ପଶ୍ଚିମ ଏସୀଆରେ ଯୁଦ୍ଧର କଳାବାଦଲ

ଲେବାନନ ବିରୁଦ୍ଧରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ହେଜବୁଲା ମୁଖ୍ୟ ହାସନ ନସ୍‌ରାଲକୁ ହତ୍ୟା ଘଟଣା ସମଗ୍ର ପଶ୍ଚିମ ଏସିଆରେ ଯୁଦ୍ଧର କଳାବାଦଲ ଢାଙ୍କି ଦେଇଛି ବୋଲି କହିଲେ ଅତିରଂଜିତ ହୋଇନପାରେ। ଗତବର୍ଷ ଅକ୍ଟୋବର ମାସ ସାତ ତାରିଖରୁ ଦୀର୍ଘ ଏକ ବର୍ଷ ଧରି ଗାଜାରେ ହମାସ ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ଇସ୍ରାଏଲର କଠୋର ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିବାବେଳେ ଏବେ ହମାସ୍ ପରେ ଅନ୍ୟତମ ଆତଙ୍କବାଦ ସଂଗଠନ ହେଜବୋଲା ଓ ହୁତି’ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହେଜବୋଲା ମୁଖ୍ୟ ନସ୍‌ରାଲ ହତ୍ୟା ନେଇ ଇରାନର ସର୍ବୋଚ୍ଚ ନେତା ଆୟୋତୋଲା ଖୋମିନ ପ୍ରତିଶୋଧ ପାଇଁ ଆହ୍ୱାନ ଦେବା ପରେ ଏବେ ଏହା ଏକ ବିପଦଜନକ ମୋଡ ନେଇଛି। ଯେକୌଣସି ମୁହୁର୍ତରେ ଘମାଘୋଟ ଯୁଦ୍ଧ ଲାଗିଯିବାର ଆଶଙ୍କା ସୃଷ୍ଟି ହୋଇଛି। କହିବା ବାହୁଲ୍ୟ ଯେ, ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଯୋଗଦେବା ଅବସରରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟୁହ ଲେବାନସ ସହ ହେଜବୁଲା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହାକି ଜାତିସଂଘ ଅଧିବେଶନରେ ଯୋଗଦେଇଥିବା ରାଷ୍ଟ୍ର ବା ସରକାରୀ ମୁଖ୍ୟମାନଙ୍କୁ ଚକିତ କରିଛି। ଯେତେବେଳେ ବିଶ୍ୱ ସଂସ୍ଥା ପଶ୍ଚିମ ଏସୀୟ ଅଂଚଳରେ ଶାନ୍ତି ପ୍ରତିଷ୍ଠା, ଅସ୍ତ୍ରବିରତ ପାଇଁ ପ୍ରସ୍ତାବ ଗ୍ରହଣ କରିଛି, ଠିକ୍ ସେହି ସମୟରେ ବିଶ୍ୱନେତାଙ୍କୁ ହେୟଜ୍ଞାନ କରି ଇସ୍ରାଏଲ ଲେବାନନ ଓ ହେଜବୋଲା ସହ ହୁତି ଉପରେ ଆକ୍ରମଣକୁ ଶାଣିତ କରିଛି। ଏହା ନିସନ୍ଦେହ ଯେ, ବିଶ୍ୱ ସଂସ୍ଥାକୁ ବେଖାତିର କରି ଇସ୍ରାଏଲର ଯୁଦ୍ଧଖୋର ମନୋଭାବ ସମ୍ପୂର୍ଣ୍ଣ ଅଂଚଳ ଏକ ବିପଦଜନକ ପରିସ୍ଥିତି ଉପନ୍ନ କରିଛି। ଯେ କୌଣସି ସମୟରେ ଘମାଘୋଟ ଯୁଦ୍ଧ ଲାଗିବା ଆଶଙ୍କା ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଇତିମଧ୍ୟରେ ଇସ୍ରାଏଲର ଲଗାତାର ଆକ୍ରମଣରେ ହେଜବୋଲାର ଏକ ଡ୍ରଜନରୁ ଉର୍ଦ୍ଧ୍ୱ ନେତା, କମାଣ୍ଡର ନିହତ ହୋଇଥିବାବେଳେ ଶହଶହ ସାଧାରଣ ନାଗରୀକଙ୍କ ମୃତ୍ୟୁ ଘଟିଛି। ହମାସ ପରି ହେଜବୋଲାଙ୍କୁ ସମୂଳେ ଧ୍ୱଂସ କରିବା ପାଇଁ ଇସ୍ରାଏଲ ସଂକଳ୍ପ ଘୋଷଣା କରିଛି। ଲେବାନର ଘନ ଜନବସତି ମଧ୍ୟରେ ହେଜବୋଲା ନିଜର ଆଡ୍ଡା କରିଥିବାବେଳେ ଇସ୍ରାଏଲ ଏହାକୁ ନିଶାଣ କରିଛି। ଯ।।ହାର ପରିଣତି ସ୍ୱରୁପ ଶହ ଶହ ସାଧାରଣ ଲୋକ ପ୍ରାଣ ହରାଉଛନ୍ତି। ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଜଣେ ହେଜବୋଲା ସଦସ୍ୟର ମୃତ୍ୟୁ ପାଇଁ ୧୦୦ରୁ ୧୫୦ ସାଧାରଣ ଲୋକଙ୍କ ଜୀବନ ଯାଉଛି। କେବଳ ଏତିକି ନୁହେଁ, ଇସ୍ରାଏଲର ଆକ୍ରମଣରେ କେବଳ କେବଳ ହେଜବୋଲାର ଆଡ୍ଡାସ୍ଥଳ ଧ୍ୱଂସ ହେଉନାହିଁ। ଆଖପାଖରେ ଥିବା ବହୁ କୋଠାବାଡି ମଧ୍ୟ ଧ୍ୱଂସ ହୋଇଯାଉଛି। ଆହୁରି ମଧ୍ୟ ଆହତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନଙ୍କ ଚିକିତ୍ସା ପାଇଁ ହସ୍‌ପିଟାଲରେ ସ୍ଥାନାଭାବ ଏବଂ ଡାକ୍ତରଙ୍କ ଅଭାବ ଏବେ ମୁଖ୍ୟ ସଂକଟ ଭାବେ ଉଭାହୋଇଛି। ସମ୍ଭାବ୍ୟ ଧ୍ୱଂସାତ୍ମକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲେବାନନ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଥିବାବେଳେ ଇସ୍ରାଏଲ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ ହେଜବୁଲା ମୁଖ୍ୟ ନସରଲାରେ ମୃତ୍ୟୁ ନେଇ ବହୁ ମୁସଲିମ୍ ସଂଗଠନ ରକ୍ତମୁଖା ହୋଇଥିବା ରିପୋର୍ଟ ମିଳିଥିବା ବେଳେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଖୋମିନୀ ଏବେ ନିରାପଦ ସ୍ଥାନରେ ଆଶ୍ରୟ ନେଇଛନ୍ତି, ଯାହାକି ଦୀର୍ଘକାଳୀନ ଯୁଦ୍ଧଚାଲିବା ସଂକେତ ପ୍ରଦାନ କରେ। ପଶ୍ଚିମ ଏସୀଆ ଯେ, ପୁଣି ଅଶାନ୍ତି, ଯୁଦ୍ଧ ମୁହାଁ ହୋଇଛି, ଏହା ନିସନ୍ଦେହରେ କୁହାଯାଇପାରେ। ଉଲ୍ଳେଖଯୋଗ୍ୟ ଯେ, ହମାସ ଉପରେ ଇସ୍ରାଏଲର ଆକ୍ରମଣ ଏକବର୍ଷ ପୁରିବାକୁ ଆଉମାତ୍ର ୧ସପ୍ତାହରୁ କମ୍ ଥିବାବେଳେ ଯୁଦ୍ଧ ସମସ୍ତ ରେଡ୍ ଲାଇନ ଅତିକ୍ରମ କରିଛି। ଆକ୍ରମଣ ବନ୍ଦ କରିବା ଲାଗି ଜାତିସଂଘର ବାରମ୍ବାର ଆହ୍ୱାନ, ପ୍ରସ୍ତାବ ଗ୍ରହଣ ସତ୍ୱେ ଏପରିକି ଇସ୍ରାଏଲର ମୁଖ୍ୟ ସହଯୋଗୀ ଆମେରିକାର ଅନୁରୋଧକୁ ନେତାନ୍ୟୁହ ଅଗ୍ରାହ୍ୟ କରିଦେଇଛନ୍ତି। ଏଥିରୁ ହମାସ ବିରୁଦ୍ଧରେ ଇସ୍ରାଏଲର ଶାଣିତ ଆକ୍ରମଣ କେତେ ଭୟଙ୍କର ତାହା ସ୍ପଷ୍ଟ ଅନୁମାନ କରାଯାଇପାରେ। ଗାଜାରେ ଇସ୍ରାଏଲରେ ୪୧ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଥିବାବେଳେ ବେସରକାରୀ ଭାବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ। କେବଳ ଏତିକି ନୁହେଁ, ଗାଜାରେ ମାନବୀୟ ସଂକଟ ମଧ୍ୟ ସବୁ ସୀମା ସରହଦ ଆକ୍ରମଣ କରିସାରିଲାଣି। ଖାଦ୍ୟ, ପାନୀୟ, ଔଷଧ ଅଭାବରୁ ହାହାକର ସ୍ଥିତି ଉପୁଜିଛି। ଗାଜାର ନିରୀହ ଜନସାଧାରଣଙ୍କୁ ସୁରକ୍ଷା ଦେବାରେ ଜାତିସଂଘ ସମ୍ପୂର୍ଣ୍ଣ ଅସମର୍ଥ ଓ ବିଫଳ ହୋଇଛି। ଏବେ ଲେବାନନ ଉପରେ ଯୁଦ୍ଧକୁ ଆହୁରି ଯୋରଦାର କରିବାପାଇଁ ଇସ୍ରାଏଲ ଘୋଷଣା କରିଛି। ଲେବାନନ ଆଉ ଏକ ଗାଜାରେ ପରିଣତ ହେବା ପୂର୍ବରୁ ଅନ୍ତର୍ଜାତିକ ସମୁଦାୟ ଅସ୍ତ୍ରବିରତି ତଥା ଯୁଦ୍ଧ ବନ୍ଦ ଲାଗି ସଫଳ ପଦକ୍ଷେପ ଗ୍ରହଣ କରିବା ଜରୁରୀ। ଅନ୍ୟଥା ତୃତୀୟ ବିଶ୍ୱ ଯୁଦ୍ଧ ଆଉ ବେଶୀ ଦୂର ନୁହେଁ।

ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ