ଅବସରପ୍ରାପ୍ତ ସମବାୟ ବ୍ୟାଙ୍କ କର୍ମଚାରୀମାନଙ୍କ ଆଇନଗତ ପ୍ରାପ୍ୟ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କରେ ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ କାର୍ଯ୍ୟ କରି ଅବସର ନେଇଥିବା ୬୩ଜଣ କର୍ମଚାରୀଙ୍କୁ ସେମାନ ଙ୍କର ଅବସରକାଳୀନ ଆଇନଗତ ପ୍ରାପ୍ୟକୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ବେଆଇନ ଭାବରେ ପ୍ରଦାନ କରୁନାହାନ୍ତି । ସୋମବାର ଦିନ ପୂର୍ବାହ୍ନରେ ବହୁ ଅବସରପ୍ରାପ୍ତ କର୍ମଚାରୀ ବ୍ୟାଙ୍କର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ କୁହାଯାଇଛି ଯେ, ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଅବସରପ୍ରାପ୍ତ କର୍ମଚାରୀ ଓ ସେମାନଙ୍କ ସଂଘର ପ୍ରତିନିଧି ବାରମ୍ବାର ସାକ୍ଷାତ ଆଲୋଚନା କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ଗତ ୨୦୧୭ ମସିହା ମାର୍ଚ୍ଚ ମାସରେ କର୍ମଚାରୀମାନେ ଗଣ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସମବାୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କର ୨୦୧୭ ମାର୍ଚ୍ଚ ୧୮ ତାରିଖ ଚିଠିରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଆଇନଗତ ପ୍ରାପ୍ୟ ପ୍ରଦାନ ପାଇଁ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବାରୁ ଗଣଧାରଣା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ଏହି ଆଦେଶକୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ପାଳନ କଲେନାହିଁ । ପୁନଶ୍ଚ କର୍ମଚାରୀମାନେ ଗଣଧାରଣା ପାଇଁ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ଚଳିତ ବର୍ଷ ମଇମାସ ୧୬ ତାରିଖ ଦିନ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ଦ୍ୱିପାକ୍ଷିକ ଲିଖିତ ରାଜିନାମାରେ ଏକମାସ ମଧ୍ୟରେ ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ ପାଇଁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଳେ । କିନ୍ତୁ ଅଦ୍ୟାବଧି ଏହି ପ୍ରାପ୍ୟ ପ୍ରଦାନ କରାଯାଇନାହିଁ ବୋଲି ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଚିଠିରେ ଅଭିଯୋଗ କରାଯାଇଛି । ଅବସରପରେ ସମବାୟ ବ୍ୟାଙ୍କ୍ କର୍ମଚାରୀମାନଙ୍କୁ ପେନସନ୍ ଦିଆଯାଉନଥିବା ବେଳେ ସେମାନଙ୍କର ଆଇନଗତ ପ୍ରାପ୍ୟ ନପାଇ ବହୁ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିବାର କୁହାଯାଇଛି । ଜିଲ୍ଲାପାଳଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଭବେଶ ଚନ୍ଦ୍ର ନାୟକ ଦାବିପତ୍ର ଗ୍ରହଣ କରି କର୍ମଚାରୀମାନଙ୍କ ସମସ୍ୟା ପ୍ରତି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ହରିଶ ଚନ୍ଦ୍ର ସାହୁ, ସାଧାରଣ ସଂପାଦକ ବାଳକୃଷ୍ଣ ନନ୍ଦଙ୍କ ସମେତ ବିଷ୍ଣୁ ପ୍ରସାଦ ମହାନ୍ତି, ନିର୍ମଳ ଚନ୍ଦ୍ର ଦାସ, ଦୀପକ ରଂଜନ ପଟ୍ଟନାୟକ, ରାଧାଶ୍ୟାମ ମହାନ୍ତି, ଜଳଧର ପଣ୍ଡା, ବ୍ରଜକିଶୋର ସ୍ୱାଇଁ, ରାଧାଶ୍ୟାମ ବେହେରା, ଲମ୍ବୋଦର ଜେନା, ଶରତ ଚନ୍ଦ୍ର ଦାସ, ଉମାକାନ୍ତ ବେହେରା ଓ ଇପିଏଫ୍ ପେନସନର୍ସ ଆସୋସିଏସନ୍ର ରାଜ୍ୟ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


