ବର୍ଷା ଆସିଲା: ବଢୁଛି ସାପ ଭୟ
ଆସିକା (ୱାଇଏନ୍ଏସ୍) : ବର୍ଷା ଋତୁ ଆରମ୍ଭରୁ ଆସିକା ଅଞ୍ଚଳରେ ସାପ ଆତଙ୍କ ଦେଖିବାକୁ ମିଳୁଛି । ବର୍ଷା ଋତୁ ହେଉଛି ସାପଙ୍କ ଅଣ୍ଡା ଦେବାର ସମୟ । ଆସିକା ସହର ତଥା ଏହାର ଆଖପାଖ ଅଧିକାଂଶ ଗ୍ରାମାଞ୍ଚଳରେ ବିଭିନ୍ନ ସମୟରେ ଫଣା ଟେକି ସାପ ଫଁ ଫଁ କରୁଥିବା ଆଲୋଚିତ ବି ହେଉଛି । ଗ୍ରୀଷ୍ମର ପ୍ରକୋପରୁ ରକ୍ଷା ପାଇବା ପାଇଁ ଗତ କିଛି ମାସ ପୂର୍ବରୁ ଗାତରେ ଆଶ୍ରୟ ନେଇଥିବା ସାପ ବର୍ତ୍ତମାନ ବର୍ଷା ସମୟରେ ବାହାରକୁ ଆସିଯାଉଥିବା ଦେଖିବାକୁ ମିଳୁଛି । ବର୍ଷାପାଣି ସାପଙ୍କ ଗାତରେ ପଶିଯାଉଥିବାରୁ ସେମାନେ ବାସହରା ହୋଇ ବିଭିନ୍ନ ସୟରେ ନିରାପଟ ସ୍ଥାନ ଖୋଜି ଘରର ଅଗଣା, ଗୁହାଳ ଘର, ଗୋଦାମ କିମ୍ବା ବଗିଚାକୁ ପଶିଯାଉଥିବା ଦେଖିବାକୁ ମିଳୁଛି । ଅପର ପକ୍ଷରେ ସାପମାନଙ୍କ ପ୍ରଜନନ ଋତୁର ଏହା ହେଉଛି ଶେଷ ଭାଗ । ଯଦିଓ ପ୍ରାୟତଃ ସାପମାନେ ନିଜ ଆଡୁ ମଣିଷଙ୍କୁ ଦଂଶନ କରିନଥାନ୍ତି କିନ୍ତୁ ଅସାବଧାନତାବଶତଃ ସାପ ଉପରେ ମଣିଷର ଗୋଡ ପଡିଗଲେ ସାପ କାମୁଡିଦେବା ଏକ ସାଧାରଣ ଘଟଣା ହୋଇଗଲାଣି । ସାପର ପ୍ରଧାନ ଖାଦ୍ୟ ମୂଷା ଓ ବେଙ୍ଗ ହୋଇଥିବାରୁ ଘର ଭିତରେ ସେମାନେ ପ୍ରବେଶ କଲେ ସାପ ମଧ୍ୟ ସେମାନଙ୍କୁ ଖାଇବା ପାଇଁ ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ସମୟରେ ଘର ଭିତରେ ପଶିଯାଇଥାଏ । ଘରକୁ ପ୍ରବେଶ କରିବା ପାଇଁ ବାଟ ଅଛିମାନେ ସେହି ବାଟ ଦେଇ ଘର ଭିତରକୁ ସାପ ପ୍ରାୟ ପ୍ରବେଶ କରିଥାଏ । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବିଶେଷକରି ବର୍ଷା ଋତୁରେ ବିଭିନ୍ନ ସମୟରେ ବିଷାକ୍ତ ସର୍ପ ଦଂଶନରେ ବହୁ ବ୍ୟକ୍ତି ଅସୁସ୍ଥ ହୋଇପଡୁଥିବା ମଧ୍ୟ ଦେଖିବାକୁ ମିଳୁଛି । ସାପ ଏକ ବନ୍ୟପ୍ରାଣୀ ହୋଇଥିବା ବେଳେ ସେମାନଙ୍କୁ ଜନବସତି ଅଞ୍ଚଳରୁ ସଠିକ୍ ସମୟରେ ଉଦ୍ଧାର କରାଯାଇପାରୁନଥିବା ଦେଖିବାକୁ ମିଳୁଛି । ବନବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ତାଲିମ୍ ପାଇନଥିବାରୁ ସେମାନେ ସାପକୁ ଉଦ୍ଧାର କରିବା ଦିଗରେ ଆଗ୍ରହ ପ୍ରକାଶ କରିପାରୁନଥିବା ଦେଖିବାକୁ ମିଳୁଛି । ଅପର ପକ୍ଷରେ ଆସିକା ଅଞ୍ଚଳର କେତେକ ସ୍ୱେଚ୍ଛାସେବୀ ସାପ ଉଦ୍ଧାର ପାଇଁ ଲୋକଙ୍କ ଭରସା ପାଲଟିଥିବା ଚର୍ଚ୍ଚା ହେଉଛି । ବନ୍ୟ ସଂରକ୍ଷଣ ଆଇନ ୧୯୭୨ ର ଧାରା ୩୯ ଅନୁଯାୟୀ ସମସ୍ତ ବନ୍ୟପ୍ରାଣୀ ହେଲା ସରକାରୀ ସଂପତ୍ତି । ତେଣୁ ସେମାନଙ୍କୁ ସୁରକ୍ଷା ଦେବା ବନ କର୍ମଚାରୀଙ୍କ କର୍ତ୍ତବ୍ୟ । ଆସିକା ଅଞ୍ଚଳରେ ବିଭିନ୍ନ ସମୟରେ ବହୁ ବନ୍ୟପ୍ରାଣୀ ଜନବସତି ଭିତରେ ପଶିଗଲେ ବନବିଭାଗ କର୍ମଚାରୀମାନେ ଯାଇ ଯଥାଶୀଘ୍ର ସେମାନଙ୍କୁ ଉଦ୍ଧାର କରୁଥିଲା ବେଳେ ସାପ ଘରେ ପଶିଲେ ବନବିଭାଗ କର୍ମଚାରୀମାନେ ଉଦ୍ଧାର କରିବା ଲାଗି ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହେଉଛି । ବନବିଭାଗ କର୍ମଚାରୀମାନଙ୍କୁ ସାପ ଉଦ୍ଧାର ଓ ତାଲିମ୍ ପ୍ରଦାନ କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଗତ କିଛି ଦିନ ହେଲା ବର୍ଷା ଆରମ୍ଭ ହୋଇଯାଇଥିବାରୁ ବିଭିନ୍ନ ପ୍ରଜାତିର ବିଷଧର ଓ ବିଷହୀନ ସାପ ଦେଖାଯାଉଥିବା ବେଳେ ସେମାନେ ମଧ୍ୟ ସମୟ ସୁବିଧା ଦେଖି କେତେକ ଲୋକଙ୍କ ଘର ଭିତରକୁ ପ୍ରବେଶ କରି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି । ସାପକୁ ଦେଖି ବହୁ ବ୍ୟକ୍ତି ଆତଙ୍କିତ ହୋଇପଡୁଛନ୍ତି । ସାପକୁ ଉଦ୍ଧାର କରିବା ପାଇଁ ତ୍ୱରିତ୍ କାହାକୁ ଯୋଗାଯୋଗ କରିବେ ସେ ନେଇ ସ୍ଥିର ବି କରିପାରୁନାହାନ୍ତି । ସାପ ଧରିବା ଭଳି ବିପଦପୂର୍ଣ୍ଣ କାମ କରିବାକୁ ବହୁ ବନ କର୍ମଚାରୀ ଆଗ୍ରହ ପ୍ରକାଶ କରୁନଥିବା ଯୋଗୁଁ ସାଧାରଣ ଜନତା ସାପ ଉଦ୍ଧାର କରୁଥିବା ସ୍ୱେଚ୍ଛାସେବୀଙ୍କୁ ଆବଶ୍ୟକତା ସମୟରେ ଯୋଗାଯୋଗ କରୁଥିବା ଦେଖିବାକୁ ମିଳୁଛି । ସାପ ଉଦ୍ଧାର ଭଳି ଅତ୍ୟନ୍ତ ବିପଦ୍ଜନକ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ସରକାରୀ ପ୍ରୋତ୍ସାହନ ପ୍ରଦାନ ଦିଗରେ ସରକାର ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।


