ବିଦ୍ୟାଳୟରେ ନୂତନ ସଭାଗୃହ ଉଦଘାଟିତ
ଛତ୍ରପୁର, (ଓ୍ବାଇଏନଏସ) : ସ୍ଥାନୀୟ ପବ୍ଲିକ ସ୍କୁଲ ପରିସରରେ ଶନିବାର ଦିନ ସ୍ଵର୍ଗତ ଶିବ କୁମାର ପଟ୍ଟନାୟକଙ୍କ ସ୍ମୃତିରେ ଏକ ସଭାଗୃହ ଉଦଘାଟିତ ହୋଇଯାଇଛି। ସ୍ଵର୍ଗତ ଶିବଙ୍କ ଜ୍ୟେଷ୍ଠ ଭାଇ ତଥା ବରିଷ୍ଠ ଶିଳ୍ପପତି ଈଂ ରାମ ଚନ୍ଦ୍ର ପଟ୍ଟନାୟକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଉପସ୍ଥିତି ଏକ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସେ ଏହି ସଭାଗୃହକୁ ସ୍ଵର୍ଗତ ଶିବ ପଟ୍ଟନାୟକଙ୍କ ନାମରେ ଉତ୍ସର୍ଗୀତ କରି ଏହାର ନିର୍ମାଣ କାର୍ଯ୍ୟ ବାବଦରେ ବ୍ୟୟ ହୋଇଥିବା ସମସ୍ତ ଅର୍ଥରାଶି ପ୍ରଦାନ କରିଥିଲେ। ଏହି ଅବସରରେ ସିଏ ଛାତ୍ରୀଛାତ୍ରଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ବିଭିନ୍ନ ଉଦ୍ୟୋଗରେ ଉଚ୍ଚ ପଦବୀରେ କାର୍ଯ୍ୟରତ ଥିବା ବଖାଣିଥିଲେ। ଛାତ୍ରୀମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ଏକ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସମ୍ପାଦକ ତଥା ବରିଷ୍ଠ ସମାଜସେବୀ ପ୍ରଫୁଲ କୁମାର ପଟ୍ଟନାୟକ, ପ୍ରଧାନ ଶିକ୍ଷୟତ୍ରୀ ମମତା ପଣ୍ଡା, ସନ୍ତୋଷ କୁମାର ବିଶୋୟୀ, ଜିତେନ୍ଦ୍ର ବ୍ରହ୍ମା, ଅର୍ଚ୍ଚନାଞ୍ଜଳି ପଣ୍ଡା ଏବଂ ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଇନ୍ଦିରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


