ନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ୍‌ ୨୦୨୬ରେ ଶୁଭସ୍ମିତାଙ୍କ କୃତିତ୍ୱ

ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଦେବୀନଗର ସାହି ର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ୍‌ ୨୦୨୬ରେ ସ୍ଥାନ ହାସଲ କରିଛନ୍ତି। ରଥଯାତ୍ରା ଅବସରରେ ମାତ୍ର ୪୫ ମିନିଟ୍‌ରେ ମହମରେ ୧୫ ଇଞ୍ଚ ଉଚ୍ଚତାର ପ୍ରଭୁ ଜଗନ୍ନାଥଙ୍କ ପ୍ରତିକୃତି ନିର୍ମାଣ କରି ସେ ଏହି ସଫଳତା ଅର୍ଜନ କରିଛନ୍ତି। ତାଙ୍କର ଏହି କୃତିତ୍ୱ ଛତ୍ରପୁର ତଥା ସମଗ୍ର ଗଞ୍ଜାମ ଜିଲ୍ଲା ପାଇଁ ଗୌରବର ବିଷୟ ପାଲଟିଛି। ଶୁଭସ୍ମିତା ବ୍ରହ୍ମପୁରସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ଶେଷ ବର୍ଷର ଛାତ୍ରୀ। ପାଠପଢ଼ା ସହିତ ଚିତ୍ରକଳା ଓ ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ନିଜର ପ୍ରତିଭା ପ୍ରଦର୍ଶନ କରିଆସୁଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ କଳା ପ୍ରତି ଗଭୀର ଆଗ୍ରହରୁ ସେ ଏହି ନିଆରା ପ୍ରତିକୃତି ନିର୍ମାଣ କରିଥିଲେ। ନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ୍‌ ପକ୍ଷରୁ ଅନୁମୋଦନ ମିଳିବା ପରେ ପରିବାର, ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଚିତ୍ରକଳା କ୍ଷେତ୍ରରେ ମଧ୍ୟ ଶୁଭସ୍ମିତାଙ୍କ ସଫଳତା ଉଲ୍ଲେଖନୀୟ। ସେ ଜାତୀୟ ସ୍ତରରେ ୩ଟି ସ୍ୱର୍ଣ୍ଣ ପଦକ ଏବଂ ଆନ୍ତର୍ଜାତୀୟ ସ୍ତରରେ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହ ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ୩ଟି ଇଂରାଜୀ ପୁସ୍ତକର ଲେଖିକା। ଉଲ୍ଲେଖଯୋଗ୍ୟ, ଶୁଭସ୍ମିତା ମାତ୍ର ୧୧ ସପ୍ତାହ ମଧ୍ୟରେ ୨ଟି ଇଂରାଜୀ ପୁସ୍ତକ ପ୍ରକାଶ କରି ୨୦୨୫ ମସିହାରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ମଧ୍ୟ ସ୍ଥାନ ହାସଲ କରିଥିଲେ। ଏହି ସଫଳତା ତାଙ୍କ ସାହିତ୍ୟିକ ପ୍ରତିଭାର ପରିଚୟ ଦେଇଥିଲା। ଶୁଭସ୍ମିତାଙ୍କ ପିତା ସୁରେନ୍ଦ୍ର କୁମାର ପଣ୍ଡା ଜଣେ ଆଇନଜୀବୀ ଏବଂ ମାତା ମମତା ରାଣୀ ପଣ୍ଡା ଜଣେ ଗୃହିଣୀ। ପରିବାରର ସମର୍ଥନ ଓ ପ୍ରେରଣା ତାଙ୍କୁ ନିଜ ପ୍ରତିଭା ବିକଶିତ କରିବାରେ ସହାୟକ ହୋଇଛି। ଏହି ସଫଳତା ପାଇଁ ସେ ପରିବାର, ଗୁରୁଜନ ଓ ସମସ୍ତ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶୁଭସ୍ମିତାଙ୍କ ଏହି କୃତିତ୍ୱ ଛତ୍ରପୁର ଓ ଗଞ୍ଜାମ ଜିଲ୍ଲା ପାଇଁ ଗର୍ବର ବିଷୟ ହେବା ସହ ଯୁବପିଢ଼ିଙ୍କୁ କଳା, ସାହିତ୍ୟ ଓ ସୃଜନଶୀଳତା କ୍ଷେତ୍ରରେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ