ଅନ୍ତ୍ୟୋଦୟ ଗୃହ ଯୋଜନା କାହା ପାଇଁ : ଘର ଖଣ୍ଡେ ପାଇଁ ଅପେକ୍ଷାରେ ବିଧବା ପତ୍ନୀ
ନାଉଗାଁ , (ଓ୍ବାଇଏନଏସ): ସରକାର ଅସହାୟ ପରିବାରକୁ ଗୃହ ଯୋଗାଇ ଦେବା ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଂଚିତ ହେଉଥିବା ବେଳେ ଅଯୋଗ୍ୟ ବ୍ୟକ୍ତି ମାନେ ସାମିଲ ହେଉଥିବା ଜଣାଯାଇଛି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଞ୍ଚଯାତର କୁଣ୍ଡେଶ୍ୱର ଗ୍ରାମର ରୁନୁ ଲେଙ୍କା । ରୁନୁ ଲେଙ୍କା ଗୋଟିଏ ଘର ପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଲକ କାର୍ଯ୍ୟାଳୟ ଯାଇ ଯାଇ ନୟାନ୍ତ ହେଲେଣି । ହେଲେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗୃହ ଟିଏ ପାଇବାରୁ ବଞ୍ଚିତ ହେଇଛନ୍ତି। ସୂଚନା ଅନୁସାରେ ରୁନୁ ଲେଙ୍କାଙ୍କର ସ୍ୱାମୀ ବାବାଜୀ ଲେଙ୍କା ପାଞ୍ଚ ବର୍ଷ ତଳେ କ୍ୟାନ୍ସର ରୋଗରେ ପୀଡିତ ଥାଇ ମୁତ୍ୟୁବରଣ କରିଥିଲେ। ବାବାଜୀ ମଧ୍ୟ ସେତେବେଳେ ବ୍ଲକ କାର୍ଯ୍ୟାଳୟକୁ ଘରଟିଏ ପାଇବା ପାଇଁ ଧାଇଁ ଧାଇଁ ଶେଷରେ ହତାଶ ହୋଇ ରୋଗରେ ପଡି ମୃତ୍ୟୁବରଣ କଲେ । ଏବେ ରୁନୁ ଅଭାବ ଅନାଟରେ କାଳତୀପାତ କରୁଛନ୍ତି । ସରକାର ଠାରୁ ରାସନ ଚାଉଳ ଓ ଭତ୍ତା ପାଉଛନ୍ତି | ରୁନୁ ନିଜେ ପର ଘରେ କାମ କରି ଯାହା ରୋଜଗାର କରନ୍ତି ଏବଂ ପୁଅ ସନାତନ ବୟସ ୨୪ ବର୍ଷ । ବାପା ବାବାଜୀଙ୍କ ଅକାଳ ମୃତ୍ୟୁ ପରେ ସନାତନ ଟଙ୍କାର ଅଭାବ ଥିବାରୁ ଅଧିକ ପାଠ ନ ପଢି ପାରି ଏବେ ଏକ ଛୋଟ ହୋଟେଲରେ କାମ କରି ପରିବାର ଚଳାଉଛନ୍ତି| ମାଆ ରୁନୁ ଓ ପୁଅ ସନାତନ ଯାହା ରୋଜଗାର କରନ୍ତି ତାହା କଷ୍ଟମଷ୍ଟରେ ଚଳି ଯାଉଛନ୍ତି । ଘର କରିବା ପାଇ ସାମର୍ଥ୍ୟ ନାହିଁ । ସରକାର ଏଭଳି ପରିବାରକୁ ଗୋଟିଏ ଘର ଟିଏ ଦେବାରେ କିପରି ଅଣଦେଖା କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ସରକାର ତୁରନ୍ତ ରୁନୁ ଲେଙ୍କାଙ୍କୁ ଘର ଯୋଗାଇ ଦେବା ପାଇଁ ଗ୍ରାମର ଯାଚିନ୍ଦ୍ରନାଥ ମହାନ୍ତି , ସଞ୍ଜୟ ଶଙ୍କର କାଣ୍ଡି , ଭାଗବତ କାଣ୍ଡି ପ୍ରମୁଖ ଦାବି ଜଣାଇଛନ୍ତି।


