ଉଦ୍ୟୋଗୀ ହେବେ ପାଇଁ ମାଷ୍ଟର୍‌ ଟ୍ରେନର୍‌ ତାଲିମ ନେଲେ ତିନି ଡଙ୍ଗରିଆ ମହିଳା

ଗୁଣପୁର,(ୱାଇଏନଏସ): ଡଙ୍ଗରିଆ ଜନଜାତିଙ୍କ ପରିଚୟ କପଡ଼ାଗୁନ୍ଦା ସାଲ୍‌। ଜିଆଇ ଟ୍ୟାଗ୍‌ ସତ୍ତ୍ବେ ଉତ୍ପାଦନ ଉଲ୍ଲେଖନୀୟ ନଥିବାରୁ ଧୀରେ ଧୀରେ ଚାହିଦା ହରାଉଛି। ନୂତନ ପିଢ଼ି ପାରମ୍ପରିକ ସାଲ୍‌ ପ୍ରସ୍ତୁତି ପାଇଁ ଆଗଭର ହେଉ ନଥିବାରୁ ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପଦକ୍ଷେପ ନେଇଛି। ଶିକ୍ଷାଗତ ଯୋଗ୍ୟତାକୁ କୋହଳ କରି ୩ ଡଙ୍ଗରିଆ ମହିଳାଙ୍କୁ ମାଷ୍ଟର୍‌ ଟ୍ରେନର୍‌ ତାଲିମ ଦେଇଛି ବିଭାଗ। ତାଲିମ ପରେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍‌ ଖମ୍ବେସି ଗ୍ରାମର ‌ଲାହାରୀ କୁଣ୍ଡିକା, ମୁରୁଡି ୱାଡାକା ଓ ବାଙ୍ଗାରୀ ୱାଡାକା ଦକ୍ଷତା ପ୍ରଦର୍ଶନ କରି ବିଭାଗ ଦ୍ବାରା ମନୋନୀତ ହୋଇଛନ୍ତି। ଏବେ ଡଙ୍ଗରିଆଙ୍କ ଏହି ପାରମ୍ପରିକ କଳା ଉଦ୍ୟୋଗ ମାନ୍ୟତା ପାଇବାକୁ ଯାଉଛି। ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ କପଡ଼ାଗୁନ୍ଦା ସାଲ୍‌ ବୁଣିବା ପାଇଁ ଡଙ୍ଗରିଆ ମହିଳାଙ୍କୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ସ୍ବତନ୍ତ୍ର ଡିଜାଇନ୍‌ ବ୍ୟବହାର କରି ଅନ୍ୟ ସାମଗ୍ରୀ ମଧ୍ୟ ନିର୍ମାଣ କରିବାକୁ ଯୋଜନା କରିଛି। ପୂର୍ବରୁ ୩ ମାସର ପରିଶ୍ରମରେ ଗୋଟିଏ ସାଲ୍‌ ସମ୍ପୂର୍ଣ୍ଣ ହେଉଥିବାରୁ ପରିଶ୍ରମ ବାବଦକୁ ଉଚିତ ମୂଲ୍ୟ ପାଉନଥିଲେ ଡଙ୍ଗରିଆ ମହିଳା। ଯେଉଁଥି ଲାଗି ସାଲ୍‌ ବୁଣିବାକୁ ଅନିଚ୍ଛୁକ ଥିଲେ। ଏବେ ବିଭାଗ ସେମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ଅଣ୍ଟା ଭିଡ଼ିଛି। ୩ ଡଙ୍ଗରିଆ ମହିଳା ମାଷ୍ଟର ଟ୍ରେନର ହୋଇ ନିଜ ବ୍ୟବସାୟ ଆରମ୍ଭ କରିବା ସହ ଅନ୍ୟ ମହିଳାଙ୍କୁ ମଧ୍ୟ ରୋଜଗାରକ୍ଷମ କରିପାରିବେ ବୋଲି ବିଭାଗୀୟ ସଚିବ ଗୁହା ପୁନମ୍‌ ତାପସ କୁମାର ପ୍ରକାଶ କରିଛନ୍ତି। ମାଷ୍ଟର୍‌ ଟ୍ରେନର୍‌ ତାଲିମ ନେଲେ ତିନି ମହିଳା ଆର୍ଥିକ ଓ ବୈଷୟିକ ସହାୟତା ଦେବ ହସ୍ତତନ୍ତ ବିଭାଗ ଅନୁବନ୍ଧିତ ହେଲେ ଜାତୀୟ ଓ ଅନ୍ତର୍ଜାତୀୟ ଡିଜାଇନର୍‌ ବିଭାଗର ଉତ୍କଳିକା କୋଅପରେଟିଭ ଲିମିଟେଡ୍‌ ଦ୍ବାରା ସ୍ବତନ୍ତ୍ର ଯୋଜନାରେ ଡଙ୍ଗରିଆ ଫ୍ୟୁଜନ୍‌ ଦେଇ ବିଭିନ୍ନ ସାମଗ୍ରୀ ନିର୍ମାଣ କରାଯିବ। ବିଭାଗର ପ୍ରଶିକ୍ଷଣ ଅନୁଷ୍ଠାନ (ସାଧକ) ସହ ଜାତୀୟ ଓ ଅନ୍ତର୍ଜାତୀୟ ଡିଜାଇନର୍‌ ଅନୁବନ୍ଧିତ ହୋଇ ଏହି ସ୍ବତନ୍ତ୍ର ସାଲ ଏବଂ ଅନ୍ୟାନ୍ୟ ଉତ୍ପାଦ ସଂପର୍କରେ ଡଙ୍ଗରିଆ ମହିଳାଙ୍କ ସହ ଆଲୋଚନା କରି ଉତ୍ପାଦକୁ ଆଗକୁ ବଢ଼ାଇବେ ବୋଲି ଶ୍ରୀମତୀ ଗୁହା ପ୍ରକାଶ କରିଛନ୍ତି। ଶୁଖିଲା ଲାଉରେ ବିଭିନ୍ନ କଳାକୃତି କରୁଥିବା ଓଡ଼ିଶାର ଏକମାତ୍ର ଶିଳ୍ପୀ ରାୟଗଡ଼ାର ହିମାଂଶୁ ଶେଖର ପାଣ୍ଡିଆ ମଧ୍ୟ ମାଷ୍ଟର୍‌ କ୍ରାଫ୍‌ଟ ପର୍ସନ୍‌ ରୂପେ ମନୋନୀତ ହୋଇଛନ୍ତି। ମନୋନୀତ ମାଷ୍ଟର କ୍ରାଫ୍‌ଟ ପର୍ସନ୍‌ମାନେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ କରି ରୋଜଗାରକ୍ଷମ କରିବାରେ ସହାୟକ ହେବେ ବୋଲି ବିଭାଗ ଆଶା ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ