ସୁଶାସନ ସପ୍ତାହ ପାଳନ ଅବସରରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ କର୍ମଶାଳା
କଟକ, (ଓ୍ବାଇଏନଏସ): ସୁଶାସନ ସପ୍ତାହ ପାଳନ ଅବସରରେ ଦେଶବ୍ୟାପୀ ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଅବସରରେ ଆଜି କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଡକ୍ଟର ଉପେନ୍ଦ୍ର ନାଥ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁଶାସନର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କର ଏ ଦିଗରେ ମାର୍ଗଦର୍ଶନ କରିଥିଲେ । ମହାଭାରତରେ ଶ୍ରୀକୃଷ୍ଣ ଅର୍ଜନଙ୍କୁ ବୁଝାଇବାଠାରୁ ଆରମ୍ଭ କରି କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ପର୍ଯ୍ୟନ୍ତ ସବୁଥିରେ ରାଜାର କର୍ତବ୍ୟ ଓ ପ୍ରଜାର କର୍ତବ୍ୟର ବର୍ଣ୍ଣନା ରହିଆସିଛି । ପ୍ରଶାସନ ସର୍ବଦା ପ୍ରଜାମୁଖୀ ବା (ସିଟିଜେନ୍ ସେଂଟ୍ରିକ୍) ହେବା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ । ସୁଶାସନର ଆଭିମୁଖ୍ୟ ଆରମ୍ଭ ହେବା ପରେ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ଜନସାଧାରଣ ଅଧିକ ସ୍ୱଚ୍ଛ ଓ ଉତରଦାୟୀ ଓ ଅନ୍ତର୍ଭୁକ୍ତି ପ୍ରଶାସନ ପାଇଛନ୍ତି । ପ୍ରଶାସନିକ ବ୍ୟବସ୍ଥାରେ ସମାନତା ଆସିବା ସହ ଲୋକଙ୍କ ଅଂଶଗ୍ରହଣ ମଧ୍ୟ ବୃଦ୍ଧି ପାଇଛି । ଆବଶ୍ୟକତା ଅନୁସାରେ ଆଭିମୁଖ୍ୟରେ ପରିବର୍ତନ ଅଣାଯାଇଛି । ଏଥିସହ ଏକ ସୁସ୍ଥ ସରକାର ପାଇଁ ଆବଶ୍ୟକୀୟ ସୁଶାସନର ବିଭିନ୍ନ ଦିଗ ଉପରେ ଡକ୍ଟର ବେହେରା ଆଲୋଚନା କରିଥିଲେ । ଇ- ଗଭର୍ଣ୍ଣାନସ, ସୂଚନା ଅଧିକାର ଆଇନ୍, ସ୍ୱଚ୍ଛନ୍ଦରେ ବ୍ୟବସାୟ କରିବା, ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ, କ୍ଷମତାର ବିକେନ୍ଦ୍ରୀକରଣ, ସବୁ ବ୍ଲକରେ ବ୍ୟାଙ୍କ ଖୋଲିବା ଓ ସମସ୍ତଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସାମିଲ କରିବା ଆଦି କାର୍ଯ୍ୟକ୍ରମ ସୁଶାସନ ଦିଗରେ ଏକ ଏକ ପଦକ୍ଷେପ ବୋଲି କହିଥିଲେ । ତୃଣମୂଳ ସ୍ତରର ପ୍ରତିଟି ଲୋକଙ୍କ ନିକଟରେ ସରକାରଙ୍କ ଯୋଜନାର ସୁଫଳ ପହଂଚାଇବା ଦିଗରେ ପ୍ରଶାସନ ନିଜର ଦାୟିତ୍ୱ ନିର୍ବାହ କରିଆସୁଛି ବୋଲି ଜିଲ୍ଳାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେ କହିଥିଲେ । ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ଲୋକଙ୍କ ଅସୁବିଧାକୁ ତୁରନ୍ତ ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହାନ୍ତ ଉପସ୍ଥିତ ଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ସୂଚନା ଅଧିକାରୀ ସ୍ୱାଗତିକା ବେହେରା ସ୍ୱାଗତ ସମ୍ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କର୍ମଶାଳାରେ ଜିଲ୍ଲାର ସୁଶାସନ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିବାବେଳେ ସ୍ୱାସ୍ଥ୍ୟ, କୃଷି, ଶିଶୁ ବିକାଶ, ସାମାଜିକ ସୁରକ୍ଷା, ସମାଜ କଲ୍ୟାଣ, ଶିକ୍ଷା ଓ ସାଧାରଣ ଅଭିଯୋଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଜିଲ୍ଳାର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି କର୍ମଶାଳାରେ ଯୋଗ ଦେଇଥିଲେ ।


