ଅଙ୍ଗନୱାଡ଼ି କର୍ମୀଙ୍କୁ ପରିବା ଓ ଅଣ୍ଡା ଚିନ୍ତା
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ରାଜ୍ୟରେ ଅଙ୍ଗନୱାଡ଼ି କର୍ମୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସରକାର ସେଗୁଡ଼ିକୁ ସମାଧାନ କରିବାରେ ବିଫଳ ହେଉଥିବା ପରିଲିକ୍ଷିତ ହୋଇଛି । ବର୍ତମାନ ବଜାରରେ ଗୋଟିଏ ଅଣ୍ଡାର ମୂଲ୍ୟ ୭ଟଙ୍କା ଥିବାବେଳେ ଆଳୁ କିଲୋ ୩୦ରୁ ୩୫ଟଙ୍କା, ବାଇଗଣ କିଲୋ ୪୦ ଟଙ୍କା ଏବଂ ଅଦା, ରସୁଣର ଦର ନକହିବା ଭଲ । ସରକାର, ଅଙ୍ଗନୱାଡ଼ି କର୍ମୀଙ୍କୁ ଦୈନିକ ଗୋଟିଏ ଶିଶୁ ପିଛା ୬.୨୦ଟଙ୍କା ଖର୍ଚ୍ଚ କରିବାକୁ ଦେଉଛନ୍ତି । ମସଲା ବାବଦରେ ୧୩ ପଇସା, ଜାଲେଣି ବାବଦରେ ୫୦ ପଇସା ଖର୍ଚ୍ଚ ହେବା ପରେ ଅବଶିଷ୍ଟ ଟଙ୍କାରେ ଅଣ୍ଡା କିଣି ତରକାରୀ କରିବା ନେଇ କର୍ମୀଙ୍କପକ୍ଷରେ ଅସମ୍ଭବ ହୋଇପଡ଼ିଛି । ସପ୍ତାହକୁ ୫ ଦିନ ଅଣ୍ଡା ତରକାରୀ ସହିତ ଗର୍ଭବତୀ, ପ୍ରସ୍ତୁତି ମହିଳା ଓ ୩ବର୍ଷରୁ କମ୍ ବୟସର ଶିଶୁ ମାନଙ୍କ ପାଇଁ ପ୍ରତି ମାସରେ ୧୨ଟି ଅଣ୍ଡା ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି । ରାଜ୍ୟ ସରକାର ଗୋଟିଏ ଅଣ୍ଡା ପିଛା ଦର ୫ଟଙ୍କା ମୂଲ୍ୟ ଧାର୍ଯ୍ୟ କରିଥିବା ବେଳେ ବଜାରରେ ଗୋଟିଏ ଅଣ୍ଡାର ମୂଲ୍ୟ ୭ ଟଙ୍କା ରହିଛି ଏବଂ ଆଳୁ, ପନିପରିବା ଓ ଅଦା, ରସୁଣର ଦର ନକହିବା ଭଲ । ବଜାର ଦରଦାମ ଅହେତୁକ ଭାବେ ବଢିବା ଯୋଗୁଁ ଅଙ୍ଗନୱାଡ଼ି କର୍ମୀ ମାନେ କିପରି କେନ୍ଦ୍ରରେ ରୋଷେଇ କରିବେ, ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ସରକାରଙ୍କ ଅବହେଳା ନୀତି ଯୋଗୁଁ ଅଙ୍ଗନୱାଡ଼ି କର୍ମୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସିଡ଼ିପିଓ, ସୁପରଭାଇଜରଙ୍କନିକଟରେ ପାଟି ଖୋଲିଲେ ଚାକିରି ଚାଲି ଯିବା ଭୟରେ ପାଟି ଚୁପ୍ ରଖିବାକୁ ବାଧ୍ୟ ହେଉଛନ୍ତି । ଏଭଳି କ୍ଷେତ୍ରରେ କିଛି ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁଙ୍କୁ ଅଣ୍ଡା ତରକାରୀ ନଦିଆଯାଇ ସଂପୃକ୍ତ ଶିଶୁଙ୍କ ଘରକୁ କଂଚା ଅଣ୍ଡା ପ୍ରଦାନ କରାଯାଉଥିବାର ଦେଖିବାକୁ ମିଳୁଛି ।


