ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ଶୋଭା’ର ଅଷ୍ଟମ ବାର୍ଷିକୋତ୍ସବ ପାଳନ

ବାଲେଶ୍ୱର, (ସରୋଜ ପଣ୍ଡା):ନାଟକ କେବଳ ଜନମାନସକୁ ରସୋତ୍ତୀର୍ଣ୍ଣ କରାଏ କହିଲେ ଯଥେଷ୍ଟ ନୁହଁ, ସାହିତ୍ୟର ଅବିଚ୍ଛେଦ୍ୟ ଅଂଗ ନାଟକ ମଧ୍ୟ ଫୂର୍ତ୍ତି ଓ ଉଲ୍ଲାସ ପ୍ରଦାନ କରି ସବୁଶ୍ରେଣୀର ମଣିଷ ମନକ ସୁସ୍ଥ ତଥା ଆନନ୍ଦିତ ରଖିଥାଏ । ଏଣୁ ନାଟକ ସମାଜର ମଣିଷମାନଙ୍କ ପାଇଁ ମନୋରଂଜନର ମୁଖ୍ୟ ଉତ୍ସ ବୋଲି ‘ଶୋଭା’ର ଉପଦେଷ୍ଟା ବିନାୟକ ସାହୁଙ୍କ ପୌରୋହିତ୍ୟରେ ଉପସ୍ଥିତ ଅତିଥି ଡ. ପ୍ରଦୀପ ଭୌମିକ, ଶିକ୍ଷାବିତ୍ ରାଜେନ୍ଦ୍ର କିଶୋର ରାୟ, ଗୀତିକାର ରମାକାନ୍ତ ଦାସ ପ୍ରମୁଖ ନିଜନିଜର ବକ୍ତବ୍ୟ ରଖିଥିଲେ । ଏହି ଉପଲକ୍ଷେ ରାଜ୍ୟ ସଂଗୀତ ନାଟକ ଏକାଡେମୀ ପୁରସ୍କୃତ ନାଟ୍ୟକାର ଓ ନିର୍ଦ୍ଦେଶକ ହେମେନ୍ଦ୍ର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବର ମଞ୍ଚ ଆହ୍ୱାନ ସଦସ୍ୟ ଲକ୍ଷ୍ମୀକାନ୍ତ ସ୍ୱାଇଁ କରିଥିଲାବେଳେ ମାନପତ୍ର ପଠନ ପ୍ରମଥେଶ ପୁହାଣ ଏବଂ ଧନ୍ୟବାଦ ଅର୍ପଣ ‘ଶୋଭା’ର ସଂପାଦକ ଆଶୀଷ ବର୍ଦ୍ଧନ କରିଥିଲେ ।‘ଶୋଭା’ର ଅଷ୍ଟମ ବାର୍ଷିକ ଉତ୍ସବ ଅବସରରେ ପ୍ରତିଭା ସଂପନ୍ନ କଳାକାର ୰ ଅଜୟ ଆଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇ ଡ. ପ୍ରଦୀପ ଭୌମିକଙ୍କ ନାଟ୍ୟରଚନା ‘ଏପ୍ରିଲ୍ ଫୁଲ୍‌’ ନାଟକ ଅର୍ଣ୍ଣବ କରଙ୍କ ନିର୍ଦ୍ଦେଶନାରେ ଏବଂ ରମାକାନ୍ତ ଦାସ (ଆକାଶବାଣୀ)ଙ୍କ ଗୀତରଚନାରେ ଗୁରୁ ନନ୍ଦ କିଶୋର ଦାସଙ୍କ ସଂଗୀତ ନିର୍ଦ୍ଦେଶନା ଏବଂ ସନ୍ତୋଷ କମିଳାଙ୍କ ମଂଚ/ରୂପ ସଜ୍ଜାରେ ମଞ୍ଚସ୍ଥ କରାଯାଇଥିଲା । ଏହି ନାଟକରେ ସର୍ବଶ୍ରୀ ଲକ୍ଷ୍ମୀ ଘୋଷ, ଶୁଭଙ୍କର, ମଦନ, ଆଶିଷ, ସୂରଯକାନ୍ତ, ଅନନ୍ତ, ସୁବ୍ରତ, ଅମିତାଭ, ମଧୁସ୍ମିତା ଏବଂ ଶିଶୁକଳାକାର ଲଳିତ ଓ ଆକାଂଶ ପ୍ରମୁଖ ଅଭିନୟ କରିଥିଲେ ।ବିପତ୍ନିକ ଅମୂଲ୍ୟ ପ୍ରଧାନ ଏକ ଅବସରପ୍ରାପ୍ତ ବରିଷ୍ଠ ନାଗରିକଙ୍କୁ କେନ୍ଦ୍ର କରି ‘ଏପ୍ରିଲ୍ ଫୁଲ୍‌’ ନାଟକ ଗଢ଼ିଉଠିଥିଲା । ଅମୂଲ୍ୟବାବୁଙ୍କର ଏକମାତ୍ର ପୁତ୍ର ସନ୍ଦୀପ ଓଡ଼ିଶା ସରକାରଙ୍କ ଜନୈକ ଉଚ୍ଚପଦସ୍ଥ ଅଧିକାରୀ । କୌଣସି ଏକ ଏପ୍ରିଲ୍ ପହିଲା ଦିନ ଅମୂଲ୍ୟବାବୁ ବାଙ୍ଗାଲୋର ଝିଅ ଘରୁ ପୁଅ ସନ୍ଦୀପଙ୍କ ଘରକୁ ଫେରିଆସନ୍ତି । ଏପ୍ରିଲ୍ ପହିଲାଟି ‘ଉତ୍କଳ ଦିବସ’ ପାଇଁ ସରକାରୀ ଛୁଟି ହୋଇଥିବାରୁ ସେଦିନ ଘରେ ସନ୍ଦୀପ୍ ଏବଂ ବାବୁଲା ସମସ୍ତେ ଥାଆନ୍ତି । ଅମୂଲ୍ୟ ବାବୁ ଘରେ ଗୋଡ଼ ନଦେଉଣୁ ପୁଅ ଏବଂ ନାତି ଅମୂଲ୍ୟବାବୁଙ୍କୁ ଏପ୍ରିଲ୍ ଫୁଲ୍ କରି ହସିବାକୁ ଲାଗନ୍ତି । ଏହିପରି ଘରେ ଏକ ହସଖୁସିର ମାହୋଲ ସୃଷ୍ଟି ହୋଇଥାଏ । କ୍ରମେ ଅମୂଲ୍ୟବାବୁଙ୍କ ବାର୍ଦ୍ଧକ୍ୟଜନିତ କିଛି ଅନିଚ୍ଛାକୃତ ଭୁଲ୍ ଭ୍ରାନ୍ତି ବୋହୂ ସୁସ୍ମିତାଙ୍କର ବିରକ୍ତିର କାରଣ ହୋଇଉଠେ । କ୍ରମେ ଅମୂଲ୍ୟ ବାବୁ ବୋହୂ ସୁସ୍ମିତାଙ୍କ ପାଖରେ ପରିବାରର ଏକ ବୋଝ ବୋଲି ମନେ ହୁଅନ୍ତି । ସୁସ୍ମିତାଙ୍କୁ ଶ୍ୱଶୁରଙ୍କ ସହ ଗୋଟିଏ ଛାତ ତଳେ ଦିନ ବିତାଇବା ଅସମ୍ଭବ ହୋଇପଡ଼େ । ଇତ୍ୟବସରରେ ସୁସ୍ମିତା ଘରକୁ ଧୂରନ୍ଧର ଧୂର୍ତ୍ତ ଭାଇ ଘନଶ୍ୟାମର ଘର ବୁଲିଆସିବା ଘଟଣାଟିଏ ଘଟେ । ଘନଶ୍ୟାମ ମିଠା ମିଠା କଥା କହି ସବୁ ଅସମ୍ଭବକୁ ସମ୍ଭବ କରିବାର କ୍ଷମତା ବହନ କରିଥାନ୍ତି । ଯଦ୍ଦ୍ୱାରା ସସ୍ମିତାଙ୍କୁ ତାଙ୍କର ଶ୍ୱଶୁର ଠାରୁ ସ୍ଥାୟୀ ଭାବରେ ମୁକ୍ତି ମିଳିବାର ସମ୍ଭବ ହୋଇଥାଏ । ଦେଖୁଦେଖୁ ଆଉ ଏକ ଏପ୍ରିଲ୍ ପହିଲା ଆସିଯାଏ । ଉତ୍କଳ ଦିବସ ପାଇଁ ସରକାରୀ ଛୁଟି ହୋଇଥିବାରୁ ଘନଶ୍ୟାମଙ୍କ ପ୍ରସ୍ତାବ ଅନୁଯାୟୀ ସେଦିନ ସନ୍ଦୀପ ସମସ୍ତଙ୍କୁ ଏକ ଫେମିଲି ଆଉଟିଙ୍ଗ୍‌ରେ ଯୋଜନା କରିଥା’ନ୍ତି । ଏହି ଫେମିଲି ଆଉଟିଙ୍ଗ୍ କିଭଳି ପାରିବାରିକ ଅଶାନ୍ତିକୁ ସ୍ଥାୟୀ ସମାଧାନ ଆଣିପାରିଛି ନାଟକ ‘ଏପ୍ରିଲ୍ ଫୁଲ୍‌’ରେ ତାହା ଦେଖିବାକୁ ମିଳେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ