ଅବକାରୀ ବିଭାଗ କର୍ମୀଙ୍କୁ ଆକ୍ରମଣ ଉଦ୍ୟମ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) : ଦିଗପହଣ୍ଡି ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଳକ ର ବିକାଶପୁର, ବାଣିଆମାରୀ ନିକଟସ୍ଥ ଜଙ୍ଗଲରେ ମଙ୍ଗଳବାର ସକାଳୁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଫେରୁଥିବା ବେଳେ ଗ୍ରାମବାସୀ ପକ୍ଷରୁ ଆକ୍ରମଣ ଉଦ୍ୟମ କରାଯାଇଥିବା ଜଣାପଡ଼ିଛି । ଏଥିସହ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଗାଡ଼ି ଭଙ୍ଗାରୁଜା କରାଯାଇଥିଲା । ଏନେଇ ଅବକାରୀ ଅଧିକାରୀ ପକ୍ଷରୁ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି । ଖବରନୁଯାୟୀ, ବ୍ରହ୍ମପୁର ଅବକାରୀ ନିରୀକ୍ଷକ ଏ. ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ବ୍ରହ୍ମପୁୁର ଅବକାରୀ ଭ୍ରାମ୍ୟମାଣ ଷ୍ଟ୍ରାଇକିଂ ଫୋର୍ସ ଓ ବ୍ରହ୍ମପୁର ଅବକାରୀ ବିଭାଗ କର୍ମଚାରୀ ଏକ ଟିମ୍ ଦୁଇଟି ଗାଡ଼ି ( ଓଡି୦୭ ପି ୯୯୨୩ ଏବଂ ଓଡି୦୨ ବିୟୁ ୮୬୦୫) ଯୋଗେ ବିଶେଷକରି ଉକ୍ତ ପାହାଡିଆ ଦୁର୍ଗମ ଜଙ୍ଗଲରେ ଅତର୍କିତ ଚଢ଼ାଉ କରାଯାଇ ଗୁଡମିଶ୍ରିତ ରନ୍ଧା ପୋଚ ନଷ୍ଟ କରାଯିବା ସହ ମଦ ପ୍ରସ୍ତୁତ ସାମଗ୍ରୀଗୁଡିକ ଜବତ କରି ଫେରୁଥିବା ସମୟରେ ଉକ୍ତ ଅଞ୍ଚଳର ୫୦ ରୁ ଉର୍ଧ ଯୁବକ ଆକ୍ରୋଶ ମନୋଭାବ ରଖି ଖଣ୍ଡା, ଠେଙ୍ଗା ଧରି ଆକ୍ରମଣ ମୁହାଁ ହୋଇଥିଲେ । ଯାହାଫଳରେ ଅବକାରୀ ବିଭାଗ କର୍ମଚାରୀ ମାନେ ଗୋଟିଏ ଗାଡିରେ ଫେରି ଆସିଥିଲେ ମଧ୍ୟ ଅନ୍ୟ ଗାଡିକୁ ଗ୍ରାମବାସୀ ଘେରାଉ କରିଥିଲେ । ତେବେ ଗାଡ଼ି ଚାଳକ ନାଗଭୂଷଣ ରେଡ୍ଡୀଙ୍କର କୈାଣସି କ୍ଷତି ଘଟାଇନଥିବା ବେଳେ ଗାଡ଼ି ଭଙ୍ଗାରୁଜା କରିଥିଲେ । ଘଟଣାପରେ ଅବକାରୀ ବ୍ରହ୍ମପୁର ଅବକାରୀ ନିରୀକ୍ଷକ ମିହିର କୁମାର ସେଠୀ , ବ୍ରହ୍ମପୁର ଅବକାରୀ ଉପ ନିରୀକ୍ଷକ ଅଭିରାମ ସାହୁ ସମେତ କର୍ମଚାରୀ ମାନେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଥାନା ମାମଲା ନଂ ୩୪୦/୨୧ ଅନୁସାରେ ମକଦ୍ଦମା ରୁଜୁ କରାଯାଇ ଅପରାହ୍ନରେ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ ପହଞ୍ଚି ଘଟଣାର ତଦନ୍ତ କରି ଫେରିଥିବା ଜଣାପଡ଼ିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ