ଅଷ୍ଟମ ବାଟାଲିୟନ ପରିସରରେ ପକ୍ଷୀଙ୍କ ପାଇଁ କୃତ୍ରିମ ବସା ସ୍ଥାପନ
ଛତ୍ରପୁର, (ଓ୍ବାଇଏନଏସ): ଓଏସଏପି ଅଷ୍ଟମ ବାଟାଲିୟନ ପରିସରରେ ଦୁର୍ଗପତି ଶାରଦା ପ୍ରସାଦ ଦାସଙ୍କ ପୌରୋହିତ୍ୟ ଓ ମାର୍ଗଦର୍ଶନରେ ପକ୍ଷୀମାନଙ୍କ ପାଇଁ କୃତ୍ରିମ ବସା ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ପକ୍ଷୀମାନଙ୍କ ସୁରକ୍ଷା, ପ୍ରାକୃତିକ ପରିବେଶର ସଂରକ୍ଷଣ ଏବଂ ଜୈବ ବିବିଧତାର ବିକାଶ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବାଟାଲିୟନ ପରିସରରେ ଥିବା ବିଭିନ୍ନ ଗଛ ଓ ନିରାପଦ ସ୍ଥାନରେ ପକ୍ଷୀମାନଙ୍କ ପାଇଁ କୃତ୍ରିମ ବସା ସ୍ଥାପନ କରାଯାଇ ସେମାନଙ୍କୁ ନିରାପଦ ଆଶ୍ରୟ ଯୋଗାଇଦେବା ସହ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବାଟାଲିୟନ ପରିସରର ବିଭିନ୍ନ ସ୍ଥାନରେ ମୋଟ ୨୦ଟି କୃତ୍ରିମ ପକ୍ଷୀ ବସା ସ୍ଥାପନ କରାଯାଇଛି। ଆଗାମୀ ପର୍ଯ୍ୟାୟରେ ଆଉ ୧୦୦ଟି ପକ୍ଷୀ ବସା ସ୍ଥାପନ କରାଯିବ। ଏହାସହ ବାଟାଲିୟନ ପରିସରକୁ ଅଧିକରୁ ଅଧିକ ପକ୍ଷୀଙ୍କ ଆଗମନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଅବସରରେ ଦୁର୍ଗପତି ଶାରଦା ପ୍ରସାଦ ଦାସ ଓ ପରିବେଶବିତ୍ ରବୀନ୍ଦ୍ର ସାହୁ ପ୍ରକୃତି ଓ ମଣିଷ ମଧ୍ୟରେ ସହାବସ୍ଥାନର ଅପରିହାର୍ଯ୍ୟତା ଉପରେ ଆଲୋକପାତ କରିଥିଲେ। ଏଥିସହ ସ୍ଥାପିତ ବସାଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ସମସ୍ତ ପଦାଧିକାରୀ ଓ ଯବାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଉପ-ଦୁର୍ଗପତି ଯଶୋବନ୍ତ ସେଠୀ, ସହକାରୀ ଦୁର୍ଗପତି ପି. ମୁଣ୍ଡା, ନିରୀକ୍ଷକ ଏସ୍.ଜେ. ରେଡ୍ଡୀ, ନିରୀକ୍ଷକ ଏସ୍. ମଙ୍ଗରାଜ, ନିରୀକ୍ଷକ ପି. ଦଣ୍ଡପାଠ, ନିରୀକ୍ଷକ ଗିରୀଶ ଚନ୍ଦ୍ର ମାଝୀ, ନିରୀକ୍ଷକ ତ୍ରିନାଥ ବେହେରାଙ୍କ ସମେତ ଅଷ୍ଟମ ବାଟାଲିୟନର ସମସ୍ତ ଯବାନ ଉପସ୍ଥିତ ରହି ସହଯୋଗ କରିଥିଲେ।


