ଗଣତନ୍ତ୍ର ଓ ଗଣମାଧ୍ୟମ ଉପରେ ସରକାରୀ ଆକ୍ରମଣକୁ ବିରୋଧ କରି ସାଧାରଣ ସଭା
ବାଲେଶ୍ୱର, (ସରୋଜ ପଣ୍ଡା):ଗଣତନ୍ତ୍ର, ଗଣମାଧ୍ୟମ ଏବଂ ନିର୍ଭିକ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଓ ଗିରଫଦାରୀକୁ ବିରୋଧ କରି ଶନିବାର ଦିନ ଅପରାହ୍ନରେ ସ୍ଥାନୀୟ ବିଚାରଗଞ୍ଜ ଛକ ପାଶ୍ୱର୍ରେ ଆଇଏନ୍ଡିଆଇଏ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାର ଗଣମାଧ୍ୟମର କଣ୍ଠରୋଧ କରି ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି ଏହି ସଭାରେ ଆଇଏନ୍ଡିଆଇଏ ମେଣ୍ଟର ଅଂଶୀଦାର ରାଜନୈତିକ ଦଳ ଓ ବିଭିନ୍ନ ଗଣସଂଗଠନର ବହୁ ନେତୃତ୍ୱ ସେମାନଙ୍କ ବକ୍ତବ୍ୟରେ ‘ନିଉଜ୍କ୍ଲିକ୍’, ‘ଓୟାର’, ‘ଜନସଭା’ ଭଳି ନିର୍ଭୀକ ଗଣମାଧ୍ୟମର କର୍ତ୍ତୃପକ୍ଷ ଓ ସେମାନଙ୍କର ସାମ୍ବାଦିକମାନଙ୍କୁ ଥାନାରେ ଅଟକ ରଖିବା, ସେମାନଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରିବା ଭଳି ଘଟଣାକୁ ଦୃଢ଼ ନିନ୍ଦା କରିଥିଲେ । ସମଗ୍ର ଦେଶରେ ଓ ଆମ ରାଜ୍ୟ ଓଡ଼ିଶାରେ ଏଭଳି ଘଟଣାର ବହୁ ଦୃଷ୍ଟାନ୍ତ ଦେଇ ସେମାନେ ଜନସାଧାରଣ ଏହି ଘଟଣାରେ ପ୍ରତିବାଦର ମିଳିତ ସ୍ୱର ଉଠାଇବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ର ହେଉ କିମ୍ବା ରାଜ୍ୟ ହେଉ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି, ଦୁର୍ନୀତୀ ସହ ଜନଗଣଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣୁଥିବା ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମ ଓ ସେମାନଙ୍କ ସାମ୍ବାଦିକମାନଙ୍କ ଉପରେ ଏଭଳି ଆକ୍ରମଣ ହେଉଥିବାର ବକ୍ତାମାନେ ଅଭିଯୋଗ କରିଥିଲେ ।ବରିଷ୍ଠ ବାମପନ୍ଥୀ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କଂଗ୍ରେସର ଜିଲ୍ଲା ସଭାପତି ସଞ୍ଜିବ ଗିରି, ଜିଲ୍ଲା ମହିଳା ସଭାନେତ୍ରୀ ପ୍ରଜ୍ଞା ପାରମିତା ବିଶ୍ୱାଳ, ସିପିଆଇ(ଏମ୍)ର ଜିଲ୍ଲା ସଂପାଦକ ଶିଶିର ହୁଇ, ସିପିଆଇ ନେତା ଶ୍ୟାମସୁନ୍ଦର ଜେନା, ତୃଣମୂଳ କଂଗ୍ରେସର ଜିଲ୍ଲା ସଭାପତି ନନ୍ଦନ ପାଲ, ଫରୱାର୍ଡ଼ ବ୍ଲକ୍ର ଜିଲ୍ଲା ସଂପାଦକ ଲକ୍ଷ୍ମୀଧର ଗିରି, ବରିଷ୍ଠ ଆଇନଜୀବୀ ଶରତ କୁମାର ମହାପାତ୍ର, ସିଆଇଟିୟୁ ଜିଲ୍ଲା ଆବାହକ ରାଜକିଶୋର ଲେଙ୍କା, ଆଇଏନ୍ଟିୟୁସିର ଜିଲ୍ଲା ସଂପାଦକ ବିକାଶ ଦାସ, ବିଶିଷ୍ଟ ନାରୀନେତ୍ରୀ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ବିଭିନ୍ନ ଗଣସଂଗଠନରୁ ନିର୍ମଳ ନାୟକ, ଯତୀନ୍ ପାତ୍ର, ସଂଯୁକ୍ତା ବେହେରା, ସାଜନ୍ ଅଲ୍ଲୀ ସାହା ଓ ପ୍ରେମରଞ୍ଜନ ପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଶରତଚନ୍ଦ୍ର ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


