ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ପାଇଲେ ଡାକବିଭାଗର ସିମାଞ୍ଚଳ

ଆସିକା  (ୱାଇଏନ୍‍ଏସ୍‍): ଆସିକା ଡାକମଣ୍ଡଳରେ କାର୍ଯ୍ୟରତ ଯୁବ ଲେଖକ ତଥା ଆମ କଳା ଆମ ସଂସ୍କୃତି ସମ୍ମାନପ୍ରାପ୍ତ କାହାଣୀକାର ସିମାଞ୍ଚଳ ମହାରଣାଙ୍କୁ ଅନ୍ତର୍ଜାତୀୟ ଶ୍ରେଷ୍ଠ ଚଳଚ୍ଚିତ୍ର ସଂଳାପକାର ପୁରସ୍କାର ପ୍ରଦାନ କରାଯାଇଥିବା ଜଣାପଡିଛି । ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଆସିକା ଡାକବିଭାଗର କର୍ମଚାରୀ ସଂଳାପକାର ସିମାଞ୍ଚଳ ମହାରଣା ସମ୍ମାନିତ ହେବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଔରଙ୍ଗାବାଦ୍‍ର ମୌଲନା ଅବ୍‍ଦୁଲ୍‍ କାଲାମ୍‍ ଆଜାଦ୍‍ ରିସର୍ଚ୍ଚ ସେଣ୍ଟର ପରିସରରେ ଆୟୋଜିତ ହୋଇଯାଇଥିବା ରିଲ୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ପୁରସ୍କାର ପ୍ରଦାନ ସମାରୋହରେ ଶ୍ରେଷ୍ଠ ସଂଳାପକାର ତଥା କାହାଣୀକାର ବର୍ଗରେ ଆସିକା ଡାକବିଭାଗର କର୍ମଚାରୀ ସିମାଞ୍ଚଳ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି । ମିସ୍‍ ଏସିଆ ୱାର୍ଲଡ ବିଜୟିନୀ ମୋଡେଲ୍‍ ନିତୁ କୋଇରାଲା ଓ ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ରୁନା ଲେଲା ଏହି ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାହାଣୀକାର ସିମାଞ୍ଚଳ ମହାରଣାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଡିକେ ଫିଲ୍ମସ୍‍ ବ୍ୟାନରରେ ନିର୍ମିତ ଓ ଅନ୍ତର୍ଜତୀୟ ଖ୍ୟାତିସଂପନ୍ନ ନିର୍ଦ୍ଦେଶକ କ୍ରିଷ୍ଣା ଡିକେଙ୍କ ଦ୍ୱାରା ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ଅଦମ୍ୟର କାହାଣୀ ଓ ସଂଳାପ ପ୍ରସ୍ତୁତ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ଆସିକା ଡାକବିଭାଗର କର୍ମଚାରୀ ସିମାଞ୍ଚଳ ମହାରଣା ସମ୍ବର୍ଦ୍ଧିତ ହୋଇଥିବା ଜଣାପଡିଛି । ଏହା ବ୍ୟତିତ ଚଳଚ୍ଚିତ୍ର ଅଦମ୍ୟ ପାଇଁ ନିର୍ଦ୍ଦେଶକ କ୍ରିଷ୍ଣା ଡିକେଙ୍କୁ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ବର୍ଗରେ ଏବଂ ବିବେକ କୁମାର ଡାକୁଆଙ୍କୁ ଶ୍ରେଷ୍ଠ ଅଭିନେତା ବର୍ଗରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଲୋକକଳା ଉପରେ ଚଳଚ୍ଚିତ୍ରର କାହାଣୀ ପ୍ରସ୍ତୁତ ହୋଇଥିଲା ବେଳେ ଏହା ଅତ୍ୟନ୍ତ ଉଚ୍ଚକୋଟୀର ହେବା ସାଙ୍ଗକୁ ଦର୍ଶକଙ୍କ ମନ ମୋହିଥିବା ଜଣାପଡିଛି । ଏହି ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ମହୋତ୍ସବରେ ଭାରତ ସମେତ ଆମେରିକା, ଫ୍ରାନ୍ସ, ଋଷ୍‍, ବ୍ରାଜିଲ୍‍, ଜର୍ମାନୀ, ଇଟାଲୀ, ଅଷ୍ଟ୍ରେଲିଆ, ଇଂଲଣ୍ଡ, କାନାଡା, ଶ୍ରୀଲଙ୍କା, ତୁର୍କୀ, ଗ୍ରୀସ୍‍, ଦକ୍ଷିଣ କୋରିଆ, ସ୍ପେନ୍‍, ନେଦରଲ୍ୟାଣ୍ଡ, ୟୁକ୍ରେନ୍‍, ଇସ୍ରାଏଲ୍‍, ଲେବେନନ୍‍, ଇଜିପ୍ଟ, ସର୍ବିଆ, ଫିଲିଫାଇନ୍ସ, ସିଙ୍ଗାପୁର, ରୋମାନିଆ, ମିଣ୍ଟିନିଗ୍ରୋ, ଆୟରଲ୍ୟାଣ୍ଡ, ପାଲେଷ୍ଟାଇନ୍‍, ଓମାନ୍‍, ମସ୍କୋ, ୟୁଏଇ ଭଳି ବିଶ୍ୱର ପ୍ରମୁଖ ୬୫ଟି ଦେଶରୁ ପ୍ରାୟ ୧୫୦୦ ରୁ ଉର୍ଦ୍ଧ୍ୱ ସିନେମା ଭାଗ ନେଇଥିଲା ବେଳେ ଏହି ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀରେ ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ତଥା ଏଡିଟର୍‍ ରୁନା ଲେଲା, ଫ୍ରାନ୍ସ ଅଭିନେତ୍ରୀ ଆଦ୍ରି କ୍ୟୋତୁରି, ଇଜିପ୍ଟ ଫିଲ୍ମ ନିର୍ଦ୍ଦେଶକ ମହମ୍ମୁଦ୍‍-ମହମ୍ମୁଦ୍‍, ପର୍ତ୍ତୁଗାଲ୍‍ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ କାଲ୍ସ କୋଏଲୋକୋଷ୍ଟା, ଫିଲିଫାଇନ୍ସ ଅଭିନେତା ଗୋରା ଲଡବ୍‍ଜୁମାୱାନ୍‍ ପ୍ରମୁଖ ରହିଥିଲେ । ଅତିତରେ ଆସିକା ଥାନା ଭାରତର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ପାଇବା ପରେ ସେହି ସଫଳତାର କଥାବସ୍ତୁକୁ ଆଧାର କରି ନିର୍ମିତ ଚଳଚ୍ଚିତ୍ର ଅଦ୍ୱିତୀୟ ପାଇଁ କାହାଣୀକାର ସିମାଞ୍ଚଳ ମହାରଣାଙ୍କୁ ଅତୀତରେ ଆଫ୍ରିକା ମହାଦେଶ ତଥା ଭାରତର ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରୁ ୪ଟି ଅନ୍ତର୍ଜାତୀୟ ଶ୍ରେଷ୍ଠ ଚଳଚ୍ଚିତ୍ର ତଥା ସଂଳାପକାର ପୁରସ୍କାର ମିଳିଥିଲା । ସାଂପ୍ରତିକ ପରିସ୍ଥିତିରେ ଆସିକା ଡାକବିଭାଗ କର୍ମଚାରୀ ସିମାଞ୍ଚଳ ମହାରଣା ପୁଣି ନିଜର ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ପାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ