ଆଜି ବିଶ୍ୱ ମଶା ଦିବସ
ଆସିକା (ୱାଇଏନ୍ଏସ୍): ଆଜି ଅର୍ଥାତ୍ ଅଗଷ୍ଟ ମାସ ୨୦ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ମଶା ଦିବସ । ମଶା କାମୁଡିବା ଦ୍ୱାରା ହେଉଥିବା ଭୟଙ୍କର ରୋଗ ଯେପରି ମ୍ୟଲେରିଆ, ଡେଙ୍ଗୁ, ଚିକନ୍ଗୁନିଆ ଭଳି ଭୟାବହ ରୋଗ ବିଷୟରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୨୦ ତାରିଖକୁ ବିଶ୍ୱ ମଶା ଦିବସ ରୂପେ ପାଳନ କରାଯାଇଆସୁଛି । ବିଶ୍ୱ ମଶା ଦିବସ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ଯେ ମ୍ୟାଲେରିଆ ହେଉଛି ଏକ ମଶାବାହୀ ରୋଗ । ମ୍ୟାଲେରିିଆ ରୋଗର ବାହକ ମାଈ ଆନୋଫିଲିସ୍ ମଶା ହୋଇଥାଏ । ଏହାର ପ୍ରମୁଖ ଲକ୍ଷଣ ହେଲା ପ୍ରବଳ ଜ୍ୱର ହେବା ସହ ଶୀତ ଲାଗିବା, ଦେହ ଓ ହାତ ଏବଂ ମୁଣ୍ଡ ବେଦନା ହେବା ସାଙ୍ଗକୁ ଦୁର୍ବଳତା ଅନୁଭବ କରିବା ଏପରିକି ଏହା ଅତ୍ୟଧିକ ଗମ୍ଭୀର ହେଲେ ବାନ୍ତି ଲାଗିବା ସହ ଅତ୍ୟଧିକ ଝାଳ ବୋହିବା ଓ ଖାଇବାକୁ ଇଛା ନହେବା ଭଳି ସମସ୍ୟା ଦେଖାଦେଇଥାଏ । ମ୍ୟାଲେରିଆ ଏକ ମଶାବାହୀ ରୋଗ ହୋଇଥିଲା ବେଳେ ମାଈ ଆନୋଫିଲିସ୍ ମଶା କାମୁଡିବା ଦ୍ୱାରା ଏହି ରୋଗ ହୋଇଥାଏ । ଏଥିରୁ ବର୍ତ୍ତିବା ପାଇଁ ପ୍ରତିଦିନ ମଶାରି ଟାଣି ଶୋଇବା, ଘର ପାଖାପାଖି ପାଣି ଜମିବାକୁ ନଦେବା, ସନ୍ଧ୍ୟା ସମୟରେ ଘରର ଦ୍ୱାର, ଝରକା ବନ୍ଦ ରଖିବା, ଶରୀରରେ ଜ୍ୱର ଅଧିକ ଦିନ ରହିଲେ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେଇ ରକ୍ତ ପରୀକ୍ଷା କରି ତତ୍କାଳ ସଂପୁର୍ଣ୍ଣ ଔଷଧ ଖାଇବା ନିତାନ୍ତ ଆବଶ୍ୟକତା ରହିଛି । ଏପରିକି ମଶା ଘଉଡାଇବା ପାଇଁ ବଜାରରେ ମିଳୁଥିବା କେମିକାଲ୍ଯୁକ୍ତ ଲିକ୍ୟୁଡ୍ କିମ୍ବା କଏଲ୍ ବ୍ୟବହାର କରିବା ଦ୍ୱାରା ଶରୀରରେ କ୍ଷତି ହେବାର ବିଶେଷ ସମ୍ଭାବନା ଥାଏ । ମଶା ଘଉଡାଇବା ପାଇଁ ବ୍ୟବହୃତ ଲିକ୍ୟୁଡ୍ କିମ୍ବା କଏଲ୍ରୁ ବାହାରୁଥିବା ଧୁଆଁ ରାତିସାରା ମନୁଷ୍ୟର ନିଶ୍ୱାସପ୍ରଶ୍ୱାସରେ ଶରୀର ଭିତରକୁ ଯାଇ ସ୍ୱାସ୍ଥ୍ୟର ବିଶେଷ କ୍ଷତି ପହଞ୍ଚାଇଥାଏ । ଏପରିକି ଛୋଟ ପିଲାଙ୍କ ପାଇଁ ଏହି ରାସାୟନିକ ଉତ୍ପାଦକ ବିଶେଷ କ୍ଷତିକାରକ । ତେଣୁ ପ୍ରାକୃତିକ ଉପାୟରେ ମଶା ଘଉଡାଇବାର ନିତାନ୍ତ ଆବଶ୍ୟକତା ରହିଛି ।


