ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ସନ୍ଧ୍ୟା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବାରଟା ଗ୍ରାମର ଅଭିମନ୍ୟୁ ଗୌଡ(୫୭) ନିଜ ସାଇକେଲ୍ ଯୋଗେ କ୍ଷତ୍ରିୟବରପୁର ପଟୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ଆମ୍ବଡୋଳି ଛକ ନିକଟସ୍ଥ ଅଳସୁଆ ଶଙ୍ଖ ଠାରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେଇ ଚାଲିଯାଇଥିଲା I ସ୍ଥାନୀୟ କିଛି ଲୋକ ଘଟଣା ସ୍ଥଳକୁ ଯାଇ ଦେଖିଲା ବେଳକୁ ଅଭିମନ୍ୟୁଙ୍କ ମୁଣ୍ଡଟି ଚାପି ହୋଇଯିବା ସହ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା I ଦୁର୍ଘଟଣା ବିଷୟରେ ଗାଙ୍ଗପୁର ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏକ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି I ପୋଲିସ୍ ଘଟଣା ସ୍ଥଳରୁ ଏକ ଭଙ୍ଗା ଦର୍ପଣ ପାଇ ସନ୍ଦେହ କରୁଛି ଯେ କୌଣସି ଏକ ଚାରି ଚକିଆ ଗାଡ଼ି ପ୍ରଥମେ ଅଭିମନ୍ୟୁଙ୍କ ସାଇକେଲ୍ କୁ ଧକ୍କା ଦେବା ଫଳରେ ସେ ତଳେ ପଡ଼ିଯିବା ପରେ ତାଙ୍କ ମୁଣ୍ଡ ଉପରେ ଗାଡ଼ିର ଚକା ମାଡି ଯାଇଛି I ପ୍ରକାଶ ଥାଉ କି ମୃତ ଅଭିମନ୍ୟୁ ଏକ ଗରୀବ ଶ୍ରେଣୀର ଲୋକ ହୋଇଥିବା ବେଳେ ତାଙ୍କ ମୃତ୍ୟୁ ପରେ ସ୍ଵର୍ଗତ ଗୌଡଙ୍କ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇ ପଡିଛି I ପ୍ରକାଶ ଥାଉ କି ବେଲଗୁଣ୍ଠା ବ୍ଳକ୍ ର ଚାରି ପାଞ୍ଚଟି ଦୁର୍ଘଟଣା ପ୍ରବଣ ଅଞ୍ଚଳ ମଧ୍ୟରୁ ଆମ୍ବଡୋଳି ଛକ ଏକ ପ୍ରମୁଖ ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଗତ ପାଂଚ ବର୍ଷ ମଧ୍ୟରେ ଏଠାରେ ଦୁର୍ଘଟଣା ଘଟି ୯ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୧୪ ଜଣ ଗୁରୁତର ଭାବେ ଆହତ ହୋଇ ପରବର୍ତ୍ତୀ ସମୟରେ ଭଲ ହୋଇଛନ୍ତି I ସେହିପରି ଖଇରପୁଟି ଛକ, ଗାଙ୍ଗପୁର କହ୍ନେଇଶ୍ୱର ନାଳ ଶଙ୍ଖ ଏବଂ କଣ୍ଟେଇପଲି ଓ ବଡ ବୋର୍ସିଂ ମଝିରେ ଥିବା ବାହାଡ଼ା ବାଙ୍କ ଶଙ୍ଖ ଠାରେ ପ୍ରତିବର୍ଷ ହାରାହାରି ୧୦ ରୁ ଊର୍ଦ୍ଧ୍ଵ ଦୁର୍ଘଟଣା ଘଟି ଜନ ଜୀବନ କ୍ଷତି ହେଉଥିବାରୁ ପୋଲିସ୍ ପ୍ରାଶାସନ ଏହି ସ୍ଥାନ ଗୁଡ଼ିକୁ ବ୍ଲାକ୍ ସ୍ପଟ୍ ଭାବେ ଚିହ୍ନଟ କରି ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ