ଅଗ୍ନିକାଣ୍ଡରେ ୩ ବଖରା ଘର ପୋଡି ପାଉଁଶ
ବେଲଗୁଣ୍ଠା,(ଶିବରାମ ଚୈାଧୁରୀ): ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି । କୈାଣସି କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ଜଣାପଡିନାହିଁ । ଖବର ପାଇ ବେଲଗୁଣ୍ଠା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେ ବେଳକୁ ୩ ପରିବାରର ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ ହୋଇଯାଇଛି । ବେଲଗୁଣ୍ଠା ୧୨ ନମ୍ବର ୱାର୍ଡର ଭଗବତ ପାଟଣାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ୩ ପରିବାର ବିଭିନ୍ନ ଭୋଜି ଓ ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଚାଙ୍ଗୁ ଢୋଲ ବଜାଇ ପରିବାର ପୋଷଣ କରୁଥିବା ବେଳେ ସେମାନଙ୍କ ରହିବା ପାଇଁ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ସେମାନଙ୍କୁ ସ୍କୁଲରେ ରହିବାର ବ୍ୟବସ୍ଥା କରିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ପ୍ରଥମ ପର୍ୟ୍ୟାୟରେ ଚାଉଳ,ଡାଲି ଓ ପନିପରିବା ସହ ତିନୋଟି ପାଲ ଯୋଗାଇଦେଇଛନ୍ତି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି ତହସିଲଦାର ବେହେରା ପ୍ରତିଶ୍ରୁତି ଦେଇଛନ୍ତି ।


