ପତ୍ନୀଙ୍କୁ ହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀଙ୍କ ଜାମିନ ଖାରଜ
ବୁଗୁଡା, (ଅନୀଲ କୁମାର ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ଅଙ୍ଗଦ ନାୟକଙ୍କ ଝିଅ ପୂଜା ନାୟକ ବେଳଗୁଣ୍ଠା ଥାନା ଅନ୍ତର୍ଗତ ନୂଆ ଗାଁ ର ସନ୍ତୋଷ କୁମାର ନାୟକଙ୍କୁ ବିବାହ କରିଥିଲେ। ସେମାନେ ୪ ଟି ସନ୍ତାନର ମାଆ ଓ ବାପା ମଧ୍ୟ ହୋଇଥିଲେ। ହେଲେ ଅନ୍ୟ ଦୁଇ ମହିଳାଙ୍କ ସହ ସମ୍ପର୍କ ରଖି ସନ୍ତୋଷ ନାୟକ ପତ୍ନୀ ପୂଜା ନାୟକଙ୍କୁ ବହୁ ନିର୍ଯ୍ୟାତନା ଦେଇଆସୁଥିବା ବେଳେ ୨୦୨୫ ଅଗଷ୍ଟ ମାସରେ ପୂଜା ନାୟକଙ୍କ ମୃତ୍ୟୁ ହୋଇଥିଲା। ପୂଜାର ମାଆ ଶାନ୍ତି ନାୟକ ତାଙ୍କର ଜ୍ବାଇଁ ଓ ଦୁଇ ମହିଳା ମିଶି ତାଙ୍କ ଝିଅକୁ ମାରିଦେଇଥିବା ନେଇ ବେଳଗୁଣ୍ଠା ଥାନାରେ ଅଭିଯୋଗ କଲାପରେ ପୋଲିସ ସନ୍ତୋଷ କୁମାର ନାୟକ ଓ ଅନ୍ୟ ଦୁଇ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜେଲରେ ଥିବା ସନ୍ତୋଷ କୁମାର ନାୟକ ଜାମିନ ପାଇଁ ଓଡିଶା ହାଇ କୋର୍ଟରେ ଆବେଦନ କରିଥିଲେ। ସରକାରୀ ଓକିଲ ଥିବା ସ୍ଵତ୍ତ୍ୱେ ମୃତ ପୂଜାର ମାଆ ଶାନ୍ତି ଅତିରିକ୍ତ ଭାବେ କେଶ ଲଢ଼ିବାକୁ ସରସ୍ୱତୀ ସେନାପତିଙ୍କୁ ଦାୟିତ୍ୱ ଦେଇଥିଲେ। ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଭି.ନରସିଂହ ସମସ୍ତ ପରିସ୍ଥିତି ଓ ଉପସ୍ଥାପିତ ଯୁକ୍ତିକୁ ବିଚାର କରି ସନ୍ତୋଷ କୁମାର ନାୟକଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଏନଏସ ଧାରା ୮୫, ୧୦୩ (୧) ଓ ୩ (୫) ଅନୁଯାୟୀ ଗୁରୁତର ଅଭିଯୋଗ ରହିଥିବା ଦର୍ଶାଇ ମୃତକଙ୍କ ମାଆ ପକ୍ଷରୁ ଆଇନଜୀବୀ ସରସ୍ୱତୀ ସେନାପତି ଦୃଢ଼ ଭାବେ ଜାମିନ ଆବେଦନକୁ ବିରୋଧ କରି ମାମଲାର ଗୁରୁତ୍ୱ ଅଦାଲତଙ୍କୁ ଗୋଚର କରାଇ ଥିଲେ। ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ଆଦେଶ ଏକ ଗୁରୁତ୍ୱପୂର୍ଣ୍ଣ ନ୍ୟାୟିକ ସଫଳତା ବୋଲି ଆଇନଜୀବୀ ମତବ୍ୟକ୍ତ କରିଛନ୍ତି।


