ଅମୃତ ସରୋବର ଖନନରେ ଦୁର୍ନୀତି: ମେସିନରେ ପୋଖରୀ ଖୋଳି ବିକିଲେ ଶହ ଶହ ଟ୍ରିପ ମାଟି

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ମନରେଗା ଯୋଜନାରେ ହୋଇଛି ଆଖିବୁଜା ଦୁର୍ନତି। କେତେବେଳେ ଏହି ଯୋଜନାରେ କାର୍ଯ୍ୟ ହୋଇଥିବା ଦର୍ଶାଇ ମିଥ୍ୟା ମଷ୍ଟର ରୋଲ୍ ମାଧ୍ୟମରେ ବିଲ୍ ଉଠାଣ ହଉ କି ମେସିନରେ କାର୍ଯ୍ୟ କରି ଜବ କାର୍ଡ ଧାରୀ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ମନରେଗା ଅର୍ଥ ପ୍ରଦାନ ଭଳି ଅଭିଯୋଗ ହୋଇଥିଲା । ଏବେ ଅଭିନବ ଉପାୟରେ ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନେ ଅର୍ଥ ହଡପ କରୁଥିବା ଅଭିଯୋଗ ହୋଇଛି।ପୋଖରୀ ପୁନଃରୁଦ୍ଧାର ନାଁ ରେ ମାଟି ବିକ୍ରି କରି ମାଲେ ମାଲ ହେଉଛନ୍ତି। ଏଥିସହିତ ପୋଖରୀ ଖନନ ହୋଇଥିବା ଦର୍ଶାଇ ଜବକାର୍ଡ ଧାରୀ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇ ପରେ ଉଠାଇ ନେଉଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି ଷଡ଼ଙ୍ଗ ପଞ୍ଚାୟତରୁ। ଏହି ବ୍ଲକର ଷଡ଼ଙ୍ଗ ପଞ୍ଚାୟତର ନସିରପୁର ଗ୍ରାମରେ ମନରେଗା ଯୋଜନାର ଲକ୍ଷ୍ମୀ ସାଗର ପୋଖରୀର ପୁନଃରୁଦ୍ଧାର ନାଁ ରେ ଏକ ପ୍ରକଳ୍ପ ର ଖନନ କାର୍ଯ୍ୟ ଜାରି ରହିଛି | ମିଶନ ଅମୃତ ସରୋବର ଅଧିନରେ ଉକ୍ତ ପୋଖରୀର ପୁନଃରୁଦ୍ଧାର ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା, ଯାହାର କାର୍ଯ୍ୟାଦେଶ ନଂ ହେଉଛି ୨୪୦୩୦୦୯୦୨୪/ଡବ୍ଲୁଏଚ/୧୦୯୭୫୬୮୬ | ପୋଖରୀ ର ପୁନଃରୁଦ୍ଧାର କାର୍ଯ୍ୟ ଚଳିତ ବର୍ଷ ଫେବୃଆରୀ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ଦର୍ଶାଯାଇଥିବା ବେଳେ ପୋଖରୀର ଖନନ କାର୍ଯ୍ୟ ମେସିନ ସାହାଯ୍ୟରେ କରାଯାଇ ଶହ ଶହ ଟ୍ରିପ ମାଟି ଟ୍ରାକ୍ଟର ସାହାଯ୍ୟରେ ବିଭିନ୍ନ ବ୍ୟକ୍ତିବିଶେଷ ଙ୍କୁ ବିକ୍ରି କରି ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନେ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଭାରତର ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ‘ଆଜାଦୀ କା ଅମୃତ ମହୋତ୍ସବ’ର ଏକ ଅଂଶ ଭାବରେ, ଅମୃତ  ସରୋବରଗୁଡ଼ିକର ବିକାଶ ଦେଶର ଭବିଷ୍ୟତ ପାଇଁ ଉତ୍ସର୍ଗ କରିବା ଭଳି ମହତ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା। ଏଥିରେ ପ୍ରତ୍ୟେକ ଜିଲ୍ଲାରେ ୭୫ ଟି ପୋଖରୀ ନୂତନ ଭାବେ ଖନନ କିମ୍ବା ପୁନଃରୁଦ୍ଧାର କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ପୋଖରୀ ଖନନ ସମୟରେ ବାହାରୁଥିବା ମାଟିକୁ ନିକଟରେ ହେଉଥିବା ରେଳ ପ୍ରକଳ୍ପ କିମ୍ବା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିବାକୁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଥିଲେ ମଧ୍ୟ ତାହା ଏଠାରେ ଅନୁପାଳନ କରାଯାଇନାହିଁ। ମେସିନ ସାହାଯ୍ୟରେ ଖନନ ପରେ ଜବକାର୍ଡ ଧାରୀ ଶ୍ରମିକ କାର୍ଯ୍ୟ କରିଥିବା ଦର୍ଶାଇ ମନରେଗା ଅର୍ଥ ପ୍ରଦାନ କରାଯାଉଛି । ଏହି ପ୍ରକଳ୍ପରେ ଏପର୍ଯ୍ୟନ୍ତ ୩୨୭ ଜଣ ଶ୍ରମିକଙ୍କୁ ୨୦୬୭ ଦିନର କାମ କରିଥିବା ଦର୍ଶାଇ ସେମାନଙ୍କ ବ୍ୟାଙ୍କ ଖାତାକୁ ୫ ଲକ୍ଷ ୬୪ ହଜାର ୨୯୧ ଟଙ୍କା ପ୍ରଦାନ କରାଯାଇଛି।ଏପରିକି ଉକ୍ତ ପୋଖରୀ ରେ ପାଣି ଭର୍ତ୍ତି ହୋଇଥିଲେ ମଧ୍ୟ୍ୟ ଶ୍ରମିକ ମାନେ କାମ କରୁଥିବା ଦେଖାଇ ସରକାରୀ ଅର୍ଥ ହଡପ କରାଯାଉଛି। ଖନନ କାର୍ଯ୍ୟ ଆରମ୍ଭର ପୂର୍ବ ଓ କାର୍ଯ୍ୟ ସମୟର ଫଟୋ ଏଯାଏଁ  ଅପଲୋଡ଼ ହୋଇନଥିବାରୁ ଏହାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ପ୍ରକଳ୍ପ ରେ ହୋଇଥିବା ଦୁର୍ନୀତି ର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ