାରଙ୍ଗଧର ରାଇସ ମିଲ ପରିସରରେ ରଖିବା ଓ ମୋରମ ବୋଝେଇ ହୋଇଥିବା ଗାଡ଼ିରୁ ମୋରମ କୁ ଅନଲୋଡ କରି ଖାଲି କରିଦେବା ପୋଲିସ ର କାର୍ଯ୍ୟଦକ୍ଷତା ପ୍ରତି ସନ୍ଦେହ ସୃଷ୍ଟି କରିଛି ବୋଲି ଅଭିଯୋଗ ଉଠିଛି। ଏ ସମ୍ପର୍କରେ ଥାନା ଆଇଆଇସି କହିଛନ୍ତି ଯେ ୬ଟି ଗାଡି ରଖିବାକୁ ଥାନା ପରିସରରେ ସ୍ଥାନଭାବ ଯୋଗୁଁ ବାଧ୍ୟ ହୋଇ ସେଠାରେ ରଖିଛୁ। ସେଠାରେ ସୁରକ୍ଷା କର୍ମୀ ରହୁଥିବାରୁ ସୁରକ୍ଷିତ ପାଇଁ ଉକ୍ତ ସେ ସ୍ଥାନରେ ରଖିଛୁ। ଆଉ ଯେଉଁ ମୋରମ ଖାଲି ହୋଇଛି ତାହା କଣ ପାଇଁ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଜବଦ ଗାଡ଼ିର ମାଲିକ ମାନଙ୍କ ଅନୁରୋଧ କ୍ରମେ କିଛି କିଛି ମୋରମ ଅନଲୋଡ ହୋଇଛି, ବାକି ମୋରମ ସବୁ ଗାଡ଼ିରେ ଅଛି ବୋଲି କହିଛନ୍ତି। ଏନେଇ ମାମଲା ରୁଜ୍ଜୁ କରାଯାଇଛି, ତେଣୁ ସେଥିରେ କୌଣସି ସଲା ସୁତୁରାର ପ୍ରଶ୍ନ ଉଠୁନି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଠାରେ ସୁଚନା ଯୋଗ୍ୟ ଯେ ଗତ ଶୁକ୍ରବାର ରାତିରେ ସୋ ସୋ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଝୁଣାବାଡି ନିକଟରୁ ୬ଟି ବେଆଇନ ମୋରମ ବୋଝେଇ ହାଇୱା ଓ ଡମ୍ପରକୁ ଜବଦ କରିଥିଲେ।