ତ୍ରିକୋଣୀୟ ପ୍ରେମ

ରାସ୍ତାର କଡେ କଡେ ଜେଜେଙ୍କ ସଙ୍ଗେ ଗାଡି ଗଡୁଥିଲା ସୋନାଲି ଘର ଅଭିମୁଖେ.ଜିଅନ୍ତା ସ୍ମୃତି ସବୁ ଲୁହ ହୋଇ ଆଖିରୁ ଝରି ପଡୁଥିଲା ବେଳେ ହୃଦୟ କାନ୍ଥରେ ବୋଳି ଚାଲିଥିଲା ସ୍ମୃତି ସବୁକୁ ଆଦିତ୍ୟ. ଭାବୁଥିଲା ଆଦି ଅଜା ଓ ଜେଜେଙ୍କ ସହ ବିତେଇଥିବା ସେଇସବୁ ସୁନ୍ଦର ସ୍ମୃତି କାହାଣୀ.ମାଆ ସେଦିନ ତାଗିଦ କରୁଥିଲା ଅଜାଙ୍କୁ.ତମକୁ କେତେଥର କହିଲିଣି ବାପା ଆଦି କଥାରେ ପଡି ରାତିରେ ଛାତ ଉପରେ ନଶୋଇବାକୁ. ତମେ ଶୁଣୁନାହଁ. ଦେହ ଖରାପ ହେଲେ ଯେତେ ଔଷଧ ଖାଇଲେ ମଧ୍ୟ କଷ୍ଟ ତ ତମେ ଭୋଗିବ ନା. ସେଥିରେ ପୁଣି ଆଦି ସହ ଗପି ଗପି ଢେର ରାତି ଯାଏଁ ଅନିଦ୍ରା ରହୁଛ. କଣ ଯେ ଅଜା ନାତି ଏତେ ଗପକର, ବୁଝିପାରୁନି ମୁଁ. ଦୀନବନ୍ଧୁ ବାବୁ କହନ୍ତି ଆରେ ମାଆ ଔଷଧ ଠାରୁ ପରା ଢେର ଗୁଣ ବଡ଼ ଔଷଧ ଅଛି ମୋ ନାତି ପାଖରେ. କି ଔଷଧ ବାପା? ଏଇ ତା ମୋବାଇଲରେ ସବୁ ଅଛି. ଡରିଗଲେ ନିଶା. ବାପାଙ୍କୁ ମୋବାଇଲମାନିଆଁ ହେଲାଣି ତେବେ. ପୁଅକୁ ପାଟି କଲେ. ତୁ ତୋର ମୋବାଇଲ ଦେଖୁଛୁ ତ ଦେଖେ ମୋ ବାପାଙ୍କୁ କାହିଁକି ସେଥିରେ ଭରି କରୁଛୁ? ମୁଁ ଜମା ଭରି କରୁନି ତାଙ୍କୁ ମାଆ ସେ ପରା ମୋବାଇଲ ନଦେଖିଲେ ଶୋଉ ନାହାଁନ୍ତି. ଏଥର ରୀତିମତ ଡରିଗଲେ ନିଶା ପଚାରିଲେ ତୁ କଣ ତାଙ୍କ ନାମରେ ହ୍ୱାଟ୍ସ ଆପ ଓ ଫେସ ବୁକ ଆକାଉଣ୍ଟ ଖୋଲିଛୁ କି ଆଦି?ଆରେ ମୋ ଫୋନରେ ମୁଁ ଅଜାଙ୍କ ନାମରେ କାହିଁକି ସେଗୁଡାକ ଖୋଲିବି? ବରଂ ମୋ ଆପ ଓ ଆକାଉଣ୍ଟକୁ ଏବେ ଅଜା ଚଳାଉଛନ୍ତି ପରା. ସନ୍ଦେହରେ ଚାହିଁଲେ ପୁଅକୁ ନିଶା. ପୁପୁନ କହୁଥିଲା ମାଆ ତମେ ବି ନା ମିଛରେ ସନ୍ଦେହ କରୁଛ ଅଜାଙ୍କୁ. ଆଦି ବୁଝିପାରୁନଥିଲା ତା ମାଆ ତା ବାପାଙ୍କୁ ନୁହେଁ ବରଂ ତାକୁ ହିଁ ସନ୍ଦେହ କରୁଛନ୍ତି.ନିଶାଙ୍କର ମନେପଡୁଥିଲା ମାଆ ରୂପା ଥରେ ଘର ଛାଡ଼ି ବାପାଙ୍କୁ ଛାଡ଼ି ଅସମୟରେ ଆସି ତା ଘରେ ପହଞ୍ଚିଥିଲା, କହିଥିଲା ତୋ ବାପାଙ୍କ ଗତି ଵିଧି ମତେ ଭଲ ଲାଗୁନି. କି ଫୋନ ଦେଲୁଯେ ରାତି ସାରା କାହା ସଙ୍ଗେ କଥା ହେଉଛନ୍ତି. ରାତି ସାରା ବାପା କାହା ସଙ୍ଗେ କଥା ହେଉନଥିଲେ, ଏ ବୟସରେ ତାଙ୍କୁ ଏକୁଟିଆ ଛାଡ଼ି ତୋ ଘରକୁ ଆସିଥାଆନ୍ତି ମୁଁ? ନିଶା ଦୌଡ଼ି ଯାଇଥିଲେ ଗାଁକୁ. ରାତିରେ ବାପା ମୋବାଇଲ ଖୋଲି ୟୁଟୁବରୁ ରୋଗ, ତାର କାରଣ, ନିରାକରଣ ସବୁ ଶୁଣୁଥିଲେ ତ ବୋଉକୁ ସନ୍ଦେହ ହୋଇଥିଲା କିନ୍ତୁ ବୋଉ ଯେବେ ଜାଣିପାରିଲା ସତ କଥା ନିଜ ଲାଜରେ ନିଜେ ଲାଜେଇ କହିଥିଲା ତୋ ରାମଚନ୍ଦ୍ର ପରି ବାପାଙ୍କୁ ସନ୍ଦେହ କରି ଭୁଲ କରିଛି ଝିଅ. ଆଉ ସେହି ରାମଚନ୍ଦ୍ର ପରି ବାପା ଆଜି ଆଦି ମୋବାଇଲରେ କଣ ୟୁଟୁବ ଦେଖୁ ଦେଖୁ ଅନ୍ୟ କିଛି ଦେଖୁଛନ୍ତି ନା କଣ??ସେଦିନ ଲୁଚି ଲୁଚି ଶୁଣୁଥିଲେ ନିଶା ବାପା ଝିଅଟିଏ ସହ କଥା ହେଉଥିଲେ ତୁ ଦିନେ ମୋ ସହ କଥା ନହେଲେ ମତେ ବିରହ ମାଡି଼ବସେ. ସେପଟୁ ଝିଅଟିର ଖିଲ ଖିଲ ହସ. ଆଉ ଶୁଣିବାକୁ ଧର୍ଯ୍ୟ ନଥିଲା ନିଶାଙ୍କର.
ସେଦିନ ଆଦି ଯେବେ ଛାତ ଉପରକୁ ଯିବାକୁ ବାହାରିଲା ତା ସହ ଶୋଇବାକୁ ଯାଉଥିବା ବାପାଙ୍କୁ ସେ ଜମା ଛାଡିଲାନି. ବୋଉ ନାହିଁ ବୋଲି ତୁମେ ଏ ବୟସରେ ରୋଗୀଣା ଶରୀରରେ ମୋବାଇଲରେ କୋଉ ଝିଅ ସଙ୍ଗେ ଗପିବ ନା କଣ? ଆଜି ଛଡ଼ଉଛି ତୁମ ଅଭ୍ୟାସ କହି ନିଶା ଜଗି ରହିଲେ ବାପାଙ୍କୁ. କଡ଼ ଲେଉଟାଇ ଶୋଇବାକୁ ଚେଷ୍ଟା କରି ମଧ୍ୟ ଶୋଇପାରୁନଥିଲା ବେଳେ ଆଦି ଅନ୍ଧାରରେ ଅଜାଙ୍କ ପାଖକୁ ଆସି ଡାକୁ ଥିଲା ଅଜା ଆସ ସୋନାଲି ପା ଅପେକ୍ଷା କରିଛି ତୁମକୁ. ନିଶା ଦେଖିଲେ ଛପି ଛପି ବାପା ଆଗେଇ ଯାଉଛନ୍ତି. ବାପାଙ୍କୁ ରୋକିବେ କଣ ପୁଅ ଆଦିକୁ ମାଡି ବସି କହିଲେ କିଏ ସେ ସୋନାଲି କହ ସତକଥା. ଆଦି ଲାଜେଇଯିବ କଣ ବାପା ଲାଜେଇଯାଇ କହୁଥିଲେ ନାତୁଣୀବୋହୂଟା ମୋର ଭାରି ଭଲ. ମୁଁ ଜାଣିନି,ତୁମର ନାତୁଣୀ ବୋହୁ ହୋଇସାରିଲାଣି ସିଏ କହି ଫୋନ ଛଡେଇ ପଚାରିଲେ କିଏ ତୁ ଝିଅ. ମୁଁ ସୋନାଲି ଆଜ୍ଞା. ସେ କଥାରେ କି ଯାଦୁ ଥିଲା କେଜାଣି ନିଶା କହିଲେ ହଉ ହଉ ଅଜାଙ୍କୁ କଥା ପଦେ ଦିପଦ କହିଦେ ସେ ଶୋଇପଡନ୍ତୁ. ବାପା ଆଶ୍ଚର୍ଯ୍ୟରେ ଚାହିଁଥିଲେ ଝିଅକୁ.ସେହିଦିନୁ ସିନା ଘରେ ସମସ୍ତେ ସୋନାଲି ବିଷୟରେ ଜାଣିଥିଲେ ହେଲେ ମୂଳ ସୂତ୍ରଧର ତ ଜେଜେ ଥିଲେ. ଏ ଦୁଇବୁଢାଙ୍କ ଯୋଗୁଁ ସୋନାଲି ଭଳି ଝିଅକୁ ପାଇ ବି ହରାଇ ଦେବା ଦୁଃଖରେ ଆଦିତ୍ୟ ହାରି ଯାଇନାହାଁନ୍ତି. ରାସ୍ତାର କଡେ କଡେ ବହିଯାଉଥିବା ନଈଟିକୁ ଦେଖି ପ୍ରେରଣା ପାଇଛନ୍ତି ଆଦିତ୍ୟ. ନଈର କର୍ତ୍ତବ୍ୟ ଯଦି ସାଗରରେ ମିଶିବା ନଈ ପରି ତାଙ୍କର କଣ କର୍ତ୍ତବ୍ୟ ନୁହେଁ ସୋନାଲିର ସବୁ ଦାଇତ୍ୱ ବୁଝିବା. ପୁଣି ଭାବନାରେ ବୁଡି ଯାଉଥିଲେ ଆଦିତ୍ୟ.ପାର୍କରେ ତିନିଦିନ ହେଲାଣି ଅପେକ୍ଷା କରି କରି ସୋନାଲି ଆସୁନଥିଲା. ଆଣିଥିବା ଫୁଲ ତୋଡ଼ା ବସିଥିବା ଭିକାରୀକୁ ଦେଇ ଫେରିଯାଉଥିଲା ଆଦି ମାନେ ଆଦିତ୍ୟ ମହାପାତ୍ର. ଆଜି ପର୍ଯ୍ୟନ୍ତ ସୋନାଲିକୁ ସେ ଯେତିକି ଜାଣେ ଖୁବ ନମ୍ର, ଶାନ୍ତ ତା ଚରିତ୍ର, ଖୁବ କମନୀୟ ଓ ନମନୀୟ ତା ଚେହେରା, ସଂସ୍କୃତି ସମ୍ପର୍ଣ୍ଣ ପାରିବାରିକ ଚିନ୍ତାଧାରା, ରୁଚିଶୀଳ ଭଦ୍ରା ସୋନାଲି ସହିତ ଯୋଉଦିନ ଗୋଟେ ମିଟିଙ୍ଗରେ ଦେଖା ହୋଇଥିଲା ପାଗଳ ହୋଇଯାଇଥିଲା ଆଦିତ୍ୟ. କିପରି ପ୍ରେମ ନିବେଦନ କରିବ ଭାବି ଗୋଟେ ବଡ଼ କମ୍ପାନୀର ସି ଇ ଓ ଙ୍କୁ ଭାବି ସେ ବିଚଳିତ ହୋଇ ପଡୁଥିଲା ବେଳେ ଜେଜେ ହିଁ ସାହାରା ହେଲେ.ସୋନାଲି ଫୋନ ନମ୍ବର ପାଇବାକୁ ଅସୁବିଧା ହୋଇନଥିଲା. ଜେଜେ ଜଣେ ବୟସ୍କ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିଚୟ ପାଇବା ପରେ ଜେଜେ ଗୋଟେ ବଡ଼ କମ୍ପାନୀ ଚଳାଉଥିଲେ ଶୁଣି ସୋନାଲି ତାଙ୍କଠୁ ପ୍ରଥମେ ପ୍ରଥମେ ପରାମର୍ଶ ଲୋଡୁ ଥିବା ବେଳେ ଜେଜେ ତାଙ୍କ ନାତିର ଭୁରି ଭୁରି ପ୍ରଶଂସା କରୁଥିଲେ. ନାତି ଆଦିତ୍ୟ ମଧ୍ୟ ଗୋଟେ କମ୍ପାନିର ସି ଇ ଓ ଯୋଉଟା ଜେଜେଙ୍କର ଥିଲା ଜାଣି ସୋନାଲି କେବଳ ଏତିକି କହିଥିଲା ମୁଁ ତାଙ୍କୁ ଜାଣିଥାଇ ପାରେ. ସେଇ ଟିକକ କଥାକୁ ସୂତ୍ର କରି ଜେଜେ ନାତିକୁ ନେଇ ପାର୍କରେ ସୋନାଲି ସହ ପରିଚୟ କରାଇଦେଇଥିଲେ. ଉପରକୁ ଜେଜେଙ୍କ କଥାରେ ଆସିଛି କହୁଥିବା ଆଦି କିନ୍ତୁ ଭିତରେ ଭିତରେ ଜେଜେଙ୍କୁ ଧନ୍ୟବାଦ ଦେଉଥିଲା. କ୍ରମେ ଜେଜେ ରହିଗଲେ ଆଢ଼ୁଆଳରେ ବୟସର ଦୋଷ ରୋଗର ସାହାରା ହୋଇ କିନ୍ତୁ ଆଦି ଓ ସୋନାଲି ପରସ୍ପରକୁ ସେହି ପାର୍କରେ ନିହାତି ଦେଖା କରୁଥିଲେ.ଭଲପାଇବାର ନୂତନ ସଂସ୍କରଣ ଯୁବ ପିଢ଼ି ପାଇଁ ପ୍ରେମ ନାମରେ କେବେ ବଦଳି ବାହାଘର ମଧ୍ୟ ପକ୍କା ହୋଇଗଲା ନା ଆଦି ନା ସୋନାଲି ଧରି ରଖି ପାରିନଥିଲେ ସମୟ, ପରିସ୍ଥିତିକୁ କିନ୍ତୁ ପାର୍କର ପରିବେଶକୁ କେବେ ଭୁଲି ନଥିଲେ. ଦିନେ ସେଠିକୁ ନ ଆସିଲେ ମନ ବୁଝୁନଥିଲା. ଆଦିର ଡେରି ହେଲେ ଜେଜେ କହୁଥିଲେ ଆଜି ପାର୍କକୁ ଯିବୁନି କି ମୋ ପ୍ରେମିକାକୁ ଦେଖା କରିବାକୁ କହି ଫୁଲତୋଡ଼ା ବଢ଼ାଇଦେଉଥିଲେ. ଆଦି କହୁଥିଲା ସୋନାଲି କେବଳ ମୋର ତା ଉପର ନଜର ଲଗେଇବାକୁ ତମେ ଦୁଃଶାହସ କରନା କହିଦେଉଛି ଜେଜେ. ଆରେ ସୋନାଲିକୁ ପଚାରିବୁ ଯାଆ ସେ ତୋ ଆଗରୁ ମତେ ଭଲ ପାଇଛି ନା ନାହିଁ? ସେ ହିଁ ମୋର ପ୍ରଥମ ପ୍ରେମିକା ତେବେ ଜେଜେମା ତମର କଣ. ଆରେ ତା କଥା ଛାଡ଼. ସେ ଏ ପ୍ରେମ ଫେମ କଥା କଣ ବୁଝେ. ଆଦି ହସି ହସି କହେ ହଉ ହଉ ପଚାରିବି ସୋନାଲିକୁ ତାର ବୁଢା ଦରକାର ନା ମୋ ପରି ଟୋକା କହି ହସି ହସି ଫୁଲତୋଡ଼ା ନେଇ ତିନିଦିନ ହେଲାଣି ସେ ପାର୍କକୁ ଆସୁଛି କିନ୍ତୁ ସୋନାଲିର ଦେଖା ନାହିଁ. ମନଦୁଃଖରେ ଟିକିଏ ଦୂରରେ ବସିଥିବା ଭିକାରୀ ଆଗରେ ଫୁଲତୋଡ଼ା ଫିଙ୍ଗି ଚାଲିଯାଏ ଆଦି. ଭାବେ ବାହାଘର ପକା ହେବା ପରେ ସୋନାଲି ଏମିତି ତା ପାଖରୁ ଆକର୍ଷଣ କମେଇଦେବାର ମାନେ କଣ ହୋଇପାରେ. ହୁଏତ ସୋନାଲି ଭଳି ଝିଅକୁ ଭଲପାଇ ସେ ଭୁଲ କରିବସିଛି.ଜେଜେ କହୁଥିଲେ ବୋକାଟା କିରେ, ଅଭିମାନ କରିଛି. ମାନ ଭାଙ୍ଗିବାକୁ ଚାଁହୁଛି ରାଧା. ବୁଝିପାରୁନୁ ଏତିକି. ତୋ ଆଡୁ ତୁ ଫୋନ କର. ହୃଦୟ ଖୋଲ. ଜାଣିବୁ ରାଧାରାଣୀଙ୍କ ମାନଭଞ୍ଜନ ପାଇଁ କୃଷ୍ଣଙ୍କୁ କେତେ କଷ୍ଟ କରିବାକୁ ପଡିଥିଲା.ଶାନ୍ତିରେ ଶୋଇଗଲା ଆଦିତ୍ୟ. ନୂଆ କୌଶଳ ସେ ନିଜେ ଆପଣେଇବ. କାଲି ତ ସବୁ ସି ଇ ଓ ମାନଙ୍କର ରାଜ୍ୟର ସର୍ବୋଚଙ୍କ ସହ ମିଟିଙ୍ଗ ଅଛି. ସେଇଠି ସୋନାଲିକୁ ଭେଟିଲେ କିଛି କହିବନି ତାକୁ. ସେ ଜାଣୁ ବୁଝୁ ନାରୀ ପରି ପୁରୁଷର ମଧ୍ୟ ମାନ ଅଭିମାନ ଅଛି. ସେ ବି ଚାହେଁ ତା ପ୍ରେୟସୀ ତା ମାନଭଞ୍ଜନ କରୁ.ମିଟିଙ୍ଗରେ ସୋନାଲି ନଥିଲା. ସବୁଥର ଅପେକ୍ଷା ଗୁରୁ ଗମ୍ଭୀର ଲାଗୁଥିଲା ଅଧିକ. ସୋନାଲି ଚକରରେ ପଡି ସେ ଭୁଲିଯାଇଥିଲା କର୍ମ ଓ କର୍ତ୍ତବ୍ୟକୁ ବୋଧହୁଏ ଭାବି ନିଜକୁ ନିଜେ ଧିକ୍କାର କରୁଥିଲା. ସମସ୍ତେ ତାକୁ କାହିଁକି ଦମ୍ଭ ଧରନ୍ତୁ, ସାହାସ ରଖନ୍ତୁ, ଜୀବନରେ ଏମିତି ଅନେକ କଥା ସାମ୍ନା କରିବାକୁ ପଡେ ବୋଲି କହୁଥିଲେ ସେ ବୁଝି ପାରୁନଥିଲା. ମିଟିଙ୍ଗ ଆରମ୍ଭ ହେଲାପରେ ଦୁଇ ମିନିଟ ନୀରବ ପ୍ରାର୍ଥନା ପାଇଁ କୁହାଗଲା ତ ସେ ଚମକି ପଡିଲା. କାହାର କଣ ହେଲା ଭାବୁ ଭାବୁ ସୋନାଲି ସାମାନ୍ତରାଏଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପାଇଁ ଗଭୀର ଶୋକ, ଶ୍ରଦ୍ଧାଞ୍ଜଳି ଓ ନୀରବ ପ୍ରାର୍ଥନା ଭଳି ଶବ୍ଦ ଗୁଡିକ ଭିତରେ ଆଦିତ୍ୟ ଏକ ମୁହାଁ ଦୌଡୁଥିଲା ଅଣନିଶ୍ଵାସୀ ହୋଇ. କିଏ କହୁଥିଲା ସେ ଭାରସାମ୍ୟ ହରାଇ ବୋଧହୁଏ ପାଗଳ ହୋଇଗଲା. ଦୌଡୁ ଦୌଡୁ ଜେଜେଙ୍କ ଦେହରେ ଧକ୍କା ଖାଇ ପ୍ରକୃସ୍ଥିତ ହେଲାବେଳକୁ ଆଦିତ୍ୟ କହୁଥିଲା ମତେ ଭଲ ପାଇ ତାର ଭୁଲ ହୋଇଗଲା ଜେଜେ. ଲୁହ କୋହକୁ ଚାପି ଜେଜେ ନାତିକୁ କି ସାନ୍ତ୍ୱନା ଦେବେ ବୁଝିବାକୁ ତାଙ୍କ ପାଖରେ ଭାଷା ନଥିଲା.ସେଇଥି ପାଇଁ ତ ଆଜି ସେ ସୋନାଲିର ଶୁଦ୍ଧି କ୍ରିୟା କର୍ମରେ ଆଦି ସହ ନିଜକୁ ସାମିଲ କରି ଫେରିପାଇବାକୁ ଚାହାଁନ୍ତି ଆଦିର ହୃତ ଆତ୍ମବଳ.ଅଜା ମଧ୍ୟ ଗାଡି ପଛ ସିଟରେ ନିଶା ଓ ଜୋଇଁଙ୍କ ସହିତ ଥିଲେ. ଦୁଃସମୟରେ ସୋନାଲି ପରିବାର ପାଖରେ ଠିଆ ହେବା ସେମାନଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ବୁଝିବାକୁ ବାକି ନଥିଲା.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ