ସି.ପି.ଆଇ.ର ସଦର ଅଞ୍ଚଳ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା) :ଭାରତୀୟ କମ୍ୟୁନିଷ୍ଟ ପାର୍ଟିର (ସିପିଆଇ)ର ସଦର ଅଞ୍ଚଳ କମିଟି ସମ୍ମିଳନୀ ରବିବାର ଦିନ ଚାନ୍ଦିପୁରରେ ସୁହାଗୀ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ଲାଲ୍ ପତାକାକୁ ବରିଷ୍ଠ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । ଅଞ୍ଚଳ ସଂପାଦକ ଜତିନ୍ ପାତ୍ର କମ୍ୟୁନିଷ୍ଟ ପାର୍ଟିର ନୀତି ଆଦର୍ଶ ଓ ସଦର ଅଞ୍ଚଳ କମିଟି ପକ୍ଷରୁ ଗତବର୍ଷମାନଙ୍କରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ଆଇନଜୀବୀ ନିରଞ୍ଜନ ପରିଡ଼ା, ଉତ୍କଳ ମହିଳା ସମିତିର ସଭାନେତ୍ରୀ ବନ୍ଦନା ବିଶ୍ୱାସ ଓ ଏଆଇଟିୟୁସିର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଜେନା ଅତିଥି ଓ ବକ୍ତାଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଶ୍ରମଜୀବୀ ଜନଗଣଙ୍କ ସମସ୍ୟା ସମାଧାନ ଦିଗରେ ବିଫଳତା ସମ୍ପର୍କରେ ଆଲୋକପାତ କରି ଗରିବ ଓ ଅବହେଳିତ ଜନତା ଅଧିକ ସଂଘବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ଭାରତବର୍ଷ ସ୍ୱାଧୀନତାପ୍ରାପ୍ତିର ୭୫ ବର୍ଷ ପରେ ଜଣେ ଓଡ଼ିଆ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଆସୀନ ହେବା ଆନନ୍ଦର ବିଷୟ ହୋଇଥିବାବେଳେ ଗରିବ ଲୋକଙ୍କ ନିତିଦିନିଆ ଖାଦ୍ୟ ଚୁଡ଼ା, ମୁଢ଼ି ଓ ଖଇ ପ୍ରଭୃତି ଉପରେ ଜିଏସ୍‌ଟିରେ ଟିକସ ଲଗାଇବା ଦୁର୍ଭାଗ୍ୟର ବିଷୟ ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ । ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଜାଳେଣି ଗ୍ୟାସ୍ ପ୍ରଦାନ କରି ସରକାର ବାଃ ବାଃ ନେଉଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଦର ଅହେତୁକ ବୃଦ୍ଧି ପାଇ ୧୧ଶହ ଟଙ୍କା ଟପିଗଲାଣି । ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଆକାଶଛୁଆଁ ଦରବୃଦ୍ଧି ଜନଜୀବନକୁ ଅତିଷ୍ଟ କରିଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦୀର୍ଘବର୍ଷ ଧରି ସରକାରୀ ଜମିରେ ବସବାସ କରୁଥିବା ପରିବାରଙ୍କୁ ବାସସ୍ଥାନର ପଟ୍ଟା ନମିଳିବାରୁ ଏହି ବର୍ଗର ପରିବାରମାନେ ସରକାରଙ୍କ ସମସ୍ତ ଯୋଜନାର ସୁଫଳ ପାଉନାହାନ୍ତି । ବାସସ୍ଥାନର ପ୍ରମାଣପତ୍ର ଅଭାବରୁ ଗରିବ ଛାତ୍ରଛାତ୍ରୀ ପାଠପଢ଼ିବାକୁ ଓ ନିଯୁକ୍ତି କ୍ଷେତ୍ରରେ ଅବହେଳାର ଶୀକାର ହେଉଛନ୍ତି ବୋଲି ବହୁ ପ୍ରତିନିଧି ସେମାନଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ସମ୍ମିଳନୀର ପ୍ରତିନିଧିମାନଙ୍କ ମଧ୍ୟରୁ ରେବତୀ ପ୍ରଧାନ, ଭାଗ୍ୟଲକ୍ଷ୍ମୀ ପତି, ଇନ୍ଦୁମତୀ ବିନ୍ଧାଣୀ, ରାମ ମାଝୀ, ଧୁନା ଟୁଡୁ, ବାସନ୍ତୀ ମାରାଣ୍ଡି ଓ ହରିହର ମୁର୍ମୁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମନ୍ମଥ ପରିଡ଼ା ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ