ତିରୁଣା ଗୋପବନ୍ଧୁ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟର ଅସୁରକ୍ଷିତ ଗୃହ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣାସ୍ଥିତ ଗୋପବନ୍ଧୁ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟର ଅସୁରକ୍ଷିତ ଗୃହକୁ ଭଙ୍ଗାଯାଇଛି। ପ୍ରାୟ ୧୨ହଜାରର ଉର୍ଦ୍ଧ୍ୱ ବର୍ଗ ଫୁଟର ଗୃହ ଭଙ୍ଗାଯାଇଥିବା ବେଳେ ମାତ୍ର ୧୨ହଜାର ଟଙ୍କାରେ ନିଲାମ କରାଯାଇଥିବା ପ୍ରଧାନ ଶିକ୍ଷକ ଶରତ ରାଉତ ପ୍ରକାଶ କରିଛନ୍ତି। କିନ୍ତୁ ଏବିଷୟରେ ଟେକନିକାଲ ଟିମଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆ ଯାଇ ନଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ବିଦ୍ୟାଳୟ ଗୁଡିକରେ ଥିବା ଅସୁରକ୍ଷିତ ଗୃହକୁ ଭଙ୍ଗିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ନିର୍ଦ୍ଦେଶାନୁସାରେ ବିଦ୍ୟାଳୟ ଗୁଡିକରେ ଥିବା ଗୃହ ଗୁଡିକ ଭଙ୍ଗାଯାଉଛି। ନିୟମାନୁସାରେ ଗୃହ ଗୁଡିକ ଭାଙ୍ଗିବା ପୂର୍ବରୁ ବିଦ୍ୟାଳୟ ପରିଚାଳନା କମିଟି ଓ ଟେକନିକାଲ ଟିମ ଆଦି ବସି ଏକ ବୈଠକ ଡକାଯିବ। ଉକ୍ତ ବୈଠକରେ ସରକାରଙ୍କ ନିୟମାନୁସାରେ ଟେକନିକାଲ ଟିମଙ୍କ ଦ୍ୱାରା ଗୃହର ବର୍ଗଫୁଟ ଅନୁସାରେ କେତେ ଅର୍ଥରେ ନିଲାମ ପ୍ରଦାନ କରାଯିବ ତାହା ଲିଖିତ ଭାବେ ଜଣାଇବେ। ସେହି ଅନୁସାରେ ନିଲାମ ପ୍ରକ୍ରିୟା କରିବା କଥା। କିନ୍ତୁ ଏହି ବ୍ଳକର ଏହି ବିଦ୍ୟାଳୟ ନୁହେଁ ଅନେକ ବିଦ୍ୟାଳୟରେ ମନଇଚ୍ଛା ଗୃହ ଭଙ୍ଗାଯାଇ ପୁରୁଣା କାଠ,ଆଜବେଷ୍ଟସ, ଇଟା ଆଦି ମନଇଚ୍ଛା ବିକ୍ରି କରାଯାଉଛି। ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରାଉତ ନିଲାମ ଜିନିଷ ଗୁଡିକୁ ନିଲାମ କରାଯାଇଥିବା କହୁଥିବା ବେଳେ ଟେକନିକାଲ ଟିମର ଯନ୍ତ୍ରୀ ପୁନମ ବିଶ୍ୱାଳ କେବଳ ମୌଖିକ ଭାବେ ଜଣାଇଥିବା ଲିଖିତ ଭାବେ କୌଣସି ନିର୍ଦ୍ଦେଶ ଦେଇ ନଥିବା କହୁଛନ୍ତି। କିପରି ଟେକନିକାଲ ଟିମଙ୍କ ବିନା ଅନୁମତିରେ ଅଳ୍ପ ଦାମରେ ଜିନିଷ ବିକ୍ରି କରାଯାଉଛି ତାହାର ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ