ଗ୍ରୀଷ୍ମର ପ୍ରକୋପରେ ଆସିକା ଅଞ୍ଚଳବାସୀ: ରକ୍ଷା ପାଇବା ପାଇଁ ଖୋଜା ପଡୁଛି ନଡା

ଆସିକା (ୱାଇଏନ୍‍ଏସ୍‍) : ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେଲା ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଗରମ ଓ ଗୁଳୁଗୁଳିରେ ସାଧାରଣ ଜନତା କଲବଲ ଓ ଆଉଟୁ ପାଉଟୁ ହୋଇଗଲେଣି । ଘର ଭିତରେ କିମ୍ବା ବାହାରେ କେଉଁଠି ବି ଗ୍ରୀଷ୍ମର ପ୍ରକୋପରୁ ରକ୍ଷା ମିଳୁନାହିଁ । ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସ୍ୱଚ୍ଛଳ ଓ ଧନୀକ ଶ୍ରେଣୀର ଲୋକେ ନିଜ ଘରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) ଲଗାଉଥିଲା ବେଳେ ତାତିରୁ ରକ୍ଷା ପାଇବା ପାଇଁ ମଧ୍ୟବିତ୍ତ ଶ୍ରେଣୀର ସାଧାରଣ ଜନତା ନିଜ ଘରର ଛାତରେ ନଡା (ଛଣ) ପକାଉଥିବା ଦେଖିବାକୁ ମିଳୁଛି । ଖରା ଦିନରେ ଅସହ୍ୟ ତାତି ଅନୁଭୁତ ହେଉଛି । ଖରା ଦିନରେ ଆଜବେସ୍‍ଟସ୍‍ କିମ୍ବା କୋଠଘରକୁ ଥଣ୍ଡା ରଖିବା ପାଇଁ ନଡାର ବ୍ୟବହାର ହେଉଥିବା ପରିଲକ୍ଷିତ ହେଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର କିଛି ହାତଗଣତି କୃଷିଜୀବି ପରିବାର ନଡା ବିକ୍ରୀ କରୁଥିବା ବେଳେ ବହୁ ବ୍ୟକ୍ତି ତାତିରୁ ରକ୍ଷା ପାଇବା ପାଇଁ ନଡା ବିଡା କ୍ରୟ କରି ଆଣି ନିଜ ଘରର ଛାତ ଉପରେ ପକାଉଥିବା ଜଣାପଡିଛି । ଆଜିକାଲି ଆଉ ଆଗଭଳି ନଡାବିଡା ମିଳୁନି । ଖରାଦିନରେ ନଡାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇଚାଲିଥିବାରୁ ଏହାର ମୂଲ୍ୟ ମଧ୍ୟ ଆଶାତୀତ ଭାବେ ବଢିଚାଲିଛି । ଆଧୁନିକତାର ଛାପରେ ସମୟ ବଦଳିବାରେ ଲାଗିଛି । ଗାଁଠୁ ସହର ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ଜୀବନଶୈଳୀରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି । ଯେଉଁଆଡେ ଚାହିଁବ କେବଳ କୋଠାଘର ଦେଖିବାକୁ ମିଳୁଛି । ଗ୍ରାମାଞ୍ଚଳରେ ଚାଳଛପର ଘର ବିଲୁପ୍ତରେ ଦ୍ୱାରଦେଶରେ ପହଞିସାରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆସିବା ପର ଠାରୁ କୋଠାଘର ସଂଖ୍ୟା ବିଶେଷ ଭାବେ ବୃଦ୍ଧି ପାଇଚାଲିଛି । ଚାଳଘର ନଥିବାରୁ ନଡା (ଛଣ)ର ଆବଶ୍ୟକତା ମଧ୍ୟ ଦୂରେଇଯାଇଛି । କେବଳ ପୂଜାପାର୍ବଣ ସମୟରେ ଦେବାଦେବୀଙ୍କ ପ୍ରତିମୂର୍ତ୍ତୀ ଗଢିବା ପାଇଁ ନଡାର ଆବଶ୍ୟକତା ପଡିଥାଏ । କିନ୍ତୁ ଗାଈଗୋରୁଙ୍କ ଖାଦ୍ୟ ହିସାବରେ ରୀତମତ ନଡାରୁ ପ୍ରସ୍ତୁତ ପାଳକୁ ବ୍ୟବହାର କରାଯାଇଥାଏ । ଅତୀତରେ ଦାରେ ଧାନ କଟାଯାଇ ନଡା ପ୍ରସ୍ତୁତ କରାଯାଉଥିଲା । ତେବେ ଯନ୍ତ୍ରାଂଶର ବହୁଳ ବ୍ୟବାହର ଯୋଗୁଁ ମେସିନ୍‍ ସହାୟତାରେ ଧାନକାଟି କ୍ଷେତରେ ହିଁ ଅମଳ କରାଯାଉଛି । ମେସିନ୍‍ ଦ୍ୱାରା ମନ୍ଥା ଯାଉଥିବାରୁ କେବଳ ସେଥିରୁ କୁଟା ବାହାରୁଥିବା ଦେଖିବାକୁ ମିଳୁଛି । ଯଦି କେଉଁ କୃଷିଜୀବି ପରିବାରଙ୍କ ନଡାର ଆବଶ୍ୟକତା ପଡେ ତେବେ ସେମାନେ ସୀମିତ ନଡା ପ୍ରସ୍ତୁତ କରିଥାନ୍ତି । ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ଯୋଗୁଁ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ମଧ୍ୟବିତ୍ତ ଓ ଗରୀବ ଶ୍ରେଣୀର ସାଧାରଣ ଜନତା ନିଜ ଘରକୁ ଥଣ୍ଡା ରଖିବା ପାଇଁ ନଡାର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ