୪୫ତମ ଶାରଳା ପୁରସ୍କାର ପାଇଲେ ସରୋଜିନୀ ତାନସେନ୍‍ ସିଂ ଓ ସୁଦର୍ଶନ ସାହୁଙ୍କୁ କଳା ସମ୍ମାନ

ଭୁବନେଶ୍ୱର,(ୱା ଏନ ଏସ): ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇଣ୍ଡିଆନ୍‍ ମେଟାଲ୍‍ସ ପବ୍ଲିକ୍‍ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କଥାକାର ଡ. ସରୋଜିନୀ ସାହୁଙ୍କୁ ପ୍ରଦାନ କରାଯାଇଛି। ବୁଧବାର ସନ୍ଧ୍ୟାରେ ସ୍ଥାନୀୟ କ୍ରାଉନ୍‍ ହୋଟେଲରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କବି ଓ କଥାକାର ଦେବଦାସ ଛୋଟରାୟ ଡ. ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ପ୍ରାପ୍ତ ଏହି ପୁରସ୍କାର ବାବଦରେ ଲେଖିକାଙ୍କୁ ତାମ୍ରଫଳକ, ଉପାୟନ ସହିତ ସାତଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଏଥିସହିତ କଳା କ୍ଷେତ୍ରରେ ଜୀବନବ୍ୟାପି ସାଧନା ପାଇଁ ବର୍ଷିୟାନ୍‍ ସ୍ଥପତି ଶ୍ରୀ ସୁଦର୍ଶନ ସାହୁ ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀ ତାନସେନ୍‍ ସିଂଙ୍କୁ ଅଢ଼େଇଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଓ ତାମ୍ରଫଳକ ସହ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯାଇଛି। ଉତ୍ସବରେ ଅଧ୍ୟକ୍ଷତା କରି ଇମ୍ପାକ୍ଟର ଟ୍ରଷ୍ଟି ଶ୍ରୀମତୀ ପାରମିତା ପଣ୍ଡା କହିଥିଲେ ଯେ ଜଣେ ଯୋଗ୍ୟ ଲେଖକ କିମ୍ବା କଳାକାର ଅର୍ଥାଭାବ ଯୋଗୁଁ ସୃଜନଶୀଳତାଠାରୁ ଦୂରେଇ ନଯାଆନ୍ତୁ, ଏହା ହିଁ ଏହି ପୁରସ୍କାର ପ୍ରଦାନର ନିହିତ ଉଦ୍ଦେଶ୍ୟ। ତ୍ରି-ସ୍ତରୀୟ ବିଚାର ପ୍ରକ୍ରିୟାରେ ‘ପ୍ରାଥମିକ ସୁପାରିସ’ ହିଁ ଏହି ମର୍ଯ୍ୟାଦାଜନକ ପୁରସ୍କାରର ମୂଳଦୁଆ। ସୁପାରିସ ଯେତେ ଅଧିକ ପରିମାଣରେ ହେବ, ଏହି ପୁରସ୍କାରର ପରିସର ସେତେ ବ୍ୟାପକ ଓ ସ୍ୱଚ୍ଛ ହେବ। ଓଡ଼ିଆ ଭାଷା-ସାହିତ୍ୟର ସମୂହ ବିକାଶ ଓ ସମୃଦ୍ଧି ପାଇଁ ଆଜିକୁ ଚାରି ଦଶନ୍ଧି ତଳେ ଡ. ବଂଶୀଧର ପଣ୍ଡା ଓ ଇଲା ପଣ୍ଡା ‘ଶାରଳା ପୁରସ୍କାର’ ପ୍ରବର୍ତ୍ତନ କରିଥିଲେ। ଓଡ଼ିଶାର କଳା-ସାହିତ୍ୟକୁ ଏକ ସମ୍ମାନଜନକ ଉଚ୍ଚତାକୁ ନେବା ପଛରେ ଉଭୟଙ୍କର ସ୍ପଷ୍ଟ ଆଭିମୁଖ୍ୟ ଓ ନିରନ୍ତର ଉଦ୍ୟମ ଆଜି ସଫଳ ହୋଇଛି।
ଏହି ଅବସରରେ ମୁଖ୍ୟଅତିଥି ଦେବଦାସ ଛୋଟରାୟ କହିଥିଲେ ଯେ ୨୦୦୦ ମସିହାରେ ମୋର ପିତା ନାଟ୍ୟକାର ଗୋପାଳ ଛୋଟରାୟ ଶାରଳା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ବି ସମ୍ମାନ ଗ୍ରହଣ ପାଇଁ ଆସିପାରି ନଥିଲେ। ଉଦ୍ୟୋକ୍ତା ଇଲା ଓ ବଂଶୀଧର ପଣ୍ଡା ପୁରସ୍କାର ଆଣି ଘରେ ବାପାଙ୍କୁ ପ୍ରଦାନ କରିଥିଲେ। ଏପରି ମହାନତା କ୍ୱଚିତ ପୁରସ୍କାର ପ୍ରବର୍ତ୍ତକଙ୍କଠାରେ ଦେଖିବାକୁ ମିଳେ। ସାହିତ୍ୟ ସଂପର୍କରେ ତାଙ୍କର ମତ ଥିଲା- ପୃଥିବୀର ଅଧିକାଂଶ ଗଳ୍ପପଢୁଥିବା ମଣିଷ ଗଳ୍ପର ବାହାରେ ଥାଆନ୍ତି। କେବଳ ଗାଳ୍ପିକ ହିଁ ଏକମାତ୍ର ଯିଏ ଗଳ୍ପ ରଚନା କରୁକରୁ ନିଜେ ବନିଯାଏ ତାର ମୋହରା। ଶାରଳା ପୁରସ୍କାର ପ୍ରାପିକା ଡ. ସରୋଜିନୀ ସାହୁ କହିଥିଲେ ଯେ ଶାରଳା ପୁରସ୍କାର ଘୋଷଣା ପରେ ମୁଁ ଯେମିତ ଯୋଡି ହେଇଗଲି ବାକି ତମାମ୍ ଦୁନିଆ ସହ। ମୋ ଶୈଶବ-କୈଶୋରର ବନ୍ଧୁ ଓ ସଂପର୍କୀୟମାନଙ୍କ ପାଇଁ ମୁଁ ପୁଣି ଥରେ ଜିଇଁ ଉଠିଲା ପରି ମନେହେଲା। ମୁଁ ଯେ ବଞ୍ଚିଛି ୟେ ପ୍ରକାର ହୃଦବୋଧ ହେଲା। ଏ ଏକ ଅଜବ ଜୀବନୀଶକ୍ତି। ଗଭୀର ନିଦ ଭିତରୁ ୟେ ଏକ ଅଦ୍ଭୁତ ଜାଗରଣ।ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲେଖକ ଓ ସାହିତ୍ୟପ୍ରେମୀମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ବିଶିଷ୍ଟ ଶିଳ୍ପପତି ତଥା ବୈଜ୍ଞାନିକ ଡ. ବଂଶୀଧର ପଣ୍ଡା ଓ ତାଙ୍କର ସହଧର୍ମିଣୀ ଇଲା ପଣ୍ଡାଙ୍କ ଉଦ୍ୟମରେ ପ୍ରତିଷ୍ଠିତ ‘ଇମ୍ପାକ୍ଟ’ ତରଫରୁ ଶାରଳା ପୁରସ୍କାର, ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ସହିତ ଏକଲବ୍ୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଆସୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ