ଆର୍ବନ ବ୍ୟାଙ୍କ ରୋଡ୍ ମୁଖ୍ୟରାସ୍ତା ପାଶ୍ୱର୍ରୁ ହଟାଗଲା ନଦୀବାଲି
ଆସିକା (ୱାଇଏନ୍ଏସ୍): ଆସିକା ପୌର ପରିଷଦ କାର୍ଯ୍ୟାଳୟ ଅଧୀନସ୍ଥ ୧୮ଟି ୱାର୍ଡର ଅଧିକାଂଶ ସାହିବସ୍ତିର ମୁଖ୍ୟରାସ୍ତା ପାଶ୍ୱର୍ରେ କୁଢ କୁଢ ଗୃହନିର୍ମାଣ ସାମଗ୍ରୀ ପଡିରହୁଥିଲା ବେଳେ ସେଗୁଡିକୁ ପୂର୍ଣ୍ଣ ମାତ୍ରାରେ ହଟାଇବା ଦିଗରେ ସେଭଳି କୌଣସି ସୁଚିନ୍ତିତ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଶୈଳୀ ପ୍ରତି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ଅପର ପକ୍ଷରେ ଆସିକା ସହରର ୧୫ ନମ୍ବର ୱାର୍ଡର ଆର୍ବନ ବ୍ୟାଙ୍କ ରୋଡର ମୁଖ୍ୟରାସ୍ତା ପାଶ୍ୱର୍ରେ ବ୍ୟକ୍ତିଗତ ଭାବେ ଘର ତିଆରି କରିବା ପାଇଁ ଆଣି ଅବ୍ୟବହୃତ ହୋଇ ପଡିରହିଥିବା ନଦୀବାଲିକୁ ମଙ୍ଗଳବାର ଅପରାହ୍ନରେ ପୌର ପରିଷଦର ପରିମଳ କାର୍ଯ୍ୟରେ ବ୍ୟବହୃତ ଯାନ ଜରିଆରେ କେତେଜଣ ହାତଗଣତି ସଫେଇ କର୍ମଚାରୀଙ୍କୁ ବ୍ୟବହାର କରାଯାଇ ହଟାଯାଇଥିବା ଦେଖିବାକୁ ମିଳୁଛି । ଆସିକା ପୌର ପରିଷଦ କର୍ତ୍ତୃପକ୍ଷ ଆର୍ବନ ବ୍ୟାଙ୍କ ରୋଡ ମୁଖ୍ୟରାସ୍ତା ପାଶ୍ୱର୍ରେ କିଏ ନଦୀବାଲି ପକାଇ ରାସ୍ତା ଅବରୋଧ କରିଛି ସେ ସଂକ୍ରାନ୍ତରେ ପ୍ରଥମେ ଯାଞ୍ଚ କରି ଗୃହକର୍ତ୍ତାଙ୍କୁ ନୋଟିସ୍ ଦେବା ପରିବର୍ତ୍ତେ ଅତି ତରବରିଆ ଭାବେ ରାସ୍ତା ପାଶ୍ୱର୍ରୁ ନଦୀବାଲି ଉଠାଇ ଅନ୍ୟତ୍ର ନେବା ଘଟଣାକୁ ନେଇ ସାଧାରଣରେ ନାନା କଥା ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ଆସିକା ସହରର ରାସ୍ତାଘାଟକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ଲକ୍ଷ୍ୟରେ ଯଦି ପୌର ପରିଷଦ ପକ୍ଷରୁ ୧୫ ନମ୍ବର ୱାର୍ଡର ଆର୍ବନ ବ୍ୟାଙ୍କ ରୋଡ ମୁଖ୍ୟରାସ୍ତା ପାଶ୍ୱର୍ରେ ପଡିରହିଥିବା ନଦୀବାଲିକୁ ପରିମଳ କାର୍ଯ୍ୟରେ ନିୟୋଜିତ ଯାନରେ କେତେକ ସଫେଇ କର୍ମଚାରୀମାନଙ୍କ ଜରିଆରେ ଉଠାଗଲା ତାହା ନିଶ୍ଚିତ ଭାବେ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କେତେକ ମହଲରେ ଆଲୋଚିତ ହେଉଥିଲା ବେଳେ ସେହି ନୀତିନିୟମକୁ ଆଧାର କରି ଅନ୍ୟ କେତେକ ସାହିବସ୍ତିରେ ଜମାଟ ବାନ୍ଧି ପଡିରହିଥିବା ଗୃହନିର୍ମାଣ ସାମଗ୍ରୀର ଭଗ୍ନାବଶେଷକୁ ନ ଉଠାଇବା ଅନ୍ତରାଳରେ କି ରହସ୍ୟ ରହିଛି ତାହାର ଏକ ତଦନ୍ତ କଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସଚେତନ ନାଗରିକ ମହଲରେ ଆଲୋଚନା ଜୋର୍ ଧରିଥିବା ଲକ୍ଷ୍ୟ କରାଯାଉଛି । ରାଜ୍ୟ ସରକାର ଖର୍ଚ୍ଚ କାଟ ପାଇଁ ବହୁବିଧ ପଦକ୍ଷେପ ନେଉଥିଲା ବେଳେ ବ୍ୟକ୍ତିଗତ ଗୃହ ନିର୍ମାଣ କାର୍ଯ୍ୟରେ ଆଣି ଅବ୍ୟବହୃତ ହୋଇ ଆର୍ବନ ବ୍ୟାଙ୍କ ରୋଡ ମୁଖ୍ୟରାସ୍ତା ପାଶ୍ୱର୍ରେ ପଡିରହିଥିବା ନଦୀବାଲିକୁ ଗୃହକର୍ତ୍ତାଙ୍କୁ ଆସିକା ପୌର ପରିଷଦ କର୍ତ୍ତୃପକ୍ଷ ନୋଟିସ୍ଟିଏ ଦେଇ ନିଜସ୍ୱ ଉଦ୍ୟମରେ ହଟାଇବା ଲାଗି ପରାମର୍ଶ ଦେବା ପରିବର୍ତ୍ତେ ପରିମଳ କାର୍ଯ୍ୟରେ ନିୟୋଜିିତ ଯାନର ତେଲଖର୍ଚ୍ଚ କରିବା ସହ କେତେକ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରି ନଦୀବାଲି ଉଠାଇବା ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସଂପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଅତୀତରେ ଆସିକା ଅଞ୍ଚଳର ଜନୈକ ପ୍ରତିଷ୍ଠିତ ନଡିଆ ବ୍ୟବସାୟୀଙ୍କ ପାଖରେ ମାସିକ ଦରମା ଆକାରରେ ଦିନ ମଜୁରିଆ ଭାବେ କାମ କରି ପରବର୍ତ୍ତୀ ସମୟରେ ଉକ୍ତ ଜଣାଶୁଣା ପ୍ରତିଷ୍ଠିତ ନଡିଆ ବ୍ୟବସାୟୀଙ୍କ ସରଳତାର ସୁଯୋଗ ନେଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରି ସେଠାରୁ ତଣ୍ଟିଆ ମାଡ ଖାଇ ବାହାରି ପରବର୍ତ୍ତି ସମୟରେ କୁଜିନେତା ସାଜି ନାନା ପ୍ରକାର ବେନିୟମ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବହୁବିଧ ଦୁର୍ନିତୀର ଅତିଶୀଘ୍ର ଫଦ୍ଦାଫାସ କରିବା ପାଇଁ ଗୋଟିଏ ବଡ ଗୋଷ୍ଠୀ ସଜବାଜ ହେଉଥିବା ନେଇ କେତେକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।


