ଠାକୁରାଣୀ ଯାତ୍ରା ; ବାସୁଦେବପୁର ଗାଁ ଉତ୍ସବ ମୁଖର
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ମା ‘ ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ନିମନ୍ତେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗାଁ ଉତ୍ସବ ମୁଖର ହୋଇଉଠିଛି। ୭ ବର୍ଷ ପରେ ଏହି ଯାତ୍ରା ଆୟୋଜନ କରାଯାଇଥିବା ରୁ ଉତ୍ସାହିତ ହୋଇଛନ୍ତି ଗ୍ରାମବାସୀ।ଯାତ୍ରା ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ବହୁ ସଂଖ୍ୟକ ଗ୍ରାମବାସୀ ସପରିବାର ସହ ଗାଁ ରେ ପହଞ୍ଚିଛନ୍ତି। ପ୍ରତ୍ୟେକ ଘରକୁ ବନ୍ଧୁ ବାନ୍ଧବ ଆସିଥିବାରୁ ଘରେ ଘରେ ପିଠା ପଣା ର ଆସର ଜମିଛି। ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ବୈଶାଖ ଶୁକ୍ଳ ଦ୍ଵାଦଶୀ ତିଥି ଶୁକ୍ରବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି । ମୁଖ୍ୟ ପୁରୋହିତଙ୍କ ପୂଜାର୍ଚ୍ଚନା ପରେ ମନ୍ଦିର ସେବାୟତ , ଯାତ୍ରା ପରିଚାଳନା କମିଟି ଉପଦେଷ୍ଟା ଦିବ୍ୟସିଂହ ରେଡ୍ଡୀ, ସଭାପତି ଏମ୍. ନରସିଂହ , ସମ୍ପାଦକ ପି.ଗଣେଶ,କୋଷାଧ୍ୟକ୍ଷ ବାବୁ ମହାରଣା, କାର୍ଯ୍ୟକର୍ତ୍ତା ଏମ . କ୍ରିଷ୍ଣାମା , ଏମ. ପୂର୍ଣ୍ଣଚନ୍ଦ୍ର , ଏମ.ମାଧବ, କେ . ସାହେବ , ବି . ଅସନ୍ତୁଲୁ , ସ୍ଥାନୀୟ ସରପଞ୍ଚ ଏମ. ଶ୍ଯାମଘନ, ସରପଞ୍ଚ ପ୍ରତିନିଧି ଏମ. ସନ୍ତୋଷ ଙ୍କ ସମେତ ସମସ୍ତ କମିଟି ସଦସ୍ୟ ବୃନ୍ଦ , ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତି ରେ ରୀତିନୀତି ଅନୁସାରେ ମନ୍ତ୍ର ପାଠ ସହ ପୂଜାର୍ଚ୍ଚନା କରାଯାଇ ମା’ ଙ୍କୁ ଅସ୍ଥାୟୀ ଯାତ୍ରା ପୀଠ କୁ ଆବାହନ କରାଯାଇଥିଲା । ମା’ ଙ୍କ ମସ୍ତକ ରୁ ଫୁଲମଣ୍ଡା ପଡ଼ିବା ପରେ ଆଜ୍ଞା ମାଳକୁ ଏକ ଚାଙ୍ଗୁଡିରେ ଧରି ବିରାଟ ଶୋଭାଯାତ୍ରାରେ ଅସ୍ଥାୟୀ ଯାତ୍ରା ପୀଠରେ ପହଞ୍ଚିଥିଲ।ଶନିବାର ଠାରୁ ଗ୍ରାମର ବଡ଼ଦାଣ୍ଡରେ ଝାଟି ମାଟିରେ ନିର୍ମିତ ହୋଇଥିବା ଅସ୍ଥାୟୀ ଯାତ୍ରା ପୀଠ ରେ ମା ‘ ପୂଜା ପାଉଛନ୍ତି। ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ମା’ ଙ୍କ ଘଟ ଗ୍ରାମ ପରିକ୍ରମା ବେଳେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଏଥିସହ ଯାତ୍ରା ପୀଠ ରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସମଗ୍ର ଗାଁ ଆଲୋକ ମାଳା ରେ ଝଲସି ଉଠୁଛି। ମିନାବଜାର,ରାମ ଦୋଳି,ବିଭିନ୍ନ ଖାଦ୍ୟ ପସରା ରେ ବିଳମ୍ବିତ ସନ୍ଧ୍ୟା ଯାଏଁ ଭିଡ଼ ଲାଗି ରହୁଛି।୧୧ ଦିନ ବ୍ୟାପୀ ଏହି ଯାତ୍ରା ମହୋତ୍ସବ ଆସନ୍ତା ୧୯ ତାରିଖ ଭୋର ରେ ଉଦଯାପିତ ହେବ ବୋଲି ଯାତ୍ରା ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।