ଆଲିଆଙ୍କ ପିଶାଚ ପତି ହେବେ ଇମ୍ରାନ
ନାମୀ ବଲିଉଡ୍ ଫିଲ୍ମ ନିର୍ମାତା-ନିର୍ଦେଶକ ସଞ୍ଜୟ ଲୀଲା ଭନସାଲୀ ନିଜର ଆଗାମୀ ସିନେମା ’ଗଙ୍ଗୁବାଈ କାଠିଆୱାଡି’ ସମ୍ପର୍କରେ ଯେବେଠାରୁ ଘୋଷଣା କଲେଣି, ସେବେଠାରୁ ଏହା ଚର୍ଚ୍ଚାରେ ରହିଛି। ଏହି ଫିଲ୍ମରେ ଆଲିଆ ଭଟ୍ଟ ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ଯାଉଥିବାବେଳେ ଅଜୟ ଦେବଗନ ଓ ଇମ୍ରାନ ହାଶମୀ ମଧ୍ୟ ଏଥିରେ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଥିବା ଜଣାପଡ଼ିଛି। ଇମ୍ରାନ ଲକଡାଉନ ପୂର୍ବରୁ ନିଜର ଅଧିକାଂଶ ଦୃଶ୍ୟ ଶୁଟିଂ କରିସାରିଥିବାବେଳେ ଅଜୟଙ୍କ ଶୁଟିଂ ବାକି ଅଛି ବୋଲି କୁହାଯାଉଛି। ଏବେ ଇମ୍ରାନ ଫିଲ୍ମରେ କେଉଁ ଚରିତ୍ରରେ ଅଭିନୟ କରିଛନ୍ତି, ତାହା ମଧ୍ୟ ଜଣାପଡ଼ିଛି । ଏକ ରିପୋର୍ଟ ଅନୁସାରେ ଇମ୍ରାନ ଏହି ସିନେମାରେ ନେଗେଟିଭ୍ ଚରିତ୍ରରେ ଅଭିନୟ କରୁଛନ୍ତି। ତାଙ୍କ ଚରିତ୍ର ବହୁତ ଗୁରୁତ୍ବପୂର୍ଣ୍ଣ ଥିବାବେଳେ ସେ କିଛି ସମୟ ପାଇଁ ନଜର ଆସିବେ ବୋଲି ଜଣାପଡ଼ିଛି। ସେ ଗଙ୍ଗୁବାଈ ଚରିତ୍ରରେ ଅଭିନୟ କରୁଥିବା ଆଲିଆଙ୍କ ମନ୍ଦବୁଦ୍ଧି ପତି ଭୂମିକାରେ ଅଭିନୟ କରିବେ, ଯିଏକି ବହୁତ କମ୍ ବୟସରେ ଗଙ୍ଗୁବାଈଙ୍କୁ ବେଶ୍ୟାବୃତ୍ତି କରିବାକୁ ଠେଲି ଦେଉଛନ୍ତି। ଇମ୍ରାନ ଏହି ସିନେମାରେ ଗଙ୍ଗୁବାଈଙ୍କ ପିତାଙ୍କ ଆକାଉଣ୍ଟାଣ୍ଟ ଚରିତ୍ରରେ ଅଭିନୟ କରୁଛନ୍ତି, ଯିଏକି ଗଙ୍ଗୁବାଈଙ୍କୁ ପ୍ରେମଜାଲରେ ଫସାଇ ମୁମ୍ବାଈ ନେଇ ପଳାଉଥିବା ସିନେମାରେ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ ଯେ ଏହି ସିନେମାଟି ହୁସେନ ଜୈଦୀଙ୍କ ପୁସ୍ତକ ’ମାଫିଆ କୁଇନ୍ ଅଫ୍ ମୁମ୍ବାଈ’ ଉପରେ ଆଧାରିତ। କୁହାଯାଉଛି, ଗଙ୍ଗୁବାଈ ନିଜ ପତିଙ୍କ ସହିତ ଏକ ନୂଆ ଜୀବନ ବଞ୍ଚିବାକୁ ସ୍ବପ୍ନ ଦେଖୁଥିବାବେଳେ ତାଙ୍କୁ ତାଙ୍କ ପତି ମାତ୍ର ୫୦୦ ଟଙ୍କାରେ ବେଶ୍ୟାଳୟରେ ବିକ୍ରି କରି ଦେଇଥିଲେ। ଇମ୍ରାନଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରଥମେ କାର୍ତ୍ତିକ ଆର୍ୟନଙ୍କୁ ଅଫର କରାଯାଇଥିଲା। କିନ୍ତୁ ନେଗେଟିଭ୍ ଚରିତ୍ର ହୋଇଥିବାରୁ ସେ ଏହା କରିବାକୁ ମନା କରିଦେଇଥିଲେ ବୋଲି କୁହାଯାଉଛି।