ଆଜି ଜାତୀୟ ପେପର୍ ବ୍ୟାଗ୍ ଦିବସ
ଆସିକା (ୱାଇଏନ୍ଏସ୍): ପ୍ଳାଷ୍ଟିକ୍ ବ୍ୟବହାରକୁ ବନ୍ଦ କରି ପରିବେଶକୁ ସୁରକ୍ଷିତ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ମାସ ୧୨ ତାରିଖକୁ ଜାତୀୟ ପେପର୍ ବ୍ୟାଗ୍ ଦିବସ ରୂପେ ପାଳନ କରାଯାଇଆସୁଛି । ଅତୀତରେ ପେପର୍କୁ କାଟି ସେଥିରେ ଅଠାକୁ ଲଗାଇ ପରସ୍ତ ପରସ୍ତ ଭାଙ୍ଗି ୧୦୦ ଗ୍ରାମ ଠାରୁ ଆରମ୍ଭ କରି ୫ କିଲୋ ପର୍ଯ୍ୟନ୍ତ ସାମଗ୍ରୀ ରହିଲା ଭଳି ଠୁଙ୍ଗା ତିଆରୀ ହୋଇଆସୁଥିଲା । ତେବେ ବିଗତ କିଛି ବର୍ଷ ହେଲା ଠୁଙ୍ଗାର ସ୍ଥାନ ଅକ୍ତିଆର କରିବାରେ ଲାଗିିଛି ପେପର୍ ବ୍ୟାଗ୍ । କିଛି ବର୍ଷ ହେଲା ଅଠାରେ ତିଆରୀ ଠୁଙ୍ଗାକୁ ପ୍ରାୟତଃ ଆଉ କୌଣସି ଦୋକାନରେ ବହୁଳ ମାତ୍ରାରେ ବ୍ୟବହାର ହେଉନଥିବା ଦେଖିବାକୁ ମିଳୁଛି । ସାଂପ୍ରତିକ ପରିସ୍ଥିତିରେ ଠୁଙ୍ଗାର ସ୍ଥାନ ନେଇଛି ପେପର୍ ବ୍ୟାଗ୍ । ଠୁଙ୍ଗାରେ ପୂର୍ବରୁ କେବଳ ଗୋଟିଏ ଜିନିଷ ଭର୍ତ୍ତି ହେଉଥିଲା ବେଳେ ପେପର୍ ବ୍ୟାଗ୍ରେ ବିଭିନ୍ନ ଜିନିଷ ଭର୍ତ୍ତି ହୋଇପାରୁଛି । ଅତୀତରେ ଗାଁଠୁ ସହର ପର୍ଯ୍ୟନ୍ତ ଅଧିକାଂଶ କର୍ମଜିବୀ ମହିଳା କଠିନ ପରିଶ୍ରମ କରି ପେପରକୁ କାଟି ଅଠା ଲଗାଇ ଠୁଙ୍ଗା ତିଆରି କରି ସେଗୁଡିକୁ ଖରାରେ ସୁଖାଇ ପରବର୍ତ୍ତୀ ସମୟରେ ବ୍ୟବସାୟୀଙ୍କ ଆବଶ୍ୟକତା ଅନୁଯାୟୀ ବିକ୍ରୟ କରୁଥିଲେ । ତେବେ ଆଧୁନିକତାର ଛାପରେ ପେପର୍ ବ୍ୟାଗ୍ ନିମିଷକ ମଧ୍ୟରେ ମେସିନ୍ରେ ହଜାର ହଜାର ସଂଖ୍ୟାରେ ତିଆରି ହୋଇପାରୁଥିବା ଦେଖିବାକୁ ମିଳୁଛି । ଦିନକୁ ଦିନ ପେପର୍ ବ୍ୟାଗ୍ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସର୍ବାଧିକ ପସନ୍ଦ ଓ ଗ୍ରହଣୀୟ ହେବାରେ ଲାଗିଥିବା ପରିଲକ୍ଷିତ ହେଉଛି ।


