ତେଲେଙ୍ଗାନା ପୁଲିସର ମାନବିକ ଅଧିକାର ଉଲ୍ଲଘଂନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ତେଲେଙ୍ଗାନା ପୁଲିସ ଓଡିଶା ପୋଲିସଙ୍କ ଅଗୋଚରରେ ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଜଣେ ଅଭିଯୁକ୍ତଙ୍କୁ ମାନବିକ ଅଧିକାର ଉଲ୍ଲଙ୍ଘନ କରି ରାସ୍ତାରେ ହାତ ଓ ଗୋଡ଼ରେ ବେଡି ପକାଇ ବୁଲାଇବା ଘଟଣାକୁ ନେଇ ସାଧାରଣରେ ତୀବ୍ର ବିରୋଧ କରାଯାଇଛି. ଏଭଳି ଅମାନବିକତା ଘଟଣା ନେଇ ଉଚ୍ଚସ୍ତରୀୟ ତଦନ୍ତ ଦ୍ୱାରା ତେଲେଙ୍ଗନା ପୋଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି.ହାଇଦ୍ରାବାଦରୁ ଚୋରି ହୋଇଥିବା ଅଢେଇ ଭରି ସୁନା ପାରଳାଖେମୁଣ୍ଡିର ଏକ ସୁନାଦୋକାନରୁ ଉଦ୍ଧାର ହୋଇଛି। ସୁନା ଚୋରି ଅଭିଯୋଗରେ ହାଇଦ୍ରାବାଦ ଫିଲ୍ମନଗର ଥାନା ପୁଲିସ ଗିରଫ ଅଭିଯୁକ୍ତ ଦମ୍ପତିଙ୍କୁ ଧରି ସହ ପାରଳାଖେମୁଣ୍ଡିରେ ପହଞ୍ଚି ସଂପୃକ୍ତ ସୁନା ଦୋକାନରେ ଚଢ଼ଉ କରି ଚୋରି ସୁନା ଜବତ କରିଛି| ହେଲେ ଏହି ଘଟଣାରେ ତେଲେଙ୍ଗାନା ପୁଲିସ ସ୍ଥାନୀୟ ପୁଲିସର ସହାୟତା ନେଇ ନଥିବା ସାଧା ପୋଷାକରେ ରହି ଅଭିଯୁକ୍ତଙ୍କ ହାତ ଓ ଗୋଡ଼ରେ ବେଡ଼ି ପକାଇ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନ ବୁଲାଇବା ଦେଖି ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ପାରଳାଖେମୁଣ୍ଡିର ଏକ ଲଜ୍ରେ ତେଲେଙ୍ଗାନା ପୁଲିସ ରହି ସହରର ବିଭିନ୍ନ ସୁନାଦୋକାନୀଙ୍କୁ ଡାକି ପଚରା ରାଉଚରା କରୁଥିଲେ ମଧ୍ୟ ପାରଳାଖେମୁଣ୍ଡି ଥାନା ପୁଲିସ୍ ଏ ସଂପର୍କରେ ସାମାନ୍ୟତମ ସୁରାକ ପାଇନଥିଲା। ଏହାକୁ ସହରର କେତେକ ବୁଦ୍ଧିଜୀବୀ ବିରୋଧ କରିବା ସହ ପାରଳାଖେମୁଣ୍ଡି ଥାନାକୁ ଜଣାଇବା ପରେ ପୁଲିସ ପହଞ୍ଚି ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିବାରୁ ସମଗ୍ର ଘଟଣା ଜଣାପଡ଼ିଥିଲା। ଜଣେ ଅଭିଯୁକ୍ତକୁ ମାନବିକ ଅଧିକାର ଉଲଂଘନ କରି ରାସ୍ତାରେ ହାତ ଓ ଗୋଡ଼ରେ ବେଡ଼ି ପକାଇ ବୁଲାଇଥିବା ଘଟଣାକୁ ସ୍ଥାନୀୟ ଲୋକେ ବିରୋଧ କରି ଘଟଣା ନେଇ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଏଭଳି ଅଭାବନୀୟ ଘଟଣା ନେଇ ତେଲେଙ୍ଗନା ପୋଲିସ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସର୍ବ ସାଧାରଣରେ ଦାବି ହୋଇଛି.

 
             
						 
						 
						 
						 
						 
						
