ଫକୀର ମୋହନ ସେନାପତି ସ୍ମୃତି ପାଠାଗାରର ବାର୍ଷିକ ଉତ୍ସବ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଲକ ଅନ୍ତର୍ଗତ କଂଟୁଣିଆସ୍ଥିତ ଫକୀର ମୋହନ ସେନାପତି ସ୍ମୃତି ପାଠାଗାରର ତୃତୀୟ ବାର୍ଷିକ ଉତ୍ସବ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଗୋଠଦା ମଠର ମଠାଧିଶ ଶ୍ରୀ ଚିନ୍ତାମଣି ପର୍ବତ ଗୋସ୍ୱାମୀ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ । କଳ୍ପନା ବିଶ୍ୱାଳ ଏବଂ ବ୍ୟଙ୍ଗ କବି ସମ୍ପଦ କୁମାର ରଥଙ୍କ ପରିଚାଳନାରେ ଆୟୋଜିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ପୁରୀ,କେନ୍ଦ୍ରାପଡା,ନିଆଳି,କାକଟପୁର ସହିତ ନାଉଗାଁ ଅଂଚଳର କବି ମାନେ ଉପସ୍ଥିତ ରହି ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ସଭାପତି ଭାବରେ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧକ୍ଷ ଡ.ଚାଇନା ପ୍ରଧାନ, ବିଶିଷ୍ଟ ଅତିଥି ଭାବରେ ବାଲିକୁଦା ମହାବିଦ୍ୟାଳୟର ଅଧକ୍ଷ ନଳିନୀକାନ୍ତ ମହାପାତ୍ର,ମୁଖ୍ୟଅତିଥି ଭାବରେ ବାଲିକୁଦାର ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ମୁଖ୍ୟବକ୍ତା ଭାବରେ ବାବା ସତ୍ୟାନନ୍ଦ ଦାସ, ସମ୍ମାନୀତ ବକ୍ତା ଭାବରେ ରାଜ୍ୟ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷକ ମହମ୍ମଦ ଓସାମା, ସମ୍ମାନୀତ ଅତିଥି ଭାବରେ ନାଉଗାଁ ପଂଚାୟତ ସମିତି ଅଧକ୍ଷ ଜଗନ୍ନାଥ ଦାସ ଉପସ୍ଥିତ ରହିଥିଲେ । ପାଠାଗାର ପକ୍ଷରୁୁ ଅତିଥିମାନଙ୍କୁ ଉତରୀୟ ଏବଂ ପୁଷ୍ପଗୃଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପାଠାଗାରର ସଂପାଦକ ହିମାଂଶୁ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ । ତ୍ରୀଲୋଚନ ପାଢୀ ଉତ୍ସବର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ପାଠାଗାରର ବାର୍ଷିକ ମୁଖପତ୍ର “ଅକ୍ଷର”ର ଶୁଭ ଉନ୍ମୋଚନ କରାଯାଇଥିଲା । ଆଗାମୀ ଦିନରେ ପାଠାଗାର ତରଫରୁ ଦିନଦୟାଲ ସେବା ଟ୍ରଷ୍ଟ ନାମକ ଏକ ସେବା ସଂସ୍ଥା ଗଠନ କରାଯାଇ ବିଭିନ୍ନ ସେବା ମୂଳକ କାର୍ଯ୍ୟ ସହିତ ପାଠାଗାରଟିକୁ ଇ-ଲାଇବ୍ରେରୀରେ ପରିଣତ କରାଯିବ ବୋଲି ପାଠାଗାରର ଆବାହକ ପ୍ରତାପ କୁମାର ମିଶ୍ର ବକ୍ତବ୍ୟ ରଖିଥିଲେ । ଉକ୍ତ ଉତ୍ସବରେ ସଂଗଠନ ସଂପାଦକ ଅଜିତ ରାୟ, ପ୍ରସନ୍ନଜିତ ସାହୁ, ବୁଲାକି ସେଠୀ, ବସନ୍ତ କୁମାର ଦାସ, ଅକ୍ଷୟ କୁମାର ରାଉତ, ଉପସଭାପତି ପ୍ରଦୀପ୍ତ ରାୟ, କୋଷାଧକ୍ଷ ସ୍ମୃତିରଂଜନ ପରିଡା, ଉଲ୍ଲାସ ଚନ୍ଦ୍ର ପ୍ରଧାନ,ସହ ସଂପାଦକ ବିଷ୍ଣୁ ସେଠୀ ଉତ୍ସବକୁ ପରିଚାଳନା କରିଥିଲେ । ଶେଷରେ ପାଠାଗାରର ସଭାପତି ରୁଦ୍ର ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


