୩ ବର୍ଷ ହେଲା ଅବ୍ୟବହୃତ ହୋଇ ପଡିରହିଛି ବ୍ଲକ ସ୍ତରୀୟ ପାଠାଗାର
ହାଟଡିହି (ଓ୍ବାଇଏନଏସ) : ହାଟଡିହି ବ୍ଳକ୍ ର ମଠଡାହି ଠାରେ ନବ ନିର୍ମିତ ବ୍ଲକ ସ୍ତରୀୟ ପାଠାଗାର ନିର୍ମାଣ ହେବାର ୩ ବର୍ଷ ବିତି ଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀ ତଥା ଯୁବପିଢ଼ିଙ୍କ ଉଚ୍ଚଶିକ୍ଷା ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ବ୍ଲକ୍ସ୍ତରୀୟ ପାଠାଗାର ପ୍ରଶାସନିକ ଉଦାସୀନତା ଯୋଗୁଁ ଅବ୍ୟବହୃତ ହୋଇ ପଡି ରହିଛି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ମଠଡାହି ଠାରେ ନିର୍ମିତ ‘ବୃକ୍ସ୍ତରୀୟ ପାଠାଗାର ତଥା ବୃଭିଗତ ପରାମର୍ଶ କେନ୍ଦ୍ର ବିଗତ ୩ ବର୍ଷ ଧରି ତାଲାବନ୍ଦ ଅବସ୍ଥାରେ ପଡ଼ି ରହିଥିବାରୁ ଏହା ସାଧାରଣ ତଥା ଛାତ୍ର ସମାଜର କୌଣସି ଉପଯୋଗରେ ଆସି ପାରୁନାହିଁ । ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷ ବର୍ଷ ବିତିଯାଇଥିଲେ ସୁଦ୍ଧା ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବରୁ ଏହାକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇ ପାରିନାହିଁ । ଫଳରେ ଏହି ନବନିର୍ମିତ ସୁଦୃଶ୍ୟ କୋଠାଟି ଏବେ ଏକ ପ୍ରକାର ‘ଭୂତକୋଠି’ରେ ପରିଣତ ହେବାକୁ ବସିଛି । କୋଠାର ଚତୁଃପାର୍ଶ୍ଵରେ ଘଞ୍ଚଘାସ ଏବଂ ଅନାବନା ଲଟାବୁଦା ମାଡ଼ିଯାଇଥିବା ବେଳେ ମୁଖ୍ୟ ଫାଟକ ଓ ପ୍ରବେଶ ପଥରେ ନିରନ୍ତର ତାଲା ଝୁଲୁଛି। ବ୍ୟବହାର ହେଉ ନଥିବାରୁ ଯୋଗୁଁ ରଙ୍ଗ ଛାଡ଼ି କାନ୍ଥଗୁଡ଼ିକ କ୍ରମଶଃ ନଷ୍ଟ ହେବାକୁ ବସିଲାଣି। ସ୍ଥାନୀୟ ଅଞ୍ଚଳର ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ ଅଧ୍ୟୟନ ତଥା କ୍ୟାରିୟର କାଉନସେଲିଂ ପାଇଁ ଏହି କେନ୍ଦ୍ର ଉପରେ ବହୁ ଆଶା ରଖିଥିଲେ। ମାତ୍ର ପ୍ରଶାସନିକ ଉଦାସୀନତା ଯୋଗୁଁ ସେମାନଙ୍କ ଆଶା ଏବେ ମଉଳି ଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ପାଠାଗାର ନିର୍ମାଣ ପରେ ଏହା ଆଜି ପର୍ଯ୍ୟନ୍ତ କାହାକୁ ହସ୍ତାନ୍ତର କରାଯାଇ ନଥିବା କୁହା ଯାଉଛି। ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କାର ଏଭଳି ଅପବ୍ୟୟକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ଛାତ୍ର ସମାଜ ଓ ଯୁବଗାଷ୍ଠୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କ ରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରେ ତାଙ୍କ ପାଖକୁ ଏନେଇ କୌଣସି ନିର୍ଦେଶ ଆସି ନଥିବା ସେ କହିଛନ୍ତି। ଜିଲ୍ଲା ପ୍ରଶାସନ ଏହି ଗୁରୁତ୍ବପୂର୍ଣ ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ପାଠାଗାରକୁ ଆବଶ୍ୟକୀୟ ପାଠ୍ୟପୁସ୍ତକ, ପ୍ରତିଯୋଗିତାମୂଳକ ପତ୍ରପତ୍ରିକା, ଇଣ୍ଟରନେଟ୍ ସୁବିଧା ଏବଂ ନିୟମିତ କର୍ମଚାରୀ ନିଯୁକ୍ତି କରି ଏହାକୁ ଅତିଶୀଘ୍ର ଖୋଲିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦୃଢ଼ ଦାବି କରାଯାଇଛି।


