ପରିବା ମାର୍କେଟ ବାହାରେ ବସୁଥିବା ବ୍ୟବସାୟୀଙ୍କୁ ସଚେତନ କଲା ପୌର ପରିଷଦ
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ଛତ୍ରପୁର ପନିପରିବା ମାର୍କେଟ ବାହାରେ ରାସ୍ତା କଡ଼ରେ ବସି ବ୍ୟବସାୟ କରୁଥିବା ପରିବା ବିକ୍ରେତାମାନଙ୍କୁ ଆଉ ବାହାରେ ନ ବସି ମାର୍କେଟ କମ୍ପ୍ଲେକ୍ସ ଭିତରେ ବ୍ୟବସାୟ କରିବା ପାଇଁ ଛତ୍ରପୁର ପୌର ପରିଷଦ ପକ୍ଷରୁ ସଚେତନ କରାଯାଇଛି। ଏହି ଅଭିଯାନରେ ପୌର ପରିଷଦର ଉପାଧ୍ୟକ୍ଷ ଜି. ପାପା ରାଓ, ବିଭିନ୍ନ ୱାର୍ଡର କାଉନସିଲର ଏବଂ ପୌର ପରିଷଦର କର୍ମଚାରୀମାନେ ସାମିଲ ହୋଇଥିଲେ। ଛତ୍ରପୁରରେ ପରିବା ବ୍ୟବସାୟୀମାନଙ୍କ ସୁବିଧା ପାଇଁ ପନିପରିବା ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିବା ବେଳେ ଲଟେରୀ ମାଧ୍ୟମରେ ସେମାନଙ୍କୁ ରୁମ୍ ମଧ୍ୟ ଆବଣ୍ଟନ କରାଯାଇଛି। ତଥାପି ଅନେକ ବ୍ୟବସାୟୀ ମାର୍କେଟ ବାହାରେ ଓ ରାସ୍ତା କଡ଼ରେ ବସି ବ୍ୟବସାୟ କରୁଥିବାରୁ ସେଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏନେଇ ପୂର୍ବରୁ ବହୁବାର ସଚେତନ କରାଯାଇଥିଲେ ମଧ୍ୟ ସ୍ଥିତିରେ ପରିବର୍ତ୍ତନ ଆସିନଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ପୌର ପରିଷଦ ପକ୍ଷରୁ ବ୍ୟବସାୟୀମାନଙ୍କ ସହ ଆଲୋଚନା କରାଯାଇ ସେମାନଙ୍କୁ ମାର୍କେଟ କମ୍ପ୍ଲେକ୍ସ ଭିତରେ ବସି ବ୍ୟବସାୟ କରିବାକୁ ଅନୁରୋଧ କରାଯାଇଥିଲା। ମାର୍କେଟ କମ୍ପ୍ଲେକ୍ସ ଭିତରେ ଥିବା ବିଭିନ୍ନ ସମସ୍ୟାକୁ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ଉପାଧ୍ୟକ୍ଷ ଜି. ପାପା ରାଓ ପ୍ରତିଶ୍ରୁତି ଦେଇଥିଲେ। ଆସନ୍ତା ମଙ୍ଗଳବାର ସୁଦ୍ଧା ମାର୍କେଟ ବାହାରେ କୌଣସି ପରିବା ବ୍ୟବସାୟୀ ବସିବେ ନାହିଁ ବୋଲି ପୌର ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ ବ୍ୟବସାୟୀମାନଙ୍କୁ ଏଥିପାଇଁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।


