ସାହିତ୍ୟ ସଂସଦର ସାରସ୍ୱତ ସମାରୋହ
ବନ୍ତ(ଚାନ୍ଦିନୀ ମହାନ୍ତି) : ଚିନ୍ତା ଚେତନା ସାହିତ୍ୟ ସଂସଦର ସାମ୍ବତ୍ସରିକ ସାରସ୍ୱତ ସମାରୋହ ବନ୍ତ ବ୍ଲକ ଆଗରପଡାସ୍ଥିତ ଜିଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଦ୍ରକରେ ପାଳିତ ହୋଇଯାଇଛି । ସଂସଦର ସଭାପତି କବି ବାଞ୍ଚାନିଧି ରାଉଳଙ୍କ ପୌରହିତ୍ୟରେ ଉଦ୍ଘାଟକ ଭାବେ ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ୍ତ ଯୋଗଦେଇ ସାହିତ୍ୟ ବିନା ସମାଜ ଗଠନ ଅସମ୍ଭବ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର କାର୍ତ୍ତିକ ଚନ୍ଦ୍ର ରାଉଳ ଯୋଗ ଦେଇ ବର୍ତ୍ତମାନ ସମୟରେ ସାହିତ୍ୟ ପ୍ରତି ଅଧିକ ପାଠକ ସୃଷ୍ଟି କରି ପ୍ରଚାର ପ୍ରସାର ଦିଗରେ ସାହିତ୍ୟାନୁଷ୍ଠାନ ଗୁଡିକ ଆଗଭର ହୋଇ କାର୍ଯ୍ୟ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରହୀ ଯୋଗ ଦେଇ ସାହିତ୍ୟ କିପରି ଲୋକାଭିମୁଖୀ ତଥା ପ୍ରାଚୀନ ସାହିତ୍ୟର ପୁନରାବୃତ୍ତି ଘଟାଇ ଆଗାମୀ ପିଢୀଙ୍କୁ ସାହିତ୍ୟ ପ୍ରତି ଅଧିକ ଆକର୍ଷିତ କରିବା ନେଇ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରଭାସ ଚନ୍ଦ୍ର ମହାପାତ୍ର, କବି ଦାସରଥୀ ଜେନା ପ୍ରମୁଖ ସଂସଦର କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସଂସଦର ମୁଖପତ୍ର ‘ଚେତନା’ କୁ ଅତିଥି ମାନେ ଉନ୍ମୋଚନ କରିଥିବା ବେଳେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ କବି ଚର୍ତୁଭୂଜ ପହି, ଭରତ ଚନ୍ଦ୍ର ବେହେରା, ସାହିତ୍ୟିକ କୃଷ୍ଣ ଚନ୍ଦ୍ର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସମ୍ପାଦକ ପ୍ରଣୟ ସିଂହ ଅତିଥି ପରିଚୟ, କୃଷ୍ଣ ଚନ୍ଦ୍ର ଜେନା ପ୍ରାକ୍ କଥନ ଓ ଶେଷରେ ଚିତ୍ତରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଅଧିବେଶନରେ ସାହିତ୍ୟିକ ଦାସରଥୀ ଜେନା ଓ ତପନ କୁମାର ସାହୁଙ୍କ ସଂଯୋଜନାରେ ସ୍ୱରଚିତ କବିତାପାଠ କରାଯାଇଥିଲା । ଏଥିରେ କବି ବାଙ୍କ ବିହାରୀ ସାହୁ, କୃପାସିନ୍ଧୁ ମୁଦୁଲି, ମାନସ ଭୂୟାଁ, କୁଞ୍ଜ ବିହାରୀ ବିଶ୍ୱାଳ, କାର୍ତ୍ତିକ ଚନ୍ଦ୍ର ପଣ୍ଡା ଭାଗ ନେଇଥିଲେ । ସକାଳେ ଛାତ୍ରଛାତ୍ରୀ ମଧ୍ୟରେ ଶୁଦ୍ଧ ଓଡିଆ ଲିଖନୀ ଓ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।