ଦେବଭୂମୀ ପଞ୍ଚାୟତ ପକ୍ଷରୁ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୫-୨୬ ଶିକ୍ଷାବର୍ଷରେ ଅନୁଷ୍ଠିତ ହୋଇଥିବା ମାଟ୍ରିକ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଦେବଭୂମୀ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବିଭିନ୍ନ ଅଞ୍ଚଳର ୫ ଜଣ ଶ୍ରେଷ୍ଠ କୃତୀ ବିଦ୍ୟାର୍ଥୀମାନଙ୍କୁ ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚାରା, ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସାଙ୍ଗକୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରାଯାଇଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ଦେବଭୂମୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ଏହି କୃତୀ ବିଦ୍ୟାର୍ଥୀଙ୍କ ପ୍ରତିଭା ସମ୍ମାନ, ଅଭିନନ୍ଦନ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ବତନ ସମିତି ସଭ୍ୟ ତଥା ସମାଜସେବୀ ସନ୍ତୋଷ କୁମାର ନାୟକ, ଦେବଭୂମୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଅଶାନ୍ତି ବେହେରା, ସମିତିସଭ୍ୟା ଲକ୍ଷ୍ମୀ ବେହେରା, ଦେବଭୂମୀ ଗ୍ରାମର ପିଏମ୍ଶ୍ରୀ ନୋଡାଲ୍ ହାଇସ୍କୁଲର ପ୍ରଧାନଶିକ୍ଷକ ଲବ ସେଠୀ ଓ ସ୍କୁଲ ସଭାପତି ଉପେନ୍ଦ୍ରନାଥ ମୁନି, ପୂର୍ବତନ ସ୍କୁଲ ସଭାପତି ପଞ୍ଚାନନ ସାହୁ, ସମାଜସେବୀ ଗୌରହରି ବେହେରା ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନେ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅବିରତ ପ୍ରୟାସ, କଠିନ ପରିଶ୍ରମ, ଉଚ୍ଚକୋଟୀର ଚିନ୍ତାଧାରାକୁ ପାଥେୟ କରି ଦୃଢତାର ସହ ଆଗକୁ ଅଗ୍ରସର ହେବାକୁ ପରାମର୍ଶ ଦେବା ସହ କୃତି ବିଦ୍ୟାର୍ଥୀମାନେ ନିଜର ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଭଲ ପାଠ ପଢି ସୁନାଗରିକ ହୋଇ ନିଜ ପିତାମାତା, ଗୁରୁଜନ ଓ ଶିକ୍ଷାନୁଷ୍ଠାନର ଟେକକୁ ଅକ୍ଷୁର୍ଣ୍ଣ ରଖିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଦେବଭୂମୀ ଗ୍ରାମ ପଞ୍ଚାୟତକ ଅଧୀନସ୍ଥ ଅଞ୍ଚଳରେ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ବିଦ୍ୟାର୍ଥୀ ସୁମିତ୍ରା ବେହେରା, ପାୟଲ୍ ଗୌଡ, ନୃସିଂହ ନାୟକ, ପ୍ରିତୀ ନାହାକ, ତୃପ୍ତିରାଣୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ଅଭିଭାବକ, ବୁଦ୍ଧିଜିବୀ, ସଚେତନ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତି, ଅଭିଭାବକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଦେବଭୂମୀ ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ତଥା ଅଞ୍ଚଳବାସୀଙ୍କ ସୁଖଦୁଃଖର ବନ୍ଧୁ ସନ୍ତୋଷ କୁମାର ନାୟକଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଫଳରେ ଅନୁଷ୍ଠିତ ହୋଇଥିବା ଏହି ମେଧା ସମ୍ମାନ କାର୍ଯ୍ୟକ୍ରମ ମେଧାବୀ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧିରେ ବିଶେଷ ସହାୟକ ହୋଇପାରିବ ବୋଲି ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।


