ବିକଶିତ ଗାଁର ସ୍ୱପ୍ନ ଓ ରାଜନୈତିକ ବାଧା
“ଭାରତର ଆତ୍ମା ଗାଁରେ ବାସ କରେ” – ମହାତ୍ମା ଗାନ୍ଧୀଙ୍କ ଏହି ଉକ୍ତି କେବଳ ଏକ ସ୍ଲୋଗାନ ନୁହେଁ ବରଂ ଏହା ଭାରତୀୟ ଅର୍ଥନୀତି ଓ ସମାଜର ମୂଳଦୁଆ। ଜାତିର ପିତାଙ୍କ ପରିକଳ୍ପନାରେ ଗ୍ରାମୀଣ ବିକାଶ କହିଲେ ଏକ ଆତ୍ମନିର୍ଭରଶୀଳ, ସ୍ୱଚ୍ଛ ଏବଂ ଶାନ୍ତିପୂର୍ଣ୍ଣ ସମାଜକୁ ବୁଝାଉଥିଲା। କିନ୍ତୁ ଆଧୁନିକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହି ଆତ୍ମା କେଉଁଠି ନା କେଉଁଠି ଦଳୀୟ ରାଜନୀତିର ଚକ୍ରବ୍ୟୁହରେ ଛନ୍ଦି ହୋଇପଡ଼ିଛି। ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ ପରେ ବି ଆଜି ଆମ ଗ୍ରାମାଞ୍ଚଳଗୁଡ଼ିକରେ ବିକାଶର ରୂପରେଖ ସମାନ ନାହିଁ। ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସରକାର କେନ୍ଦ୍ର ଓ ରାଜ୍ୟ ସ୍ତରରୁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଥିଲେ ହେଁ, ଗାଁ ଗହଳିର ଚିତ୍ର ଆଶାଜନକ ଭାବେ ବଦଳୁନାହିଁ। ଏହାର ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ସ୍ଥାନୀୟ ସ୍ତରରେ ବ୍ୟାପିଥିବା ରାଜନୈତିକ ସଂକୀର୍ଣ୍ଣତା। ସ୍ଥାନୀୟ ରାଜନୀତିର ସବୁଠାରୁ ଭୟଙ୍କର ରୂପ ହେଉଛି ଗୋଷ୍ଠୀ କନ୍ଦଳ। ପୂର୍ବରୁ ଗାଁର ସାମାଜିକ ଜୀବନ ପାରସ୍ପରିକ ସହଯୋଗ ଓ ଭାତୃଭାବ ଉପରେ ଆଧାରିତ ଥିଲା। କିନ୍ତୁ ପଞ୍ଚାୟତ ନିର୍ବାଚନ ଏହି ଭାବକୁ ତିକ୍ତତାରେ ପରିଣତ କରିଛି। ନିର୍ବାଚନ ପରେ ଗାଁ ଗୁଡ଼ିକରେ ହସଖୁସିର ବାତାବରଣ ବଦଳରେ ବିଦ୍ବେଷର ନିଆଁ ଜଳିଥାଏ। “ଆମ ଲୋକ” ଏବଂ “ତାଙ୍କ ଲୋକ” ମନୋଭାବ ଯୋଗୁଁ ଗୋଟିଏ ଗାଁର ଲୋକମାନେ ଦୁଇଟି ଶତ୍ରୁ ଶିବିରରେ ବିଭକ୍ତ ହୋଇଯାଉଛନ୍ତି। ଏହି ବିଭାଜନ କେବଳ ମାନସିକ ନୁହେଁ ବରଂ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେଉଛି। ଯୋଗ୍ୟ ହିତାଧିକାରୀମାନେ ଅନେକ ସମୟରେ କେବଳ ଏଇଥିପାଇଁ ସରକାରୀ ସୁବିଧାରୁ ବଞ୍ଚିତ ହୁଅନ୍ତି କାରଣ ସେମାନେ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧୀ ଗୋଷ୍ଠୀକୁ ସମର୍ଥନ କରିଥାନ୍ତି। ରାସନ କାର୍ଡ ହେଉ ବା ଆବାସ ଯୋଜନାରେ ଘର ଖଣ୍ଡିଏ, ସବୁଥିରେ ରାଜନୈତିକ ଫିଲ୍ଟର ଲଗାଯାଉଛି।
ବିକାଶର ମାନଦଣ୍ଡ ସାଧାରଣତଃ ସମସ୍ତଙ୍କ ପାଇଁ ସମାନ ହେବା କଥା। କିନ୍ତୁ ସ୍ଥାନୀୟ ରାଜନୀତିରେ ‘ପକ୍ଷପାତ’ ଏକ କର୍କଟ ରୋଗ ପରି ବ୍ୟାପିଛି। ପ୍ରଭାବଶାଳୀ ନେତାମାନେ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ କେବଳ ସେହି ଅଞ୍ଚଳରେ କେନ୍ଦ୍ରୀଭୂତ କରନ୍ତି ଯେଉଁଠାରେ ତାଙ୍କର ସମର୍ଥକ ଅଧିକ ଥାନ୍ତି। ଗାଁର ଯେଉଁ ପାର୍ଶ୍ୱରେ ବିରୋଧୀ ଭୋଟର ଅଧିକ ଥାନ୍ତି, ସେଠାକୁ ରାସ୍ତା, ପାଣି ପାଇପ୍ କିମ୍ବା ବିଦ୍ୟୁତ ସଂଯୋଗ ଯିବାରେ ଜାଣିଶୁଣି ବିଳମ୍ବ କରାଯାଏ। ଏହାବ୍ୟତୀତ ‘ପିସି’ ବା କମିଶନ କାରବାର ଗ୍ରାମ୍ୟ ବିକାଶର ମେରୁଦଣ୍ଡ ଭାଙ୍ଗି ଦେଇଛି। ଠିକାଦାର, ସ୍ଥାନୀୟ ନେତା ଏବଂ କିଛି କ୍ଷେତ୍ରରେ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯୋଜନାର ଅର୍ଥ ବାଟମାରଣା ହେଉଛି। ଫଳସ୍ୱରୂପ, ନିମ୍ନମାନର ସାମଗ୍ରୀ ବ୍ୟବହାର କରି କାମ ହେଉଛି। ଗୋଟିଏ ବର୍ଷରେ ତିଆରି ହୋଇଥିବା ରାସ୍ତା ଆର ବର୍ଷକୁ ଖାଲଖମାରେ ପରିଣତ ହେଉଛି, ଯାହା ସରକାରୀ ରାଜକୋଷର ଅପଚୟ ସହ ସାଧାରଣ ଜନତାଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲି ଦେଉଛି। ପଞ୍ଚାୟତିରାଜ ବ୍ୟବସ୍ଥାରେ ‘ଗ୍ରାମସଭା’ ହେଉଛି ସବୁଠାରୁ ଶକ୍ତିଶାଳୀ ଗଣତାନ୍ତ୍ରିକ ମଞ୍ଚ। ଗାଁର ସମସ୍ୟା, ଆବଶ୍ୟକତା ଓ ବିକାଶର ଯୋଜନା ଗ୍ରାମବାସୀଙ୍କ ଦ୍ୱାରା ନିଷ୍ପତ୍ତି ନିଆଯିବା କଥା। କିନ୍ତୁ ବାସ୍ତବ ଚିତ୍ର ଏହାର ସମ୍ପୂର୍ଣ୍ଣ ଓଲଟା। ସ୍ଥାନୀୟ ରାଜନୀତି ଯୋଗୁଁ ଗ୍ରାମସଭା ଏବେ କେବଳ କାଗଜପତ୍ରର ଏକ ଆନୁଷ୍ଠାନିକତା ମାତ୍ର। ପ୍ରଭାବଶାଳୀ ବ୍ୟକ୍ତି ଓ ସରପଞ୍ଚଙ୍କ ସମର୍ଥକମାନେ ଆଗୁଆ ବସି ନିଷ୍ପତ୍ତି ନିଅନ୍ତି ଏବଂ ସାଧାରଣ ଲୋକଙ୍କ ସ୍ୱରକୁ ଉପହାସ ବା ଚାପ ମାଧ୍ୟମରେ ଦବାଇ ଦିଆଯାଏ। ଏହି କାରଣରୁ ଗାଁର ପ୍ରକୃତ ସମସ୍ୟା ଯଥା— ପାନୀୟ ଜଳ, ଜଳସେଚନ କିମ୍ବା ବେକାରୀ ସମସ୍ୟାର ସମାଧାନ ନହୋଇ କେବଳ ସେହି କାମଗୁଡ଼ିକ ପ୍ରାଥମିକତା ପାଏ ଯେଉଁଥିରେ ନେତାଙ୍କର ବ୍ୟକ୍ତିଗତ ଲାଭ ଥାଏ। ରାଜନୀତିର କରାଳ ରୂପ ଏବେ ଗାଁର ବିଦ୍ୟାଳୟ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଲମ୍ବିଛି। ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ଚୟନ ସମୟରେ ମଧ୍ୟ ଦଳୀୟ ରଙ୍ଗ ଦିଆଯାଉଛି। ଯୋଗ୍ୟ ଶିକ୍ଷାପ୍ରେମୀଙ୍କ ବଦଳରେ ନିଜ ଦଳର ଅନୁଗତଙ୍କୁ ସ୍ଥାନ ଦିଆଯାଉଛି ଯାହା ଶିକ୍ଷାଦାନର ମାହୋଲକୁ ପ୍ରଭାବିତ କରୁଛି। ସେହିପରି ଅଙ୍ଗନୱାଡ଼ି କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଓ ସୁବିଧା ସୁଯୋଗରେ ମଧ୍ୟ ରାଜନୈତିକ ହସ୍ତକ୍ଷେପ ଦେଖାଯାଉଛି। ଅନ୍ୟପଟେ ମହିଳାମାନଙ୍କ ପାଇଁ ପଞ୍ଚାୟତରେ ଆସନ ସଂରକ୍ଷଣ କରାଯାଇଥିଲେ ହେଁ, ଅନେକ କ୍ଷେତ୍ରରେ ‘ସରପଞ୍ଚ ଙ୍କ ସ୍ବାମୀ’ ମାନେ ହିଁ ପ୍ରକୃତ ଶକ୍ତିର କେନ୍ଦ୍ର ହୋଇ ରହୁଛନ୍ତି। ଏହା ମହିଳା ସଶକ୍ତିକରଣର ପ୍ରକୃତ ଉଦ୍ଦେଶ୍ୟକୁ ଧୂଳିସାତ କରୁଛି। ଗ୍ରାମ୍ୟ ବିକାଶର ଏହି ସ୍ଥାଣୁତାକୁ ଦୂର କରିବା ପାଇଁ କେବଳ ସରକାରଙ୍କୁ ଦୋଷ ଦେଲେ ହେବ ନାହିଁ ବରଂ ସମାଜରେ ମାନସିକ ପରିବର୍ତ୍ତନର ଆବଶ୍ୟକତା ରହିଛି। ଗ୍ରାମବାସୀମାନେ ସେମାନଙ୍କ ପଞ୍ଚାୟତକୁ ଆସୁଥିବା ପାଣ୍ଠି ଏବଂ ଏହାର ଖର୍ଚ୍ଚ ସମ୍ପର୍କରେ ଜାଣିବାକୁ ସଚେତନ ହେବା ଉଚିତ। ଗାଁର ଶିକ୍ଷିତ ଯୁବପିଢ଼ି ଦଳୀୟ ଆନୁଗତ୍ୟରୁ ଉର୍ଦ୍ଧ୍ୱକୁ ଉଠିବା ଆବଶ୍ୟକ। ସେମାନେ ନିର୍ବାଚନ ସମୟରେ ବିକାଶର ମାନପତ୍ର ମାଗିବା ଉଚିତ ଏବଂ କାର୍ଯ୍ୟର ଗୁଣବତ୍ତା ଉପରେ ନଜର ରଖିବା ଦରକାର। ପ୍ରତିଟି ପଞ୍ଚାୟତରେ କାର୍ଯ୍ୟର ସ୍ୱଚ୍ଛତା ପାଇଁ ସାଧାରଣ ଜନତାଙ୍କ ସମ୍ମୁଖରେ ହିସାବ ରଖାଯିବା ବାଧ୍ୟତାମୂଳକ ହେବା ଉଚିତ। ଲୋକଙ୍କୁ ବୁଝିବାକୁ ହେବ ଯେ ନିର୍ବାଚନ ପାଞ୍ଚ ବର୍ଷରେ ଥରେ ଆସେ କିନ୍ତୁ ବିକାଶ ସବୁଦିନ ପାଇଁ। ତେଣୁ ଗାଁର ସ୍ୱାର୍ଥ ପାଇଁ ମତଭେଦ ଭୁଲି ଏକାଠି ହେବାକୁ ହେବ।
ରାଜନୀତି ଗଣତନ୍ତ୍ରର ଏକ ଅପରିହାର୍ଯ୍ୟ ଅଂଶ ହୋଇପାରେ, କିନ୍ତୁ ଏହା କେବେ ବି ମାନବିକତା ଓ ବିକାଶର ପଥ ଓଗାଳିବା ଉଚିତ ନୁହେଁ। ଗାଁର ସରଳ ଲୋକମାନଙ୍କୁ ରାଜନୈତିକ ହାତବାରିସି କରି ରଖିବା ଏକ ଅପରାଧ। ଯେଉଁଦିନ ଗାଁର ଶେଷ ହିତାଧିକାରୀ ଜଣକ କୌଣସି ରାଜନୈତିକ ଚାପ ବିନା ନିଜର ପ୍ରାପ୍ୟ ପାଇବେ, ସେହିଦିନ ଗାନ୍ଧୀଜୀଙ୍କ ‘ଗ୍ରାମ ସ୍ୱରାଜ’ ସାର୍ଥକ ହେବ। ଗାଁ ହସିଲେ ହିଁ ଦେଶ ହସିବ। ଏଥିପାଇଁ ଜନପ୍ରତିନିଧିମାନେ ସେମାନଙ୍କର ଉତ୍ତରଦାୟିତ୍ୱ ବୁଝିବା ସହ ଜନସାଧାରଣ ନିଜ ଅଧିକାର ପାଇଁ ସଚେତନ ହେବା ଏକାନ୍ତ ଆବଶ୍ୟକ। ଆସନ୍ତୁ, ସ୍ଥାନୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ଏକ ସମୃଦ୍ଧ ଓ ବିକଶିତ ଗାଁ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।
ଅଖିଳ ତରାଇ
ଗଞ୍ଜାମ, ମୋ: ୭୭୮୭୦୦୧୦୦୧


