ବିଶ୍ୱ ଆଦିବାସୀ ଦିବସ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବ୍ଲକ ଆଦିବାସୀ ସମାଜ ତରଫରୁ ଧୂମଧାମର ସହ ବିଶ୍ୱ ଆଦିବାସୀ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବ୍ଲକ ଆଦିବାସୀ ସମାଜର ସଭାପତି ଜଗନ୍ନାଥ ନୁଣ୍ଡ୍ରୁକାଙ୍କ ନେତୃତ୍ୱରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ ଆଦିବାସୀ ସମାଜର କର୍ମକର୍ତା ଓ ମହିଳା,ଯୁବକ ଯୁବତୀ ମାନେ ଉପସ୍ଥିତ ରହି ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପରିସରରୁ ପାରମ୍ପରିକ ବାଦ୍ୟ ଓ ଅସ୍ତ୍ରଶସ୍ତ୍ର ସହ ଏକ ବଡ଼ ପଟୁଆରରେ ପାରମ୍ପରିକ ନୃତ୍ୟ କରି ସଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମୁନିଖୋଲସ୍ଥିତ କନିକା ପରମେଶ୍ୱରୀ ମନ୍ଦିରରେ ପହଞ୍ଚିଥିଲେ l ସହର ପରିକ୍ରମା ବେଳେ ନୂତନ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ବାବାସାହେବ ଆମ୍ବେଦକରଙ୍କ ଓ ତିନି କୋଣିଆ ଛକ ନିକଟରେ ଥିବା ସହୀଦ ଲଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଆଦିବାସୀ ନେତା ମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପରେ ମନ୍ଦିରର ସଭାସ୍ଥଳରେ ସଭାପତି ଶ୍ରୀ ନୁଣ୍ଡ୍ରୁକାଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ସାରଙ୍ଗଧର କାଡ୍ରାକା,ମୁଖ୍ୟବକ୍ତା ଭାବେ ରାୟଗଡା ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ସୁରେଶ ମାଝୀ,ସମ୍ମାନିତ ଅତିଥିଭାବେ ବରିଷ୍ଠ ଆଦିବାସୀ ନେତା ଦୁର୍ଯ୍ୟୋଧନ ପିଡିକାକା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ ଶବର, ଅଗ୍ରଣୀ ଚାଷୀ ଲୋକନାଥ ନୁଣ୍ଡ୍ରୁକା ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ପ୍ରାରମ୍ବିକରେ ସଭାପତି ଶ୍ରୀ ନୁଣ୍ଡ୍ରୁକା ଅତିଥି ପରିଚୟ ସହ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ପରେ ଏହି ଦିବସ ପାଳନର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅତିଥି ମାନେ ପୁରାତନ ଆଦିମ ଜନଜାତି ସମ୍ପ୍ରଦାୟର ଅଧିକାର, ସଂସ୍କୃତିର ସୁରକ୍ଷା, ସମ୍ମାନ ଏବଂ ଜଙ୍ଗଲ,ଜମିର ସୁରକ୍ଷା,ଶିକ୍ଷା ସହିତ ସେମାନଙ୍କ ବିଲୁପ୍ତ ହେବାକୁ ବସିଥିବା ବିରଳ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ଉପରେ ଆହ୍ୱାନ ଦେଇଥିଲେ। ଏଥିସହ ପାଠ ପଢିବା, ଶିକ୍ଷିତ ହେବା ଓ ସଂଗଠିତ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ବର୍ଗର ଲୋକଙ୍କୁ ପୁଷ୍ପଗୁଛ ସହ ଉତ୍ତରୀୟ ପ୍ରଦାନ କରି ସମାଜ ତରଫରୁ ସମ୍ମାନିତ କରାଯାଇଥିଲା l ପରେ ବିଭିନ୍ନ ଗ୍ରାମରୁ ଆସିଥିବା କଳାକାର ମାନଙ୍କ ତରଫରୁ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ପାରମ୍ପରିକ ନୃତ୍ୟ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ସମାଜର ପ୍ରକାଶ କରସିକା, ତ୍ରିପତି କିଲାକା,ଅନନ୍ତ ନୁଣ୍ଡ୍ରୁକା,ଜଗା ଶବର, ବେଣୁଧର ଗାଡାକା, ପାର୍ବତୀ ଗାଡ଼ାକା,ରଘୂପତି କାଡ୍ରାକା,ସଞ୍ଜୀବ କୁମାର କାଡ୍ରାକା,ସୁବାଷ ପ୍ରାସ୍କା,ଉପେନ୍ଦ୍ର ସିକକା, ରାଜୀବ ପୁସିକା,ଶକୁନ୍ତଳା ନୁଣ୍ଡ୍ରୁକା, ଦୁଖିନି ନୁଣ୍ଡ୍ରୁକା,ଶଙ୍କର ଗୁଡ଼ୁମ୍ବାକା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ